Categories: ଖେଳ

ଫ୍ରେଞ୍ଚ୍‌ ଓପନରୁ ଓହରିଲେ ଓସାକା

ପ୍ୟାରିସ, ୧୯ା୯ (ଏପି)-ବାମ ଜଙ୍ଘ ସନ୍ଧିରେ ଆଘାତ ଲାଗିଥିବାରୁ ୟୁଏସ୍‌ ଓପନ ମହିଳା ସିଙ୍ଗଲ୍ସ ଚାମ୍ପିୟନ ନାଓମି ଓସାକା ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ପ୍ୟାରିସ୍‌ରେ ସେପ୍ଟେମ୍ବର ୨୭ରୁ ଫ୍ରେଞ୍ଚ ଓପନ୍‌ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଗତଥରର ଚାମ୍ପିୟନ ଆସ୍‌ଲେ ବାର୍ଟି ଏହି ଟୁର୍ନାମେଣ୍ଟରୁ ଓହରିଯାଇ ସାରିଛନ୍ତି। ଫ୍ରାନ୍ସରେ କରୋନା ଭାଇରସ୍‌ ମହାମାରୀ ଅବସ୍ଥା କ୍ରମେ ଖରାପ ଆଡକୁ ଗତି କରୁଥିବାରୁ ଏହି କ୍ଲେ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଆୟୋଜକଗଣ ପୁନର୍ବାର ଦର୍ଶକଙ୍କ ସଂଖ୍ୟା ହ୍ରାସ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ପ୍ୟାରିସ ପୋଲିସ ବିଭାଗ ପକ୍ଷରୁ ନୂଆ କଟକଣା ଜାରି କରାଯାଇଛି। ତଦନୁସାରେ ଦୈନିକ ୫,୦୦୦ ଦର୍ଶକଙ୍କ ଲାଗି ଅନୁମତି ରହିବ। ପୂର୍ବରୁ ରୋଲାଣ୍ଡ ଗ୍ୟାରୋସ୍‌ର ତିନୋଟି ଷ୍ଟାଣ୍ଡରେ ୧୧,୫୦୦ ଦର୍ଶକଙ୍କୁ ଭାଗ ଭାଗକରି ବସାଇବା ଲାଗି ଯୋଜନା ହୋଇଥିଲା। ଗତମାସରେ ନ୍ୟୁୟର୍କରେ ଅନୁଷ୍ଠିତ ଓ୍ବେଷ୍ଟର୍ନ ଆଣ୍ଡ୍‌ ସଦର୍ନ ଓପନ୍‌ରେ ବିଶ୍ୱର ୩ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଓସାକାଙ୍କ ଜଙ୍ଘ ସନ୍ଧିରେ ଆଘାତ ଲାଗିଥିଲା। ଏଥିପାଇଁ ଟୁର୍ନାମେଣ୍ଟର ଫାଇନାଲରୁ ତାଙ୍କୁ ଓହରିଯିବାକୁ ପଡ଼ିଥିଲା। ପରେ ୟୁଏସ୍‌ ଓପନ୍‌ରେ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଚଳିତ ବର୍ଷ ୟୁଏସ୍‌ ଓପନରେ ଭାଗ ନେଇପାରୁ ନ ଥିବାରୁ ତାଙ୍କ ପାଇଁ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

Share