ଆମ ବିଦ୍ୟାଳୟ

ଗ୍ରାଗ୍ରାମୀଣ ଭାରତର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଶିକ୍ଷାର ଆଲୋକରୁ ବଞ୍ଚିତ। ବିଶେଷ କରି ନିପଟ ମଫସଲ ଗାଁମାନେ, ଯେଉଁଠି ସହରି ଚାଲି ଚଳନ ସମ୍ପୂର୍ଣ୍ଣ ଭାବେ ପହଞ୍ଚିନାହିଁ, ସେଠି ଉନ୍ନତିର ପଥ ସଦା ସନ୍ଦିହାନ ରହିଥାଏ। ପ୍ରଗତିର ଧାରା ମଧ୍ୟ ସ୍ବପ୍ନିଳ। ଏମିତି ଏକ ଅଞ୍ଚଳରେ ଯଦି ଉଚ୍ଚ ବିଦ୍ୟାଳୟଟିଏ ହୁଏ, ତା’ହେଲେ ତାହା କେବଳ ଏକ ଶିକ୍ଷା କେନ୍ଦ୍ର ନୁହେଁ ସେହି ଗାଁର ତଥା ଅଞ୍ଚଳର ଭାଗ୍ୟ ପରିବର୍ତ୍ତନର ଆଧାର ହୋଇଯାଏ। ପ୍ରଥମେ, ଉଚ୍ଚ ବିଦ୍ୟାଳୟ ହେବାରୁ ଗ୍ରାମର ଛାତ୍ରୀଛାତ୍ରମାନେ ଶିକ୍ଷା ପାଇଁ ଦୂର ସହରକୁ ଯିବାର ଅସୁବିଧାରୁ ମୁକ୍ତ ହୁଅନ୍ତି। ପୂର୍ବରୁ ଅନେକ ଛାତ୍ର ଦୂରତା ଓ ଅର୍ଥାଭାବ କାରଣରୁ ମଝିରେ ମଝିରେ ପଢ଼ା ଛାଡ଼ି ଦେଉଥିଲେ। କିନ୍ତୁ ଗାଁରେ ଉଚ୍ଚ ବିଦ୍ୟାଳୟ ହେବା ପରେ ସେମାନେ ସହଜରେ ଘରେ ଶାଗ ପଖାଳ ଖାଇ ଉଚ୍ଚଶିକ୍ଷା ହାସଲର ସୁବିଧା ପାଇ ପାରୁଛନ୍ତି। ତା’ ପାଇଁ ବହୁତ ସମୟ ମଧ୍ୟ ପାଉଛନ୍ତି। ଗାଁରେ ଉଚ୍ଚ ବିଦ୍ୟାଳୟଟି-ଅଞ୍ଚଳର ପ୍ରଗତିର ଭିତ୍ତିଭୂମିର ପ୍ରଥମ ସୋପାନ ଭାବେ ଦଣ୍ଡାୟମାନ। ପ୍ରଗତିର ଧାରା ମଧ୍ୟ ସହଜ ଲବ୍ଧ। ଏହା ଫଳରେ ଶିକ୍ଷାର ହାର ବଦଳୁଛି ଓ ଅଶିକ୍ଷାର ଅନ୍ଧକାର ଦୂର ହେଉଛି। ସବୁଠାରୁ ନିଆରା କଥା ହେଉଛି ଭଲ ପଢ଼ୁଥିବା ପିଲାମାନେ ଅଭାବ କଷଣ ଥିଲେ ମଧ୍ୟ ବୟସ ଦୃଷ୍ଟିରୁ ନିଜକୁ ସ୍ବାବଲମ୍ବୀ କରାଇ ପାରୁଛନ୍ତି। ଇଚ୍ଛାଥିଲେ ଉପାୟ ଆପେ ଆପେ ଆସି ସେମାନଙ୍କ ଚଲାପଥ ପ୍ରଶସ୍ତ କରି ପାରୁଛି। ଅର୍ଥ ବାଧକ ହୋଇ ରହୁନି। ନିଜେ ବାହାରେ ରହି ପିଲାମାନଙ୍କୁ ଟିଉସନ ପଢ଼ାଇ ସେହି ଅର୍ଥରେ କଲେଜରେ ପଢି ନିଜକୁ ଉଚ୍ଚ ଶିକ୍ଷିତ କରି ପାରୁଛନ୍ତି। ସମୟେ ସମୟେ ଘରକୁ ବଞ୍ଚିତ କିଞ୍ଚିତ ଅର୍ଥ ମଧ୍ୟ ସାହାଯ୍ୟ କରି ପାରୁଛନ୍ତି। ଭଲ ଭଲ ଚାକିରି ମଧ୍ୟ ସହରରେ ରହି ବିଭିନ୍ନ ପରୀକ୍ଷା ଓ ସାକ୍ଷାତ୍‌କାର ମାଧ୍ୟମରେ ପାଇ ପାରୁଛନ୍ତି। ଶିକ୍ଷା ଆଖି ଖୋଲି ଦେଉଛି। ପ୍ରକାରାନ୍ତରେ ଅଞ୍ଚଳ ଶିକ୍ଷିତ ହେଉଛି। ଚିନ୍ତାଧାରା ଉନ୍ନତ ହେଉଛି। ପୂର୍ବ ଘୃଣ୍ୟ କଳୁଷିତ ଗ୍ରାମ୍ୟ ଚିନ୍ତାଧାରା ପରଶ୍ରୀକାତରତା, ଅସହିଷ୍ଣୁତା ବଦଳି ଧୀ-ସମ୍ପନ୍ନ ହେଉଛି।
ଦ୍ୱିତୀୟତଃ, ଏହି ବିଦ୍ୟାଳୟ ଗ୍ରାମର ସାମାଜିକ ଓ ସାଂସ୍କୃତିକ ଉନ୍ନତିରେ ମଧ୍ୟ ବଡ଼ ଭୂମିକା ନେଇଛି। ସ୍କୁଲକୁ କେନ୍ଦ୍ରକରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ଖେଳକୁଦ ଓ ସାହିତ୍ୟ ସଭା ଆୟୋଜିତ ହେଉଛି। ଏଥିରେ ଗ୍ରାମବାସୀଙ୍କ ମଧ୍ୟରେ ଏକତା ଓ ସଚେତନତା ବଢ଼ିଛି। ଛାତ୍ରୀଛାତ୍ରମାନେ ନିଜ ଦକ୍ଷତା ପ୍ରଦର୍ଶନ କରି ନିଜେ ଉନ୍ନତ ହେବା ସହିତ ଗାଁର ଗର୍ବ ଗୌରବକୁ ବଢ଼ାଉଛନ୍ତି। ତୃତୀୟତଃ, ଅର୍ଥନୈତିକ ମାର୍ଗରେ ମଧ୍ୟ ଏହାର ପ୍ରଭାବ କିଛି କମ ନୁହେଁ। ସ୍କୁଲ ହେବା ପରେ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ଆଗମନ ହୁଏ, ଯାହା ଗ୍ରାମର ବ୍ୟବସାୟକୁ ଉତ୍ସାହିତ କରେ। ଛୋଟ ଛୋଟ ଦୋକାନ, ଚା ଦୋକାନ, ବହି ଖାତା ଦୋକାନ ଇତ୍ୟାଦି ଗଢ଼ିଉଠିଲା। ଏହା ଗ୍ରାମର ଅର୍ଥନୈତିକ ଅଭିବୃଦ୍ଧିକୁ କିଛିଟା ବଢ଼ାଇଲା। ଚତୁର୍ଥତଃ, ମହିଳା ଶିକ୍ଷାରେ ଏହା ଏକ ବିପ୍ଲବ ଆଣିଲା। ପୂର୍ବରୁ ଝିଅମାନେ ଦୂର ସ୍କୁଲକୁ ଯିବାକୁ ଭୟ କରୁଥିଲେ କିମ୍ବା ପରିବାର ଅନୁମତି ଦେଉ ନ ଥିଲା। ଅଭାବ ମଧ୍ୟ ଆଗକୁ ପଢ଼ିବାରେ ବାଧକ ଥିଲା। କିନ୍ତୁ ଗାଁରେ ଉଚ୍ଚ ବିଦ୍ୟାଳୟ ହେବାରୁ ସେମାନେ ସୁରକ୍ଷିତ ଭାବରେ ଘରେ ରହି ପଢ଼ିବାର ସୁଯୋଗ ପାଇଲେ। ଏହା ନାରୀ ଜାଗରଣ ଓ ସଶକ୍ତୀକରଣ ଦିଗରେ ଏକ ବଡ଼ ପ୍ରକାରାନ୍ତରେ ପଦକ୍ଷେପ କହିଲେ ଚଳେ।
ଶେଷରେ ଦେଖାଯାଏ, ଗାଁରେ ଏକ ଉଚ୍ଚ ବିଦ୍ୟାଳୟ ହେବା କେବଳ ଶିକ୍ଷାର ପ୍ରସାର ନୁହେଁ, ବରଂ ସମଗ୍ର ଅଞ୍ଚଳର ସାମଗ୍ରିକ ବିକାଶର ମୂଳ ଆଧାର ସାଜେ। ଶିକ୍ଷା ହେଉଛି ଜୀବନର ଆଲୋକ। ଏହା ଅଞ୍ଚଳକୁ ଅଜ୍ଞାନରୁ ଜ୍ଞାନରେ, ଅନ୍ଧକାରରୁ ଆଲୋକରେ ଓ ପଛୁଆପଣରୁ ଆଗକୁ ଆଣିଥାଏ। ଭଲ ମନ୍ଦ ବିଚାରର ଶକ୍ତି ଯୋଗାଏ। ବିଚାରରୁ ପକ୍ଷପାତିତା ଦୂର କରେ। ଜୀବନକୁ ଦିଗ୍‌ଦର୍ଶନ ଦିଏ। ଭବିଷ୍ୟତରେ ଭଲ ଭଲ ଚାକିରି ପାଇଁ ପ୍ରସ୍ତୁତ କରାଏ। ସାମାଜିକ ଓ ସାଂସ୍କୃତିକ ଜୀବନ ସମୃଦ୍ଧ ହୁଏ। ବିଦ୍ୟାଳୟକୁ କେନ୍ଦ୍ରକରି ବିଭିନ୍ନ ସାହିତ୍ୟ ସଭା, ସତ୍‌ସଙ୍ଗ, ଖେଳକୁଦ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ହୁଏ। ଏହା ଗ୍ରାମବାସୀଙ୍କ ମନରେ ଏକତା, ଭାଇଚାରା ଓ ସହଯୋଗର ଭାବନା ବଢ଼ାଇଥାଏ। ସଚେତନତାର ଅନୁଭବ ସଙ୍ଗେ ସଙ୍ଗେ ସ୍ବାସ୍ଥ୍ୟର ବିକାଶ ଶିକ୍ଷା ଜାଗ୍ରତ କରାଏ। ନାରୀ ସଶକ୍ତ ହୁଏ। ସମତାର ପଥ ସୁଗମ ହୁଏ। ସ୍ବଚ୍ଛତା, ପରିବେଶ ସୁରକ୍ଷା ଓ ସାମାଜିକ କୁସଂସ୍କାର ବିରୋଧରେ ଜନତା ସଚେତନ ହୁଅନ୍ତି। କୁସଂସ୍କାର ଓ ଅନ୍ଧବିଶ୍ୱାସ ଧୀରେ ଧୀରେ ଅପସରି ଯାଏ। ଏପରି ଭାବେ ବିଦ୍ୟାଳୟ କେବଳ ଶିକ୍ଷା ନୁହେଁ, ସାମଗ୍ରିକ ବିକାଶର ଭିତ୍ତି ସାଜେ।

ଭଗବାନ ଦାଶ
– ଗୁଣ୍ଡିଚା ବିହାର, ପୁରୀ
ମୋ:୮୨୪୯୦୮୨୪୦୦

Dharitri – Odisha’s No.1 Odia Daily

Share