Categories: ରାଜ୍ୟ

ପଞ୍ଚାୟତ, ପୌର ନିର୍ବାଚନରେ ୫୦% ସ୍ଥାନ ସଂରକ୍ଷଣ ରହିବ

ଭୁବନେଶ୍ୱର, ୨।୯(ବ୍ୟୁରୋ): ସ୍ଥାନ ସଂରକ୍ଷଣକୁ ନେଇ ଗତ ୩ ବର୍ଷ ହେବ ପୌର ନିର୍ବାଚନ ହୋଇପାରୁନାହିଁ। ଏହା ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ହୋଇଥିବାରୁ ସରକାର ଅଡୁଆରେ ପଡ଼ିଥିଲେ। ଏଥିଯୋଗୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସତ୍ତ୍ୱେ ପୌର ନିର୍ବାଚନ ହୋଇପାରି ନ ଥିଲା। ସ୍ଥାନ ସଂରକ୍ଷଣକୁ ୫୦ ପ୍ରତିଶତ ଭିତରେ ସୀମିତ ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଏନେଇ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ଓଡ଼ିଶା ପୌର ଆଇନ ୧୯୫୦ ଏବଂ ଓଡ଼ିଶା ମହାନଗର ନିଗମ ଆଇନ ୨୦୦୩କୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଶେଷ କରିଛନ୍ତି। ଏହି ଆଇନକୁ ଚଳିତ ବିଧାନସଭାରେ ଅନୁମୋଦନ କରିବା ନେଇ ଆପାତତଃ ସ୍ଥିର ହୋଇଛି। ବୁଧବାର ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏଥିସହିତ ଆସନ୍ତା ପଞ୍ଚାୟତ ନିର୍ବାଚନରେ ମଧ୍ୟ ସ୍ଥାନ ସଂରକ୍ଷଣକୁ ୫୦ ପ୍ରତିଶତରେ ସୀମିତ ରଖାଯିବ। ତେବେ ଅନୁସୂଚିତ ଅଞ୍ଚଳରେ ଥିବା ଜିଲାଗୁଡିକରେ ସରପଞ୍ଚ, ଜିଲା ପରିଷଦ,
ସମିତି ସଭ୍ୟ ଇତ୍ୟାଦି ପାଇଁ ଶତପ୍ରତିଶତ ଆଦିବାସୀମାନଙ୍କ ପାଇଁ ସଂରକ୍ଷଣ ରହିବ। ବୁଧବାର ସା ୬ଟା ୧୫ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ସୂଚନା ମିଳିଛି। ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବାରୁ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କିତ କୌଣସି ସୂଚନା ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇନାହିଁ।