Categories: ଖେଳ

ପାକିସ୍ତାନର କ୍ରମାଗତ ଦ୍ୱିତୀୟ ବିଜୟ

ରାଓ୍ବଲପିଣ୍ଡି : ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ପାକିସ୍ତାନ ୮ ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଘରୋଇ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିବା ସହ ୩ ମ୍ୟାଚବିଶିଷ୍ଟ ସିରିଜକୁ ଆଗୁଆ କବ୍‌ଜା କରିନେଇଛି। ରବିବାର ସ୍ଥାନୀୟ ରାଓ୍ବଲପିଣ୍ଡି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍‌ଜିତି ପାକିସ୍ତାନ ବୋଲିଂ ନିଷ୍ପତ୍ତି ନେଇଥିଲା। ଭ୍ରମଣକାରୀ ଜିମ୍ବାଓ୍ବେ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ବିନିମୟରେ ୧୩୪ ରନ କରିଥିଲା। ଦଳର ଟପ୍‌ ସ୍କୋରର ର଼୍ୟାନ୍‌ ବର୍ଲ ୩୨ ରନ କରି ଅପରାଜିତ ରହିଥିବାବେଳେ ମାଧେଭେରେ ୨୪ ରନ କରିଥିଲେ। ପାକିସ୍ତାନ ତରଫରୁ ହାରିସ୍‌ ରଫ୍‌ ଓ ଉସ୍‌ମାନ କାଦିର ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଆୟୋଜକ ଦଳ ୧୫. ୧ ଓଭରରେ ୨ଉଇକେଟ ବିନିମୟରେ ୧୩୭ ରନ କରିବା ସହ ମ୍ୟାଚ ଜିତି ନେଇଥିଲା। ଦଳ ଟପ୍‌ ସ୍କୋରର ହାଇଦର ଅଲୀ ୬୬ରନ କରି ଅପରାଜିତ ରହିଥିଲେ। ସେ ୬ ଚୌକା ଓ ୩ ଛକା ଲଗାଇଥିଲେ। ଅଧିନାୟକ ବାବର ଆଜାମ ୨୮ ବଲ୍‌ରେ ୮ ଚୌକା ଓ ୧ ଛକା ସହ ୫୧ରନ କରିଥିଲେ। ଜିମ୍ବାଓ୍ବେ ତରଫରୁ ବ୍ଲେିସଂ ମୁଜାରାବାନି ୨ ଉଇକେଟ ନେଇଥିଲେ। ପାକିସ୍ତାନର ହାଇଦର ଅଲୀ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ତୃତୀୟ ତଥା ସିରିଜର ଅନ୍ତିମ ମ୍ୟାଚ ଏହି ଭେନ୍ୟୁରେ ମଙ୍ଗଳବାର ଖେଳାଯିବ।
ସଂକ୍ଷିପ୍ତ ସ୍କୋର
ଜିମ୍ବାଓ୍ବେ: ୨୦ ଓଭରରେ ୧୩୪/୭ (ର଼୍ୟାନ୍‌ ବର୍ଲ-୩୨*, ମାଧେଭେରେ-୨୪, ଚିଗୁମ୍ବୁରା-୧୮, ଉସ୍‌ମାନ କାଦିର-୩/୨୩, ହାରିସ୍‌ ରଫ୍‌-୩/୩୧)।
ପାକିସ୍ତାନ: ୧୫.୧ ଓଭରରେ ୧୩୭/୨ (ହାଇଦର ଅଲୀ-୬୬*, ବାବର ଆଜାମ-୫୧, ବ୍ଲେସିଂ ମୁଜାରାବାନି-୨/୩୩)।

Share