Categories: ଖେଳ

ବୟସ ଲୁଚାଇଛନ୍ତି ପାକିସ୍ତାନ ପେସ୍‌ ବୋଲର: ଅସିଫ୍‌

କରାଚୀ, ୩ା୧ (ପି.ଟି.)-ପାକିସ୍ତାନ କ୍ରିକେଟ ଟିମ୍‌ର ବର୍ତ୍ତମାନ ପେସ୍‌ ବୋଲରମାନଙ୍କ ପ୍ରକୃତ ବୟସ ଲୁଚାଯାଇଛି। ସେମାନଙ୍କ ଜନ୍ମ ପ୍ରମାଣପତ୍ରରେ ଜାଲିଆତି ହୋଇଛି। ଜନ୍ମ ପ୍ରମାଣପତ୍ରରେ ଯାହା ଦର୍ଶାଯାଇଛି, ସେମାନେ ପ୍ରକୃତରେ ତାହାଠାରୁ ୯ରୁ ୧୦ ବର୍ଷ ବଡ଼ ବୋଲି ଦେଶର ପୂର୍ବତନ ସିମ୍‌‌ ବୋଲର ମହମ୍ମଦ ଅସିଫ୍‌ ଅଭିଯୋଗ କରିଛନ୍ତି। ଚଳିତ ସପ୍ତାହରେ ମାଉଣ୍ଟ ମଙ୍ଗାନୁଇଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡଠାରୁ ପାକିସ୍ତାନ ୧୦୧ ରନରେ ପରାଜୟ ପରେ ଅସିଫ୍‌ ତାଙ୍କ ପ୍ରତିକ୍ରିୟାରେ ଏକଥା ପ୍ରକାଶ କରିଛନ୍ତି। ଏକ ୟୁଟ୍ୟୁବ୍‌ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଛନ୍ତି କାଗଜପତ୍ରରେ ଏହି ପେସ୍‌ ବୋଲରଙ୍କ ବୟସ ୧୭-୧୮ ବର୍ଷ ଲେଖାଯାଇଛି, କିନ୍ତୁ ସେମାନଙ୍କ ପ୍ରକୃତ ବୟସ ୨୭ରୁ ୨୮ ବର୍ଷ ମଧ୍ୟରେ ହେବ। ଫଳରେ ସେମାନେ ୨୦ରୁ ୨୫ ଓଭର ବୋଲିଂ କରିବାରେ ସମର୍ଥ ହୋଇପାରୁ ନାହାନ୍ତି। ୫ରୁ ୬ ଓଭର ଏକ ସ୍ପେଲ୍‌ ପରେ ସେମାନେ କ୍ଳାନ୍ତ ଜଣାପଡ଼ୁଛନ୍ତି। ଅସିଫ୍‌ ତାଙ୍କ ସମୟରେ ଜଣେ ଅନ୍ୟତମ ଶ୍ରେଷ୍ଠ ସିମ୍‌ ବୋଲର ଥିଲେ। ଇଂଲଣ୍ଡରେ ୨୦୧୦ରେ ଏକ ସ୍ପଟ୍‌ ଫିକ୍ସିଂ ସ୍କାଣ୍ଡାଲ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତାଙ୍କୁ ୫ବର୍ଷ ବାସନ୍ଦ କରିବା ଦ୍ୱାରା ତାଙ୍କ କ୍ୟାରିୟରର ଅନ୍ତ ଘଟିଥିଲା।

Share