ଫେବୃଆରୀରେ ପଞ୍ଚାୟତ ନିର୍ବାଚନ: ସଂରକ୍ଷଣ ନେଇ ବିଧାନସଭାରେ ଆସିବ ପ୍ରସ୍ତାବ

ଭୁବନେଶ୍ୱର,୨୬ା୮(ବ୍ୟୁରୋ): ଫେବୃଆରୀରେ ପଞ୍ଚାୟତ ନିର୍ବାଚନ ହେବା ନିଶ୍ଚିତ ହୋଇଯାଇଛି। ଏନେଇ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଆରମ୍ଭ କରିଦେଇଛନ୍ତି । ବିଧାନସଭାରେ ସଂରକ୍ଷଣ ସଂକ୍ରାନ୍ତୀୟ ସଂଶୋଧନ ଆସିବାକୁ ଯାଉଛି ।

ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ବସିବ। ତେବେ ପଞ୍ଚାୟତ ଓ ପୌର ନିର୍ବାଚନ ପରିପ୍ରେକ୍ଷୀରେ ସଂଶୋଧନ ପ୍ରସ୍ତାବ ଆସିବକି ନାହିଁ ତାହା ସ୍ପଷ୍ଟ ହୋଇ ନ ଥିଲା । କାରଣ ନିର୍ଦ୍ଧାରିତ ମାସରେ ନିର୍ବାଚନ ହେବା ନିମନ୍ତେ ସଂଶୋଧନ ନିତାନ୍ତ ଅପରିହାର୍ଯ୍ୟ । ବୁଧବାର ଏନେଇ ସୂଚନା ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ପଞ୍ଚାୟତ ସଂରକ୍ଷଣ ସଂକ୍ରାନ୍ତୀୟ ସଂଶୋଧନ ବିଲ୍‌ ବିଧାନସଭାରେ ଆସିବ ।

ମନ୍ତ୍ରୀଙ୍କ ଏଭଳି ସୂଚନା ପରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ବିତ ହୋଇପାରିବ। ପ୍ରଥମେ ଜିଲାପାଳମାନେ ସଂରକ୍ଷଣ ତାଲିକା ପ୍ରଦାନ କରିବେ। ଏନେଇ ଅଭିଯୋଗ ଶୁଣାଣି ନିମନ୍ତେ ମଧ୍ୟ ମାସେ ସମୟ ରହିବ । ଯଦି ସବୁକିଛି ଠିକ୍‌ଠାକ୍‌ ଚାଲେ ତେବେ ଡିସେମ୍ବରରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ।