ଅରାଜକତାମୁହାଁ ପାକିସ୍ତାନ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯିବା ପରେ ସେଠାକାର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି। ଏଭଳି ଅନାସ୍ଥା ଆସିବା ପଛରେ ବିଦେଶୀ ଷଡ଼ଯନ୍ତ୍ର ବିଶେଷକରି ଆମେରିକାର ହାତ ରହିଛି ବୋଲି ଇମ୍ରାନ୍‌ ଅଭିଯୋଗ କରିଥିଲେ। ସେ କହିଥିଲେ ଦେଶ ସ୍ଥିର କରୁ କିଏ ସେମାନଙ୍କୁ ଶାସନ କରିବେ। ଏପରି କି ଅନାସ୍ଥା ପ୍ରସ୍ତାବ ଆସିବାର କିଛି ଘଣ୍ଟା ପୂର୍ବରୁ ଇମ୍ରାନ୍‌ ପାକିସ୍ତାନର ଯୁବବର୍ଗଙ୍କୁ ଉପଲକ୍ଷ୍ୟ କରି କହିଥିଲେ ଯେ, ତାଙ୍କୁ ବହିଷ୍କାର କରିବା ଲାଗି ଯେଭଳି ବିଦେଶୀ ଷଡ଼ଯନ୍ତ୍ର କରାଯାଇଛି ତାହା ବିରୋଧରେ ଦେଶର ଯୁବବର୍ଗ ଦୁଇ ଦିନ ପ୍ରତିବାଦ କରିବାକୁ ଆଗେଇ ଆସିବା ଦରକାର। ଉପବାଚସ୍ପତି କାସିମ୍‌ ଖାନ୍‌ ସୁରି ଅନାସ୍ଥା ପ୍ରସ୍ତାବକୁ ଅସାମ୍ବିଧାନିକ କହିବା ପରେ ଇମ୍ରାନ୍‌ଙ୍କ ଅନୁମୋଦନକ୍ରମେ ପାକିସ୍ତାନ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଭି ପାର୍ଲାମେଣ୍ଟ ‘ନ୍ୟାଶନାଲ ଆସେମ୍ବ୍ଲି’କୁ ଭଙ୍ଗ କରିଦେଇଛନ୍ତି। ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯିବା ପରେ ଇମ୍ରାନ୍‌ ଦେଶ ଉଦ୍ଦେଶ୍ୟରେ ଭାଷଣ ଦେଇ ୩ ମାସ ମଧ୍ୟରେ ନିର୍ବାଚନ ହେବ ବୋଲି ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ଇମ୍ରାନ୍‌ ସରକାର ସାମ୍ବିଧାନିକ ନିୟମକୁ ଉଲ୍ଲଂଘନ କରି ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଥିବାରୁ ବିରୋଧୀ ଦଳ ତାଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି।
କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଖାରଜ କରିବା ଲାଗି ଇମ୍ରାନ୍‌ଙ୍କ ପାର୍ଟି ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ଜୋରଦାର ପ୍ରୟାସ କରିଥିଲା। ଏବେ ଯେମିତି ସବୁଆଡ଼େ ହେଉଛି ପାକିସ୍ତାନରେ ମଧ୍ୟ କ୍ଷମତାସୀନ ଦଳର କର୍ମୀମାନେ ଗଣ୍ଡଗୋଳ ଭିଆଉଛନ୍ତି। କୁହାଯାଇପାରେ ଯେ, ଇମ୍ରାନ୍‌ ୨୦୧୮ରେ କ୍ଷମତାକୁ ଆସିବା ପରେ ପାକିସ୍ତାନରେ ଦୁର୍ନୀତି ବୃଦ୍ଧି ପାଇବା ସହିତ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବା ଦେଶବାସୀ ଅନୁଭବ କରିଥିଲେ। ଫଳରେ ସରକାର ବିରୋଧୀ ଅନେକ ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା। ଶେଷରେ ବିରୋଧୀ ଦଳ ତାଙ୍କ ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଇମ୍ରାନ୍‌ଙ୍କୁ ସମର୍ଥନ କରୁଥିବା ଅନେକ ସାଂସଦ ସାଧାରଣରେ ଘୋଷଣା କରି ବିରୋଧୀମାନଙ୍କ ସହ ମିଶିଯାଇଥିଲେ। କିନ୍ତୁ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥାକୁ ଇମ୍ରାନ୍‌ ଟାଳିବାରେ ସକ୍ଷମ ହୋଇଗଲେ। ଏହା ପଛରେ ସେନାର ଶକ୍ତିଶାଳୀ ହାତ ଥିବା ଅନ୍ତର୍ଜାତୀୟ ମିଡିଆ ରିପୋର୍ଟରୁ ବୁଝାପଡ଼ୁଛି। ଅବଶ୍ୟ ଏହା ନୂଆ କଥା ନୁହେଁ ଯେ, ପାକିସ୍ତାନ ସ୍ବାଧୀନ ରାଷ୍ଟ୍ର ହେବା ପରେ ସେଠାରେ ଯେତେବେଳେ ବି ସରକାର ଗଠନ ହୋଇଛି ସେଥିରେ ସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ସବୁଠାରୁ କୌତୂହଳର ବିଷୟ ହେଉଛି ଯେ, ୧୯୪୭ରେ ସ୍ବାଧୀନତା ପରଠାରୁ ପାକିସ୍ତାନରେ ୧୮ ଜଣ ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ କେହି ଜଣେ ମଧ୍ୟ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିନାହାନ୍ତି। କୁହାଯାଉଥିଲା ଇମ୍ରାନ୍‌ଙ୍କ ପ୍ରତି ସେନାର ସହଯୋଗ ଅଧିକ ଥିବାରୁ ସେ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିପାରନ୍ତି। ତାହା ନ ହୋଇଲା। ଅନ୍ୟପଟେ କୁହାଯାଉଛି ଯେ, ସେନାର ସମର୍ଥନ ଯୋଗୁ ଅନାସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ଇମ୍ରାନ୍‌ ପାର୍ଲାମେଣ୍ଟକୁ ଭଙ୍ଗ କରିଦେଇପାରିଲେ। ଏବଂ ସେହି ସେନାର ସମର୍ଥନ ଯୋଗୁ ରାଷ୍ଟ୍ରପତି ଅରିଫ୍‌ ଆଲ୍‌ଭି ଇମ୍ରାନ୍‌ଙ୍କ ସୁପାରିସ୍‌କୁ ତତ୍‌କ୍ଷଣାତ୍‌ ସ୍ବୀକାର କରିଗଲେ। ଏଥିରୁ ବୁଝି ହେଉଛି ଯେ, ପାକିସ୍ତାନରେ ଗଣତନ୍ତ୍ର କିମ୍ବା ସମ୍ବିଧାନ କେବଳ ନାମକୁ ମାତ୍ର ରହିଛି। ବାସ୍ତବରେ ଇମ୍ରାନ୍‌ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମ୍ମୁଖୀନ ହେବା ଲାଗି ସାମ୍ବିଧାନିକ ଦୃଷ୍ଟିକୋଣରୁ ପଦକ୍ଷେପ ନିଆଯିବାର ଥିଲା। ଏହା ଜଣାଶୁଣା ଯେ, ବାଚସ୍ପତି ହୁଅନ୍ତୁ ବା ଉପବାଚସ୍ପତି ଉଭୟେ ଇମ୍ରାନ୍‌ଙ୍କୁ ବଞ୍ଚାଇବା ଲାଗି ଚେଷ୍ଟା କରିଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେତେବେଳେ ସାମ୍ବିଧାନିକ ନିୟମକୁ ଦଳିମକଚି ଦିଆଯିବ, ସେତେବେଳେ ସାଧାରଣ ନାଗରିକ ନ୍ୟାୟ ପାଇବା କଷ୍ଟକର। ଗୋଟିଏ ପଟେ ଇମ୍ରାନ୍‌ଙ୍କୁ ଅନାସ୍ଥାର ସମ୍ମୁଖୀନ ହେବାକୁ କୁହା ନ ଯିବା ଓ ଅନ୍ୟପଟେ ବିରୋଧୀଙ୍କ ପଦକ୍ଷେପକୁ ଜାଣିଶୁଣି ଫୋପାଡ଼ି ଦିଆଯିବା ଦ୍ୱାରା ପାକିସ୍ତାନରେ ଗଣତନ୍ତ୍ର ଦୁର୍ବଳ ହୋଇପଡ଼ିଛି। ଏଭଳିସ୍ଥଳେ ଆଗାମୀ ଦିନରେ ଇମ୍ରାନ୍‌ ହୁଅନ୍ତୁ ବା ଆଉ ଯେ କେହି କ୍ଷମତା ଦଖଲ କରିବାକୁ ଚାହିଁଲେ ସେଠାକାର ସାଧାରଣ ନାଗରିକଙ୍କ ଅପେକ୍ଷା ସେନାର ସମର୍ଥନ ଅଧିକ ଜରୁରୀ ହୋଇପଡ଼ିବ। ପାକିସ୍ତାନ ସ୍ଥିତି ନେଇ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହୋଇଥାଏ ଯେ, ସେଠାକାର ସରକାର ଆତଙ୍କବାଦୀଙ୍କ ଦ୍ୱାରା ଅନେକାଂଶରେ ପରିଚାଳିତ ହୋଇଥାଆନ୍ତି। ଯେତେବେଳେ ଗୋଟିଏ ସରକାର ସବୁ ନୀତି ନିୟମକୁ ଭାଙ୍ଗି ଚାଲି କଳେବଳେ କୌଶଳେ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ଚେଷ୍ଟା କରେ ସେତେବେଳେ ଦେଶରେ ଅରାଜକତା ସୃଷ୍ଟି ହୁଏ। ପାକିସ୍ତାନ ଆଜି ସେହି ମୁହାଁ ହେବାକୁ ଯାଉଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri