‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ ଭାବରେ ଓଡ଼ିଶାର ଘରେ ଘରେ ସାଇତା ହୋଇ ରହୁଥିଲା, ଏବେ କାହାଣୀ ପାଲଟି ଗଲାଣି l
ବର୍ଷାଦିନେ ଏବଂ ବିଲବାଡ଼ିରେ ଚାଷ କାମ ଜୋର୍ ସୋର୍ରେ ଆରମ୍ଭ ହୋଇଯାଏ l ଧାରା ଶ୍ରାବଣର ବରଷାରେ ହଳ ବଳଦଙ୍କ କାନ୍ଧରେ ଯୁଆଳି ଓ ଲଙ୍ଗଳ ଈଷ ବାନ୍ଧି ନିଜ କାନ୍ଧରେ କୋଡ଼ି,କୋଦାଳ ଓହଳାଇ ହାତରେ ପାଞ୍ଚଣ ଧରି ବିଲକୁ ବାହାରିଲା ବେଳେ ଆଗ ଖୋଜା ହୁଏ ପଖିଆ l ପଖିଆ ମୁଣ୍ଡରେ ଦେଇଦେଲେ ସାତତାଳ ବର୍ଷାକୁ ଡର ନ ଥାଏ l ଏହା ଚଷାପୁଅର ଶିରସ୍ତ୍ରାଣ, ଦେହର ରକ୍ଷାକବଚ ତଥା ବର୍ଷାରୁ ସୁରକ୍ଷା ପ୍ରଦାନକାରୀ ବର୍ଷାତି, ଯାହା ଆଜିକାଲିର ପିଲାଙ୍କ ଭାଷାରେ ‘ରେନ୍ କୋଟ୍’ l
ପଖିଆର ନିର୍ମାଣଶୈଳୀ ଆଧୁନିକ ଜ୍ଞାନକୌଶଳରୁ କୌଣସି ଗୁଣରେ ଊଣା ନୁହେଁ l
ତାଳପତ୍ରକୁ ଶୁଖେଇ ତାକୁ ଲମ୍ବା ଲମ୍ବା କରି କଟାଯାଏ l ତାଳବରଡ଼ାକୁ ଚିରି ମୋଟା ସୂତା ଭଳି କରି (କୋରଟ) ସେଥିରେ ସେହି ପତ୍ରକୁ ସିଲେଇ କରାଯାଏ l ମୁଣ୍ଡ ପାଖରେ ବରଡ଼ାକୁ ଅର୍ଦ୍ଧାକାର ମୁଣ୍ଡୁଳି ଭଳି (ମଥାନି) ଓ ଉଭୟ ପାର୍ଶ୍ୱକୁ ପାଖି ଭଳି ସିଲେଇ କରାଯାଇ ଏପରି ଭାବରେ ତିଆରି କରାଯାଏ ଯେ ଲୋକଟିଏ ତାକୁ ମୁଣ୍ଡ ପଛ ପଟରେ ଘେରେଇ ଦେଲେ ପିଠି ଦେଇ ତାହା ଅଣ୍ଟା ତଳ ପର୍ଯ୍ୟନ୍ତ ଭଲ ଭାବରେ ଆଚ୍ଛନ୍ନ କରିଦିଏ l ଏହା ଦେଖିବାକୁ କୁଲା ଭଳି l ପକ୍ଷୀମାନେ ସେମାନଙ୍କର ଡେଣାକୁ ଘୋଡ଼େଇ ନିଜର ଶାବକଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଭଳି ଏହା ତା’ର ବ୍ୟବହାରକାରୀଙ୍କ ଦେହକୁ ଘୋଡ଼େଇ ସୁରକ୍ଷିତ ରଖୁଥିବାରୁ ନାମ ପଖିଆ l ପବନ ବହିଲେ ସମ୍ପୃକ୍ତ ଦିଗକୁ ପିଠି କରିଦେଲେ ପବନ ତ ଦେହରେ ବାଜେନା ବରଂ ପଖିଆଟି ଦେହରେ ଅଧିକ ଜଡ଼ିଯାଏ l ପଖିଆଟିଏ ମୁଣ୍ଡରେ ଥିଲେ ଯେତେ ବର୍ଷା ହେଲେ ବି ଟିକିଏ ନଇଁ ପଡ଼ିଲେ ଦେହରେ ଟୋପାଏ ପାଣି ପଡ଼େନା; କାରଣ ଏହାର ଭିତରପଟ ଖୁବ୍ ଶୁଖିଲା ଥାଏ l ବର୍ଷା ଗାଳୁଥିବା ବେଳେ ଆଣ୍ଠୁଏ ପାଣିରେ ଦୁଇ ହାତରେ ଚାଷ କାମ ଯଥା ହଳ, ବେଉଷଣ, ମଞ୍ଜିବୁଣା ଛଡ଼ା ନଇଁକରି ତଳି ଓପଡ଼ା, ରୁଆ, ଘାସ, ବାଳୁଙ୍ଗା ଉପାଡ଼ିବା, ହିଡ଼ ହାଣିବା ଇତ୍ୟାଦି କାମ କରିବାକୁ ପଡ଼େ l ସେତେବେଳେ ପିଠି ଉପରେ ପଖିଆଟିଏ ଥିଲେ ମୁଣ୍ଡ ଓ ଦେହ ବର୍ଷା, ପାଣି, ପବନରୁ ରକ୍ଷାପାଏ, ତା’ ଛଡ଼ା ବିଜୁଳି ଓ ଘଡ଼ଘଡ଼ି ପାଇଁ ଏହା ଢାଲ ଭଳି କାମ କରେ; କାରଣ ପଖିଆର ଏକ ବିଶେଷତ୍ୱ ହେଲା ଏହାର ଏକମାତ୍ର ଉପାଦାନ ତାଳପତ୍ର ବିଦ୍ୟୁତ୍ର କୁପରିବାହୀ l ତେଣୁ ଆଗେ ଏହା ବହୁଳ ଭାବରେ ବ୍ୟବହୃତ ହେଉଥିଲା। ଚାଷ କାମ କରିବା ପାଇଁ ଛତା ବିଲ୍କୁଲ୍ ଅନୁପଯୋଗୀ; କାରଣ ଛତା ମଡ଼େଇବା ପାଇଁ ହାତ ଦରକାର, କିନ୍ତୁ ଦୁଇ ହାତ ନ ଲଗାଇଲେ ଚାଷ କାମ ହୋଇ ପାରିବ ନାହିଁ । ଅତଏବ ଛତା ପଖିଆର ବିକଳ୍ପ ନୁହେଁ। ତେଣୁ ଆଗେ ଗାଆଁ ଗଣ୍ଡାର ହାଟ ବାଟରେ ଚତୁର୍ମାସ୍ୟ ସମୟରେ ପଖିଆ ବିକ୍ରେତା, କ୍ରେତା ଓ ଗ୍ରାହକମାନଙ୍କର ପ୍ରବଳ ଭିଡ଼ ହେଉଥିଲା। ଏକ ନିର୍ଦ୍ଦିଷ୍ଟ ବର୍ଗ ଲୋକଙ୍କର ଏହା କୌଳିକ ବୃତ୍ତି ଥିଲା ଏବଂ ସେମାନେ ସ୍ବଳ୍ପ ମୂଲ୍ୟରେ ଏହାକୁ ଯୋଗାଉଥିଲେ। ବର୍ଷା ଓ ବଜ୍ରପାତରୁ ସୁରକ୍ଷିତ ରହିବା ପାଇଁ ଗାଆଁର ହାଟ ଚାଳିଆଗୁଡ଼ିକ ବରଡ଼ା ପତ୍ରରେ ଛପର ହେଉଥିଲା। ଯଜ୍ଞ ମଣ୍ଡପ ଏବଂ ସେଥି ସହିତ ସଂଲଗ୍ନ ବାରୁଆଳି ଘର ବି ତାଳପତ୍ରରେ ଛପର ହେଉଥିଲା l
ମାତ୍ର କ୍ଷୋଭର ବିଷୟ ଯେ, ଏବେ ଜନମାନସରୁ ପଖିଆ ଉଭେଇ ଗଲାଣି l ଏହାର ଏକ କାରଣ ହୋଇପାରେ ତାଳଗଛର ଅଭାବ l
ଅନ୍ୟାନ୍ୟ ବୃକ୍ଷଲତା ପରି ତାଳଗଛ କମି କମି ନିଶ୍ଚିହ୍ନ ହେବାକୁ ବସିଲାଣି l ତାଳଗଛ ଯେ କେତେ ଉପକାରୀ ଏହା ବୁଝିବାକୁ ଅନେକ ବିଳମ୍ବ ହୋଇଗଲା। ଏବେ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାରୁ ସରକାରୀ ଓ ବେସରକାରୀ ଅନୁଷ୍ଠାନଠାରୁ ବ୍ୟକ୍ତିବିଶେଷ ଯାଏ ସେ ବିଷୟରେ ଅନୁଧ୍ୟାନ କରାଯାଇ ଶେଷରେ ଜ୍ଞାନୋଦୟ ହୋଇଛି ଯେ ତାଳଗଛ ହିଁ ବଜ୍ରପାତକୁ ରୋକିବାରେ ସହାୟତା କରେ l ତେଣୁ ତାଳଗଛ ଲଗେଇବା ପାଇଁ ପ୍ରୋତ୍ସାହନ ଦିଆଯାଉଛି l ଅଥଚ ତାଳପତ୍ର ଓ ବରଡ଼ାରେ ତିଆରି ହେଉଥିବା ପଖିଆ ଚାଷୀ ପାଇଁ ଯେ କେତେ ଉପକାରୀ ତାହା ହୃଦୟଙ୍ଗମ କରି ଅତ୍ୟାଧୁନିକ ଜ୍ଞାନକୌଶଳରେ ଉନ୍ନତ ଧରଣର ପଖିଆ ତିଆରି କରାଗଲେ ଅନେକ ଲୋକଙ୍କର ଗରଜ ମେଣ୍ଟନ୍ତା ତଥା ନୂତନ କ୍ଷୁଦ୍ର ଓ କୁଟୀରଶିଳ୍ପ ପ୍ରତିଷ୍ଠା ପାଇଁ ସୁଯୋଗ ସୃଷ୍ଟି ହୁଅନ୍ତା l
ଅଲେଖ ଚନ୍ଦ୍ର ମିଶ୍ର
ମୋ:୯୪୩୮୬୭୩୮୯୮