ଅରାଜକତାମୁହାଁ ପାକିସ୍ତାନ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯିବା ପରେ ସେଠାକାର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି। ଏଭଳି ଅନାସ୍ଥା ଆସିବା ପଛରେ ବିଦେଶୀ ଷଡ଼ଯନ୍ତ୍ର ବିଶେଷକରି ଆମେରିକାର ହାତ ରହିଛି ବୋଲି ଇମ୍ରାନ୍‌ ଅଭିଯୋଗ କରିଥିଲେ। ସେ କହିଥିଲେ ଦେଶ ସ୍ଥିର କରୁ କିଏ ସେମାନଙ୍କୁ ଶାସନ କରିବେ। ଏପରି କି ଅନାସ୍ଥା ପ୍ରସ୍ତାବ ଆସିବାର କିଛି ଘଣ୍ଟା ପୂର୍ବରୁ ଇମ୍ରାନ୍‌ ପାକିସ୍ତାନର ଯୁବବର୍ଗଙ୍କୁ ଉପଲକ୍ଷ୍ୟ କରି କହିଥିଲେ ଯେ, ତାଙ୍କୁ ବହିଷ୍କାର କରିବା ଲାଗି ଯେଭଳି ବିଦେଶୀ ଷଡ଼ଯନ୍ତ୍ର କରାଯାଇଛି ତାହା ବିରୋଧରେ ଦେଶର ଯୁବବର୍ଗ ଦୁଇ ଦିନ ପ୍ରତିବାଦ କରିବାକୁ ଆଗେଇ ଆସିବା ଦରକାର। ଉପବାଚସ୍ପତି କାସିମ୍‌ ଖାନ୍‌ ସୁରି ଅନାସ୍ଥା ପ୍ରସ୍ତାବକୁ ଅସାମ୍ବିଧାନିକ କହିବା ପରେ ଇମ୍ରାନ୍‌ଙ୍କ ଅନୁମୋଦନକ୍ରମେ ପାକିସ୍ତାନ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଭି ପାର୍ଲାମେଣ୍ଟ ‘ନ୍ୟାଶନାଲ ଆସେମ୍ବ୍ଲି’କୁ ଭଙ୍ଗ କରିଦେଇଛନ୍ତି। ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯିବା ପରେ ଇମ୍ରାନ୍‌ ଦେଶ ଉଦ୍ଦେଶ୍ୟରେ ଭାଷଣ ଦେଇ ୩ ମାସ ମଧ୍ୟରେ ନିର୍ବାଚନ ହେବ ବୋଲି ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ଇମ୍ରାନ୍‌ ସରକାର ସାମ୍ବିଧାନିକ ନିୟମକୁ ଉଲ୍ଲଂଘନ କରି ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଥିବାରୁ ବିରୋଧୀ ଦଳ ତାଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି।
କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଖାରଜ କରିବା ଲାଗି ଇମ୍ରାନ୍‌ଙ୍କ ପାର୍ଟି ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ଜୋରଦାର ପ୍ରୟାସ କରିଥିଲା। ଏବେ ଯେମିତି ସବୁଆଡ଼େ ହେଉଛି ପାକିସ୍ତାନରେ ମଧ୍ୟ କ୍ଷମତାସୀନ ଦଳର କର୍ମୀମାନେ ଗଣ୍ଡଗୋଳ ଭିଆଉଛନ୍ତି। କୁହାଯାଇପାରେ ଯେ, ଇମ୍ରାନ୍‌ ୨୦୧୮ରେ କ୍ଷମତାକୁ ଆସିବା ପରେ ପାକିସ୍ତାନରେ ଦୁର୍ନୀତି ବୃଦ୍ଧି ପାଇବା ସହିତ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବା ଦେଶବାସୀ ଅନୁଭବ କରିଥିଲେ। ଫଳରେ ସରକାର ବିରୋଧୀ ଅନେକ ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା। ଶେଷରେ ବିରୋଧୀ ଦଳ ତାଙ୍କ ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଇମ୍ରାନ୍‌ଙ୍କୁ ସମର୍ଥନ କରୁଥିବା ଅନେକ ସାଂସଦ ସାଧାରଣରେ ଘୋଷଣା କରି ବିରୋଧୀମାନଙ୍କ ସହ ମିଶିଯାଇଥିଲେ। କିନ୍ତୁ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥାକୁ ଇମ୍ରାନ୍‌ ଟାଳିବାରେ ସକ୍ଷମ ହୋଇଗଲେ। ଏହା ପଛରେ ସେନାର ଶକ୍ତିଶାଳୀ ହାତ ଥିବା ଅନ୍ତର୍ଜାତୀୟ ମିଡିଆ ରିପୋର୍ଟରୁ ବୁଝାପଡ଼ୁଛି। ଅବଶ୍ୟ ଏହା ନୂଆ କଥା ନୁହେଁ ଯେ, ପାକିସ୍ତାନ ସ୍ବାଧୀନ ରାଷ୍ଟ୍ର ହେବା ପରେ ସେଠାରେ ଯେତେବେଳେ ବି ସରକାର ଗଠନ ହୋଇଛି ସେଥିରେ ସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ସବୁଠାରୁ କୌତୂହଳର ବିଷୟ ହେଉଛି ଯେ, ୧୯୪୭ରେ ସ୍ବାଧୀନତା ପରଠାରୁ ପାକିସ୍ତାନରେ ୧୮ ଜଣ ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ କେହି ଜଣେ ମଧ୍ୟ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିନାହାନ୍ତି। କୁହାଯାଉଥିଲା ଇମ୍ରାନ୍‌ଙ୍କ ପ୍ରତି ସେନାର ସହଯୋଗ ଅଧିକ ଥିବାରୁ ସେ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିପାରନ୍ତି। ତାହା ନ ହୋଇଲା। ଅନ୍ୟପଟେ କୁହାଯାଉଛି ଯେ, ସେନାର ସମର୍ଥନ ଯୋଗୁ ଅନାସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ଇମ୍ରାନ୍‌ ପାର୍ଲାମେଣ୍ଟକୁ ଭଙ୍ଗ କରିଦେଇପାରିଲେ। ଏବଂ ସେହି ସେନାର ସମର୍ଥନ ଯୋଗୁ ରାଷ୍ଟ୍ରପତି ଅରିଫ୍‌ ଆଲ୍‌ଭି ଇମ୍ରାନ୍‌ଙ୍କ ସୁପାରିସ୍‌କୁ ତତ୍‌କ୍ଷଣାତ୍‌ ସ୍ବୀକାର କରିଗଲେ। ଏଥିରୁ ବୁଝି ହେଉଛି ଯେ, ପାକିସ୍ତାନରେ ଗଣତନ୍ତ୍ର କିମ୍ବା ସମ୍ବିଧାନ କେବଳ ନାମକୁ ମାତ୍ର ରହିଛି। ବାସ୍ତବରେ ଇମ୍ରାନ୍‌ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମ୍ମୁଖୀନ ହେବା ଲାଗି ସାମ୍ବିଧାନିକ ଦୃଷ୍ଟିକୋଣରୁ ପଦକ୍ଷେପ ନିଆଯିବାର ଥିଲା। ଏହା ଜଣାଶୁଣା ଯେ, ବାଚସ୍ପତି ହୁଅନ୍ତୁ ବା ଉପବାଚସ୍ପତି ଉଭୟେ ଇମ୍ରାନ୍‌ଙ୍କୁ ବଞ୍ଚାଇବା ଲାଗି ଚେଷ୍ଟା କରିଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେତେବେଳେ ସାମ୍ବିଧାନିକ ନିୟମକୁ ଦଳିମକଚି ଦିଆଯିବ, ସେତେବେଳେ ସାଧାରଣ ନାଗରିକ ନ୍ୟାୟ ପାଇବା କଷ୍ଟକର। ଗୋଟିଏ ପଟେ ଇମ୍ରାନ୍‌ଙ୍କୁ ଅନାସ୍ଥାର ସମ୍ମୁଖୀନ ହେବାକୁ କୁହା ନ ଯିବା ଓ ଅନ୍ୟପଟେ ବିରୋଧୀଙ୍କ ପଦକ୍ଷେପକୁ ଜାଣିଶୁଣି ଫୋପାଡ଼ି ଦିଆଯିବା ଦ୍ୱାରା ପାକିସ୍ତାନରେ ଗଣତନ୍ତ୍ର ଦୁର୍ବଳ ହୋଇପଡ଼ିଛି। ଏଭଳିସ୍ଥଳେ ଆଗାମୀ ଦିନରେ ଇମ୍ରାନ୍‌ ହୁଅନ୍ତୁ ବା ଆଉ ଯେ କେହି କ୍ଷମତା ଦଖଲ କରିବାକୁ ଚାହିଁଲେ ସେଠାକାର ସାଧାରଣ ନାଗରିକଙ୍କ ଅପେକ୍ଷା ସେନାର ସମର୍ଥନ ଅଧିକ ଜରୁରୀ ହୋଇପଡ଼ିବ। ପାକିସ୍ତାନ ସ୍ଥିତି ନେଇ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହୋଇଥାଏ ଯେ, ସେଠାକାର ସରକାର ଆତଙ୍କବାଦୀଙ୍କ ଦ୍ୱାରା ଅନେକାଂଶରେ ପରିଚାଳିତ ହୋଇଥାଆନ୍ତି। ଯେତେବେଳେ ଗୋଟିଏ ସରକାର ସବୁ ନୀତି ନିୟମକୁ ଭାଙ୍ଗି ଚାଲି କଳେବଳେ କୌଶଳେ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ଚେଷ୍ଟା କରେ ସେତେବେଳେ ଦେଶରେ ଅରାଜକତା ସୃଷ୍ଟି ହୁଏ। ପାକିସ୍ତାନ ଆଜି ସେହି ମୁହାଁ ହେବାକୁ ଯାଉଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri