କଟକଣାକୁ ଫୁ’; ଗୋବରୀ ନଦୀ ମଝିରେ ଟଳମଳ ହେଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ…

ମହାକାଳପଡ଼ା, ୨୦ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବାତ୍ୟା ‘ଅକ୍ୱାନ’କୁ ନେଇ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଜୋରଦାର କରାଯାଇଛି। ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଘାଟ ଡଙ୍ଗା ଚଳାଚଳ ଉପରେ କଡ଼ା କଟକଣା ଜାରି କରାଯାଇଥିଲେ ମଧ୍ୟ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି।

ଶୁକ୍ରବାର ଅପରାହ୍ନରେ ପ୍ରବଳ ବର୍ଷା ମଧ୍ୟରେ ଜମ୍ବୁ ଘାଟ ଡଙ୍ଗା ବାଇକ୍ ଓ ଯାତ୍ରୀମାନଙ୍କୁ ବୋଝେଇ କରି ଗୋବରୀ ନଦୀ ପାର ହେଉଥିଲା। ଏହି ସମୟରେ ଡଙ୍ଗାରେ ଥିବା ଦୁଇଜଣ ନିଶାସକ୍ତ ଯାତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଧସ୍ତାଧସ୍ତି ହୋଇଥିଲା। ଫଳରେ ଗୋବରୀ ନଦୀ ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇ ଟଳମଳ ହେବା ସହ ଏକ ପାର୍ଶ୍ୱକୁ ଢଳି ପଡ଼ିବାର ପରିସ୍ଥିତି ଉପୁଜିଥିଲା। ହଠାତ୍ ଏଭଳି ସ୍ଥିତି ଦେଖି ଡଙ୍ଗାରେ ଥିବା ଅନ୍ୟ ଯାତ୍ରୀମାନେ ଆତଙ୍କିତ ଓ ଭୟଭୀତ ହୋଇପଡ଼ିଥିଲେ।

ନଦୀ ମଝିରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯିବା ପରେ ସ୍ଥାନୀୟ ଅଞ୍ଚଳ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଶାସନ ପକ୍ଷରୁ କଟକଣା ପ୍ରତ୍ୟାହାର କରାଯାଇ ନ ଥିବା ବେଳେ ଘାଟିଆ କିଭଳି ସାହସ କରି ବାଇକ୍ ଓ ଯାତ୍ରୀ ଧରି ଡଙ୍ଗା ଚଳାଇଲେ, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଯଦି କୌଣସି ଅଘଟଣ ଘଟିଥାନ୍ତା, ତେବେ ଏଥିପାଇଁ କିଏ ଦାୟୀ ରହିଥାନ୍ତେ ବୋଲି ସ୍ଥାନୀୟ ଲୋକେ ମତ ରଖିଛନ୍ତି।

ଏ ସମ୍ପର୍କରେ ମହାକାଳପଡ଼ା ବିଡ଼ିଓ ମନୋଜ କୁମାର ନାୟକଙ୍କ ମତାମତ ଲୋଡ଼ିବାରୁ, ଘଟଣାର ତଦନ୍ତ ଜମ୍ବୁ ସାମୁଦ୍ରିକ ଥାନା ପୋଲିସ କରିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ଜିଲାପାଳ ରଘୁରାମ ଆୟରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

Dharitri – Odisha’s No.1 Odia Daily

Share