ସେତୁ ନ ହେଲେ ଭୋଟ୍‌ ବର୍ଜନ

ଖୋର୍ଦ୍ଧା ଅଫିସ,୨୩ା୧: ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ସ୍ବାଧୀନତାର ୭୫ବର୍ଷ ପରେ ବି ଏମିତି ଗାଁ ଅଛି, ଯେଉଁଠି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ସ୍ଥାନୀୟ ପ୍ରଶାସନଠାରୁ ଜିଲା ପ୍ରଶାସନ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡିଲେଣି। ପ୍ରତିଶ୍ରୁତି ମିଳୁଛି, କିନ୍ତୁ କାର୍ଯ୍ୟକାରୀ ହେଉନାହିଁ। ଗୋଟିଏପଟେ ରାଜ୍ୟ ସରକାର ଗ୍ରାମାଞ୍ଚଳର ସର୍ବାଙ୍ଗିନ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ରାଜଧାନୀଠାରୁ ମାତ୍ର କିଛି କିମି ଦୂରରେ ଅବସ୍ଥିତ ଗ୍ରାମବାସୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଅଭିଯୋଗ କରୁଛନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ପାଣ୍ଡିଆବିଲି ଗ୍ରାମରେ। ଗ୍ରାମ ନିକଟ ଦେଇ ଯାଇଥିବା ରାଜୁଆ କିମ୍ବା ଦୟା ନଦୀ ଉପରେ ଏକ ସେତୁବନ୍ଧ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଗ୍ରାମବାସୀ ଦାବି କରି ଆସୁଛନ୍ତି। ଗ୍ରାମବାସୀଙ୍କ ଦାବି ଉପରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଖୋର୍ଦ୍ଧା ଏବଂ ପୁରୀକୁ ସଂଯୋଗ କରୁଥିବା ଏହି ରାସ୍ତାରେ ସ୍ଥାୟୀ ସେତୁ ନିର୍ମାଣ ହେଲେ ବହୁ ଲୋକ ଉପକୃତ ହେବେ। ବର୍ଷା ୩ ମାସ ଗ୍ରାମବାସୀ ଡଙ୍ଗାରେ ଯାତାୟାତ କରୁଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ସ୍ଥାନୀୟ ପ୍ରଶାସନ ଠାରୁ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଶେଷରେ ନିରାଶ ହୋଇ ଗ୍ରାମବାସୀ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ଲାଗି ଜିଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଗ୍ରାମର ଓମ୍‌ପ୍ରକାଶ ବଡ଼ଜେନା, ଶୁଭଦୀପ ବଡ଼ଜେନା, ଜୀବନ ବଳିୟାରସିଂ, ଦୁଃଖିଶ୍ୟାମ ବଡ଼ଜେନା, ସିଦ୍ଧାନ୍ତ ରାଉତରାୟ, ରାମଚନ୍ଦ୍ର ରାଉତରାୟ ପ୍ରମୁଖ ଜିଲାପାଳଙ୍କୁ ଏ ସଂକ୍ରାନ୍ତରେ ଲିଖିତ ଭାବେ ଜଣାଇଥିବା ଗଣମାଧ୍ୟମକୁ କହିଛନ୍ତି।