ଇସଲାମାବାଦ୍,୨୩।୨: ଜଣେ ୧୪ ବର୍ଷ ବୟସ୍କା ନାବାଳିକାଙ୍କୁ ବିବାହ କରିଥିବା ଅଭିଯୋଗରେ ପାକିସ୍ତାନ ପୋଲିସ ଏମ୍ପି ମୌଲାନା ସଲ୍ଲାଉଦ୍ଦିନ୍ ଆୟୁବିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ଆୟୁବି ଜାମିଆତ୍-ଉଲେମା-ଇ-ଇସଲାମ୍ର ସଦସ୍ୟ। ସେ ବାଲୁଚିସ୍ତାନର ଏମ୍ପି। ମହିଳାଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଛିତ୍ରାଲର ଏକ ସ୍ବେଚ୍ଛାସେବୀ ସଂଗଠନ ଆୟୁବିଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛି। ସେ ଜୁଗହୋରସ୍ଥିତ ଉଚ୍ଚ ବାଳିକା ବିଦ୍ୟାଳୟର ଜଣେ ନାବାଳିକାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି। ସ୍କୁଲ ରେକର୍ଡରେ ସମ୍ପୃକ୍ତ ବାଳିକାଙ୍କ ଜନ୍ମ ତାରିଖ ୨୦୦୬ ଅକ୍ଟୋବର ୨୮ ଉଲ୍ଲେଖ କରାଯାଇଛି। ଆୟୁବିଙ୍କ ବୟସ ୫୦ ବର୍ଷରୁ ଅଧିକ ଥିବା ପାକିସ୍ତାନ ମିଡ଼ିଆ ପକ୍ଷରୁ କୁହାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ଛିତ୍ରାଲ ଇନସ୍ପେକ୍ଟର ସାଜିଦ୍ ଅହମଦ ସୂଚନା ଦେଇଛନ୍ତି। ପାକିସ୍ତାନ ଆଇନ ଅନୁସାରେ ୧୬ ବର୍ଷରୁ କମ୍ ବୟସ୍କ ବାଳିକାକୁ ବିବାହ କରାଯାଇ ପାରିବ ନାହିଁ।


