ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ଧୀରଜ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରାଯାଇଥିଲା।
ଏହି ଅବସରରେ ତହସିଲଦାର ଧୀରଜ ପାତ୍ର ୭ଟି ଅଭିଯୋଗର ଶୁଣାଣି କରିଥିଲେ। ସେଥିମଧ୍ୟରୁ ୩ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ସେହିପରି କଲମ-୨ର ସଂଶୋଧନ କରାଯାଇଥିବା ୧୪ଟି ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ଏଥିସହ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ୯ଟି ଜମି ପଟ୍ଟା ପ୍ରଦାନ କରାଯାଇଥିଲା।
ଏହାବ୍ୟତୀତ ୮ଟି ଜବରଦଖଲ ମାମଲା ରୁଜୁ କରାଯାଇଥିବା ବେଳେ ଗୋଟିଏ ସୀମା ନିର୍ଦ୍ଧାରଣ ସମ୍ପର୍କିତ ଅଭିଯୋଗର ସମାଧାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ସରପଞ୍ଚ ମଧୁସ୍ମିତା ପ୍ରଧାନ, ସମିତିସଭ୍ୟା ଜ୍ଞାନି ସୁନ୍ଦର ନାୟକ, ସୁପରଭାଇଜର ବିପିନ ବିହାରୀ ପ୍ରଧାନ, ରାଜସ୍ୱ ନିରୀକ୍ଷକ ଚାନ୍ଦିନୀ ଦିଗାଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଗାଁରେ ଜନସାଧାରଣଙ୍କ ନିକଟରେ ତହସିଲ ସେବାକୁ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନେଇଥିବା ଏହି ପଦକ୍ଷେପ ଯୋଗୁ ଲୋକମାନେ ଉପକୃତ ହେଉଥିବା ସ୍ଥାନୀୟ ଲୋକେ ପ୍ରତିକ୍ରିୟାରେ କହିଛନ୍ତି। ତହସିଲ କାର୍ଯ୍ୟାଳୟକୁ ଦୂରରୁ ଯିବାର ଆବଶ୍ୟକତା ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଏହି ଶିବିରକୁ ନେଇ ସନ୍ତୋଷ ପ୍ରକାଶ ପାଇଛି। ରିଙ୍ଗବାଡ଼ି ବ୍ଲକ୍ର ୨୫ଟି ପଞ୍ଚାୟତର ସମସ୍ତ ରାଜସ୍ୱ ଗ୍ରାମରେ ପର୍ଯ୍ୟାୟକ୍ରମେ ଏଭଳି ଶିବିର ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ତହସିଲଦାର ଧୀରଜ ପାତ୍ର ସୂଚନା ଦେଇଛନ୍ତି।

