Categories: ଖେଳ

ପଙ୍ଘାଲ, ସଞ୍ଜିତଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ବିଶ୍ୱ ରୌପ୍ୟ ବିଜେତା ଅମିତ ପଙ୍ଘାଲ (୫୨କେଜି) ଓ ସଞ୍ଜିତ (୯୧ କେଜି) ଫ୍ରାନ୍ସର ନାଣ୍ଟିସଠାରେ ଚାଲିଥିବା ଆଲେକ୍ସିସ ଭାଷ୍ଟିନେ ଇଣ୍ଟରନ୍ୟାଶନାଲ ବକ୍ସିଂ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏସିଆନ ଗେମ୍ସ ଚାମ୍ପିୟନ ତଥା ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା ଅମିତ୍‌ ଲଢେଇରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଫାଇନାଲରେ ଆମେରିକାର ରେନେ ଆବ୍ରାହମ୍‌ଙ୍କୁ ସେ ୩-୦ରେ ପରାସ୍ତ କରିଥିଲେ। ପୂର୍ବତନ ଇଣ୍ଡିଆନ୍‌ ଓପନ ସ୍ବର୍ଣ୍ଣ ବିଜେତା ସଞ୍ଜିତ ଚମତ୍କାର ପ୍ରଦର୍ଶନ ସହ ଟାଇଟଲ ମୁକାବିଲାରେ ଫ୍ରାନ୍ସର ସୋହେବ ବୋଆଫିଆଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ୭୫ କେଜି କାଟେଗୋରିରେ ଏସିଆନ ରୌପ୍ୟ ବିଜେତା ଆଶିଷ କୁମାର ତାଙ୍କ ଆମେରିକୀୟ ପ୍ରତିଦ୍ୱନ୍ଦ୍ୱୀ ଜୋଶେଫ୍‌ ଜେରୋମ୍‌ ହିକ୍ସଙ୍କ ବିପକ୍ଷରେ ଓ୍ବାକଓଭର ପାଇ ଏକ ସ୍ବର୍ଣ୍ଣ ପଦକ ଜିତିଥିଲେ। ହିକ୍ସ ଇଞ୍ଜୁରି ପାଇଁ ଟାଇଟଲ ମୁକାବିଲାରୁ ଓହରିଯାଇଥିଲେ। ଅନ୍ୟପକ୍ଷରେ ଏସିଆନ ରୌପ୍ୟ ବିଜେତା କାଭିନ୍ଦର ସିଂ ବିସ୍ତ୍‌ (୫୭କେଜି) ସ୍ଥାନୀୟ ଫେଭରାଇଟ୍‌ ସାମୁଏଲ୍‌ କିସ୍ତୋହୁରିଙ୍କଠାରୁ ୨-୧ରେ ପରାସ୍ତ ହୋଇ ରୌପ୍ୟ ପଦକ ପାଇଥିଲେ। ଭାରତ ଏହି ଟୁର୍ନାମେଣ୍ଟରେ ପୂର୍ବରୁ ୪ଥର ଏସିଆନ ପଦକ ବିଜେତା ଶିବ ଥାପ୍ପା (୬୩କେଜି), ସୁମିତ ସାଙ୍ଗଓ୍ବାନ (୮୧କେଜି) ଏବଂ ସତୀଶ କୁମାର (+୯୧କେଜି)ଙ୍କ ଜରିଆରେ ତିନୋଟି ବ୍ରୋଞ୍ଜ ପଦକ ହାସଲ କରିସାରିଥିଲା। ମାର୍ଚ୍ଚରେ ଜୋର୍ଡାନଠାରେ ଅଲିମ୍ପିକ କ୍ୱାଲିଫାୟର୍ସ ପରେ ଭାରତୀୟ ବକ୍ସରମାନେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ।

Share