Categories: ଖେଳ

ଭିସେଞ୍ଜାରେ ପାଓଲୋ ରୋସିଙ୍କ ଅନ୍ତ୍ୟେଷ୍ଟି

ଭିସେଞ୍ଜା, ୧୪।୧୨(ଏପି): ଇଟାଲୀ କିମ୍ବଦନ୍ତୀ ଫୁଟବଲର ତଥା ୧୯୮୨ ବିଶ୍ୱକପ୍‌ ହିରୋ ପାଓଲୋ ରୋସିଙ୍କ ଅନ୍ତ୍ୟେଷ୍ଟ୍ରି କ୍ରିୟା ରବିବାର ଭିସେଞ୍ଜାରେ ଅନୁଷ୍ଠିତ ହୋଇଯାଇଛି। ୬୪ ବର୍ଷରେ ରୋସି ବୁଧବାର ପରଲୋକ ଗମନ କରିଥିଲେ। ରୋସିଙ୍କ ପୂର୍ବତନ ସାଥୀ ଖେଳାଳିମାନେ ତାଙ୍କ କଫିନ୍‌ ଉଠାଇଥିଲେ। ଏଥିରେ ନେତୃତ୍ୱ ନେଇଥିଲେ ମାର୍କୋ ଟର୍ଡେଲି ଓ ଆଣ୍ଟୋନିଓ କ୍ୟାବ୍ରିନି। ରୋସିଙ୍କ ପୁଅ ଆଲେଜାଣ୍ଡ୍ରୋ ଏହି ଅବସରରେ ଉପସ୍ଥିତ ଥିଲୋ। ରୋସିଙ୍କ କଫିନ୍‌ ଉପରେ ସେ ପିନ୍ଧିଥିବା ବିଶ୍ୱକପ୍‌ ଜର୍ସିକୁ ଘୋଡ଼ାଇ ଦିଆଯାଇଥିଲା।
କୋଭିଡ୍‌-୧୯ ଯୋଗୁ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଭିସେଞ୍ଜାର ମୁଖ୍ୟ ଗିର୍ଜାଘରକୁ ମାତ୍ର ୩୦୦ ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରାଯାଇଥିଲା। ଶନିବାର ଷ୍ଟାଡିୟଓ ମେଣ୍ଟିରେ ତାଙ୍କ ମରଶରୀର ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା। ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଉଲ୍ଲେଖଥାଉ କି, ରୋସିଙ୍କ ପ୍ରଦର୍ଶନ ବଳରେ ଇଟାଲୀ ୧୯୮୨ ଫିଫା ବିଶ୍ୱକପ୍‌ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ୧୯୮୦ରେ ବେଟିଂ ମାମଲରେ ଫସି ବାସନ୍ଦ ହେବା ପରେ ସେ ପ୍ରତ୍ୟାବର୍ତ୍ତନ କରି ଚମତ୍କାର ପ୍ରଦର୍ଶନ କରିଥିଲେ। ଅବସର ନେବା ପରେ ସେ ଭାଷ୍ୟକାର ଭାବେ କାର୍ଯ୍ୟ କରିଥିଲେ।
ପୂର୍ବତନ ଫୁଟବଲର ରବର୍ଟ ବାଜିଓ, ପାଓଲେ ମାଲଡିନି ଓ ଇଟାଲିଆନ ସକର ଫେଡେରେଶନ ଅଧ୍ୟକ୍ଷ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ୧୯୮୨ ବିଶ୍ୱକପ୍‌ରେ ରୋସି ସର୍ବାଧିକ ଗୋଲ ସ୍କୋର କରିଥିଲେ। ମାଡ୍ରିଡ୍‌ରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଇଟାଲୀ ୩-୧ ଗୋଲରେ ପଶ୍ଚିମ ଜର୍ମାନୀକୁ ହରାଇ ଚାମ୍ପିୟନ ହୋଇଥିଲା। ଏହି ନିର୍ଣ୍ଣାୟକ ମ୍ୟାଚରେ ରୋସି ପ୍ରଥମ ଗୋଲ ଦେଇ ଇଟାଲୀକୁ ଅଗ୍ରଣୀ କରାଇଥିଲେ।

Share