ଲଗାଣ ବର୍ଷାରେ ବେହାଲ ଦିଗପହଣ୍ଡି: ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି, ଦୋକାନ-ବ୍ୟାଙ୍କରେ ନର୍ଦ୍ଦମା ଜଳ, ଜଳବନ୍ଦୀ ବସଷ୍ଟାଣ୍ଡ ବାସିନ୍ଦା

ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘନୀଭୂତ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି। ସହରର ବସଷ୍ଟାଣ୍ଡ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗତ ଦୁଇ ଦିନ ହେବ ବାସିନ୍ଦାମାନେ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି।

ବ୍ରହ୍ମପୁର-ଦିଗପହଣ୍ଡି ୧୭ ନମ୍ବର ରାଜ୍ୟ ରାଜପଥ, ଯାହା ଗଜପତି, ରାୟଗଡ଼ା, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ମାଲକାନଗିରି ସମେତ ଆନ୍ଧ୍ର, ଛତିଶଗଡ଼, ତେଲେଙ୍ଗାନା ଓ ମଧ୍ୟପ୍ରଦେଶକୁ ସଂଯୋଗ କରେ; ଏହି ପ୍ରମୁଖ ରାସ୍ତାର ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ ବୁଧବାର ସକାଳୁ ପ୍ରାୟ ୨ ଫୁଟ୍ ଉଚ୍ଚର ବର୍ଷାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ରାସ୍ତାକଡ଼ରେ ଥିବା ୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଏଟିଏମ୍, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ବହୁ ଲୋକଙ୍କ ଘରେ ଆଣ୍ଠୁଏ ଲେଖାଏ ଦୂଷିତ ନର୍ଦ୍ଦମା ପାଣି ପଶିଯାଇଛି।

ପରିସ୍ଥିତି ଜଟିଳ ହେବାରୁ ଅପରାହ୍ନରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ସନ୍ତୋଷ କୁମାର ସାହୁ, ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଏବଂ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଇ. ମନୋଜ କୁମାର ମହାରଣା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଏକ ହିଟାଚି ମେସିନ୍ ସାହାଯ୍ୟରେ ରାସ୍ତାକଡ଼ର ଜଣେ ବ୍ୟକ୍ତିଙ୍କ ଜମି ଦେଇ ଅସ୍ଥାୟୀ ନାଳ ଖୋଳି ଜଳନିଷ୍କାସନ ବ୍ୟବସ୍ଥା କରାଯାଇଛି।

ଏହି ସମ୍ପର୍କରେ ତହସିଲଦାରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସହରରେ ସୁଦୃଢ଼ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଚାଙ୍ଗୁଡ଼ିଦେଇ ପର୍ବତ ଓ ପାଖାପାଖି ୫ ଶହ ଏକର ଜମିର ବର୍ଷାଜଳ ଏହି ଅଞ୍ଚଳରେ ଜମା ହେଉଛି। ସ୍ଥାୟୀ ସମାଧାନ ପାଇଁ ଏକ ବୈଷୟିକ ଟିମ୍ ସହାୟତାରେ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଉଛି।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ସହର ସଂଲଗ୍ନ ପ୍ରାକୃତିକ ଜଳଉତ୍ସ, ସରକାରୀ ନାଳ, ଗୋଚର ଓ ଶାଖା କେନାଲଗୁଡ଼ିକୁ କିଛି ଜମି ମାଫିଆ, ପ୍ଲଟ୍ ବ୍ୟବସାୟୀ ଏବଂ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରି ଗୃହ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗଢ଼ିତୋଳିଛନ୍ତି। ଫଳରେ ବର୍ଷାଜଳ ନିଷ୍କାସିତ ହୋଇନପାରି କୃତ୍ରିମ ବନ୍ୟା ସୃଷ୍ଟି ହେଉଛି।

ପାଣି ଜମି ରହିବା ଦ୍ୱାରା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ କୂଅ ଓ ନଳକୂପ ଜଳ ଦୂଷିତ ହୋଇପଡ଼ିଛି। ବ୍ୟାଙ୍କ ସେବା ପାଇଁ ଆସୁଥିବା ଗ୍ରାହକ, କମ୍ପ୍ୟୁଟର ଶିକ୍ଷାର୍ଥୀ ଓ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସ୍ଥିତିର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଅପରାହ୍ନରେ ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ଏବଂ ସନ୍ଧ୍ୟାରେ ବ୍ରହ୍ମପୁର MP ଡ଼. ପ୍ରଦୀପ ପାଣିଗ୍ରାହୀ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ସେମାନେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ଜଳନିଷ୍କାସନକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଜୁନ୍ ୯ ତାରିଖରେ ୧୦ ନମ୍ବର ୱାର୍ଡ କାଉନସିଲର ଦୀପକ ମିଶ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିବା ବେଳେ ପ୍ରଶାସନ ସ୍ଥାୟୀ ସମାଧାନର ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ବି କୌଣସି ନିଶ୍ଚିତ ପଦକ୍ଷେପ ନିଆଯାଇ ନ ଥିବାରୁ, ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Share