ଭୁବନେଶ୍ୱର,୧୧।୭(ରବିନାରାୟଣ ଜେନା): ରାଜ୍ୟରେ ଚାଲିଥିବା ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍ଆଇଆର୍) ଏବଂ ଜନଗଣନା ପରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ(କମିଶନର) ମଧୁସୂଦନ ପାଢ଼ୀ ସ୍ପଷ୍ଟ କରିଛନ୍ତି। ଶୁକ୍ରବାର ନିର୍ବାଚନ ଆୟୁକ୍ତ ପାଢ଼ୀ କହିଛନ୍ତି, ୨୦୨୭ରେ ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ନିର୍ଦ୍ଦିଷ୍ଟ ସୂଚୀ ଅନୁଯାୟୀ ହେବାକୁ ଯାଉଛି। ମାତ୍ର ଉପରଲିଖିତ ଦୁଇ ପ୍ରକ୍ରିୟା ଚାଲୁ ରହିଥିବାରୁ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଆବଶ୍ୟକତାକୁ ନେଇ ଏହା ସାମାନ୍ୟ ବିଳମ୍ବ ହେବ। ୨୦୨୭ ମାର୍ଚ୍ଚରେ ପଞ୍ଚାୟତ ନିର୍ବାଚନର ଅବଧି ଶେଷ ହେଉଛି। ଏହି ଦୃଷ୍ଟିରୁ ଦେଖିଲେ ସାମାନ୍ୟ ବିଳମ୍ବ ହେବ ବୋଲି କମିଶନର କହିଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାଶ କହିଛନ୍ତି, ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲା ପରିଷଦ ନିର୍ବାଚନ ପାଇଁ ବିଜ୍ଞପ୍ତି ଏପ୍ରିଲ-ମେ’ ୨୦୨୭ରେ ପ୍ରକାଶ ପାଇପାରେ। ପଞ୍ଚାୟତ ନିର୍ବାଚନ ପରେ ତୁରନ୍ତ ପୌର ନିର୍ବାଚନ ଅନୁଷ୍ଠିତ ହେବ। ସେହି ସମୟ ସୁଦ୍ଧା ଭାରତ ନିର୍ବାଚନ ଆୟୋଗଙ୍କ ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ଶେଷ ହୋଇଯିବ ଏବଂ ଚୂଡ଼ାନ୍ତ ଭୋଟରତାଲିକା ଉପଲବ୍ଧ ହୋଇଥିବ।
ସେପ୍ଟେମ୍ବର ୨୦୨୬ରେ ଭାରତ ନିର୍ବାଚନ ଆୟୋଗଙ୍କ ଭୋଟରତାଲିକା ମିଳିବା ପରେ ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଘରକୁ ଘର ସର୍ଭେ କରିବେ। ଏହା ସହ ବୁଥ୍ଭିିତ୍ତିକ ସର୍ଭେ ମଧ୍ୟ କରାଯିବ; ଯଦ୍ଦ୍ବାରା ଗୋଟିଏ ୱାର୍ଡର ସମସ୍ତ ଭୋଟର ଏକ ନିର୍ଦ୍ଦିିଷ୍ଟ ବୁଥ୍ରେ ଭୋଟ ଦେଇପାରିବେ।
ଜନଗଣନା କାର୍ଯ୍ୟରେ ସରକାରୀ କର୍ମଚାରୀମାନେ ନିୟୋଜିତ ରହିବାରୁ ମାର୍ଚ୍ଚ ପ୍ରଥମ ସପ୍ତାହ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରାଇବା ସମ୍ଭବ ନୁହେଁ ବୋଲି ଦାଶ ସ୍ପଷ୍ଟ କରିଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗ ବିଭିନ୍ନ ରାଜସ୍ବ ଡିଭିଜନ ଗସ୍ତ ସମୟରେ ସମସ୍ତ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଜୁଲାଇ ୨୧ ତାରିଖ ସକାଳ ୧୧.୩୦ରେ ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସମସ୍ତ ଜିଲାପାଳଙ୍କ ସହ ନଗରାଞ୍ଚଳ ନିର୍ବାଚନ ପାଇଁ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟରତ ଅତିରିକ୍ତ ଜିଲାପାଳ (ଏଡିଏମ୍), ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର (ଇଆର୍ଓ), ସହକାରୀ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର (ଏଇଆର୍ଓ) ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେବେ। ୨୦୨୨ ପୌର ନିର୍ବାଚନ ସମ୍ପର୍କିତ ବକେୟା ବିସ୍ତୃତ କଣ୍ଟିଜେଣ୍ଟ ବିଲ୍ ଓ ବିନିଯୋଗ ପ୍ରମାଣପତ୍ର(ୟୁସି) ସ୍ଥିତି ସମ୍ପର୍କରେ ଜିଲା ପ୍ରଶାସନ ଉପସ୍ଥାପନା କରିବେ। ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା ସମୀକ୍ଷା ସହ ନିର୍ବାଚନ ପ୍ରସ୍ତୁତି ଠିକ୍ ସମୟରେ ଶେଷ କରିବା ପାଇଁ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ ବୋଲି ସଚିବ ସୂଚନା ଦେଇଛନ୍ତି।