ଇସଲାମାବାଦ,୪ ।୯: ପାକିସ୍ତାନରେ ୪୭ ବର୍ଷ ମଧ୍ୟରେ ଏବେ ସବୁଠାରୁ ଭୟଙ୍କର ବନ୍ୟା ଆସିଛି । ରିପୋର୍ଟରେ କୁହଯାଇଛି କି ଦେଶର ଏକ ତୃତିୟାଂଶ ଭାଗ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଏନଡିଏମଏ) ଅନୁଯାୟୀ, ମୌସୁମୀରେ ପ୍ରବଳ ବର୍ଷା ଓ ଗ୍ଳାସିୟର ତରଳିବା କାରଣରୁ ଏହି ବିପର୍ଯ୍ୟୟ ଘଟିଛି । ବନ୍ୟା ଯୋଗୁ ୧୪ ଜୁନରୁ ଏପର୍ଯ୍ୟନ୍ତ ପ୍ରାୟ ୧୨୬୫ ଜଣଙ୍କ ମୃତ୍ୟୁ ହେଲାଣି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୫୭ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କହୁଛି । ଏବେ ପର୍ଯ୍ୟନ୍ତ ସାଢେ ୧୨ ହଜାର ଲୋକ ଆହତ ହୋଇଛନ୍ତି । ବନ୍ୟା କାରଣୁ ୩.୩ କୋଟିରୁ ଅଧିକ ଲୋକେ ବିସ୍ଥାପିତ ହୋଇଛନ୍ତି । ଲୋକେ ଏବେ ରିଲିଫ କ୍ୟାମ୍ପରେ ରହୁଛନ୍ତି ।
ପାକିସ୍ତାନରେ ଆସିଥିବା ଏହି ବନ୍ୟାର ତୁଳନା ୨୦୦୫ରେ ଆମେରିକାରେ ଆସିଥିବା ‘କୈଟରିନା’ ତୋଫାନ ସହ କରାଯାଇଛି, ଯାହା ସେତେବେଳେ ବହୁ ପରିମାଣରେ କ୍ଷୟକ୍ଷତି କରିଥିଲା । ପାକିସ୍ତାନ ସରକାର ଏବେ ଏଥିରୁ ଅଣ୍ଟା ସଳଖି ଠିଆ ହେବା ପାଇଁ ଅନ୍ତରାଷ୍ଟ୍ରୀୟ ସହାୟତା ମାଗିଛନ୍ତି । ପାକିସ୍ତାନର ଏବେ ଏଭଳି ପରିସ୍ଥିତିକୁ ଦେଖି ଅନୁମାନ କରାଯାଉଛି କି ଯେକୌଣସି ମୁହୂର୍ତ୍ତରେ ଜନତାଙ୍କ ରାଗ ବିସ୍ଫୋରଣର ରୂପ ନେଇପାରେ ଓ ସେମାନେ ରାଜରାସ୍ତାକୁ ଓହ୍ଲାଇ ପାରନ୍ତି । ଦରଦାମ ବୃଦ୍ଧି, ଖାଦ୍ୟାଭାବ, ବିସ୍ଥାପନ, ମହାମାରୀ ବ୍ୟାପିବାର ଆଶଙ୍କା ଦେଶକୁ ସଙ୍କଟ ମଧ୍ୟକୁ ଠେଲି ଦେଇଛି । ଏବେ ସେଠାରେ ଗୃହଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି ।
Posted inଅନ୍ତର୍ଜାତୀୟ