ୟୁପିଏସ୍‌ସି ପରୀକ୍ଷାରେ ଓଡ଼ିଆଙ୍କ ଦୁର୍ବଳତା

ସହଦେବ ସାହୁ

 

ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ୩ୟ, ୫ମ, ୮ମ ଓ ୧୦ମ ଶ୍ରେଣୀ ପିଲାଙ୍କ ଉପରେ କରିଥିବା ଅନୁଶୀଳନମୂଳକ ପରୀକ୍ଷାର ଫଳରୁ ସମ୍ପ୍ରତି ଦେଖାଇଛନ୍ତି ଯେ ଓଡ଼ିଆ ପିଲାମାନେ ଓଡ଼ିଆରେ ଦୁର୍ବଳ। ତାହାର ପ୍ରଭାବ ୟୁନିୟନ ପବ୍ଲିକ୍‌ ସର୍ଭିସ୍‌ କମିଶନ(ୟୁପିଏସ୍‌ସି)ର ସିଭିଲ ସର୍ଭିସେସ୍‌ ପରୀକ୍ଷାରେ ପଡୁଛି। ସାଙ୍ଗିଆ ଉଣ୍ଡି ଆମେ ପରୀକ୍ଷାଫଳରୁ ଓଡ଼ିଶା ପିଲା ଖୋଜୁ, ଓଡ଼ିଆଭାଷୀ ଖୋଜୁନା। ‘ଓଡ଼ିଆ’ ପିଲାଙ୍କ ବିଫଳତାର କାରଣ ଓଡ଼ିଆ ଭାଷାରେ ଦୁର୍ବଳତା। ଦେଶର ଲୋକସଂଖ୍ୟା ୧୩୫କୋଟିରୁ ଓଡ଼ିଶାର ସାଢ଼େଚାରି କୋଟି। ତେଣୁ ଦେଶଯାକର ୧୩୦୦ରୁ ଊର୍ଦ୍ଧ୍ୱ ନିଯୁକ୍ତି ପାଇଲେ ଅତି କମ୍‌ରେ ୫୨ ଜଣ ଓଡ଼ିଶାବାସୀ ପାଇବା କଥା; କେବଳ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ୩ଟି ସେବା ପାଇଁ ୪୦୦ଭିତରୁ ୧୪ ପାଇବା କଥା, କିନ୍ତୁ ପାଞ୍ଚ ସାତ ପାଇବା କଷ୍ଟ ହେଉଛି; ଏସବୁର କାରଣ ଓଡ଼ିଆ ଭାଷା ପ୍ରତି ସରକାରୀ ଉଦାସୀନତା। ଭାଷାଭିିତ୍ତିକ ପ୍ରଦେଶ ହେବାର ୧୦୦ବର୍ଷ ପୂରିବ ଆଉ ୧୪ବର୍ଷରେ, ଆମ ପିଲାଏ ସେତେବେଳକୁ ଓଡ଼ିଆକୁ ମାତୃଭାଷା ବୋଲି ଲେଖିବେ ତ! ସରକାର ଲୋକଙ୍କ ଭାଷାରେ ଚାଲିବା ଦରକାର ବୋଲି ଏକ ଦଶନ୍ଧି ହେଲା ସବୁ ନିଯୁକ୍ତି ପରୀକ୍ଷାରେ ପ୍ରାଦେଶିକ ଓ ଆଞ୍ଚଳିକ ଭାଷାକୁ ବାଧ୍ୟ ଅଙ୍ଗ କରିପକାଇଛନ୍ତି। ସରକାରୀ ଭାଷା ଭାବରେ ଘୋଷଣାକରି ସେପରି ବ୍ୟବହାର ନ କରିବା ଯୋଗୁ ଭାଷା ଓ ଭାଷାସାହିତ୍ୟ ଶିକ୍ଷାରେ ଅବହେଳା ବଢୁଛି ଏବଂ ଅଧ୍ୟାପକ ଓ ପରୀକ୍ଷକମାନେ ଓଡ଼ିଆ ଲେଖା ଦେଖିଲେ ମାର୍କ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ଅର୍ଥାତ୍‌ ସରକାର ହିଁ ଓଡ଼ିଆ ଭାଷାରେ ଉତ୍କର୍ଷ ଆଣିବା ପାଇଁ ପରିବେଶ ତିଆରି କରୁନାହାନ୍ତି।
ୟୁପିଏସ୍‌ସି ସିଭିଲ ସର୍ଭିସେସ୍‌ ପରୀକ୍ଷା ୩ଟି ପର୍ଯ୍ୟାୟରେ ହୁଏ, ପ୍ରିଲିମିନାରି ଓ ମେନ୍‌ସ ପରୀକ୍ଷା ଏବଂ ପର୍ସନାଲିଟି ଟେଷ୍ଟ। ପ୍ରିଲିମିନାରି ପରୀକ୍ଷାରେ ଦୁଇଟି ପେପର୍‌, ୨ ଘଣ୍ଟାରେ ସାରିବାକୁ ୨୦୦ମାର୍କର ୧୦୦ଟି ପ୍ରଶ୍ନ ୧ମ ପ୍ରଶ୍ନପତ୍ରରେ ଥିବ ତ ୮୦ଟି ପ୍ରଶ୍ନ ୨ୟ ପତ୍ରରେ ଥିବ। ଦୁଇଟି ଯାକ ଘଟଣାଭିିତ୍ତିକ (ଅବ୍‌ଜେକ୍ଟିଭ୍‌), ଜାଣିଥିଲେ (ମନରୁ ନୁହଁ) ଉତ୍ତର ଦିଅ, ଭୁଲ୍‌ ଉତ୍ତର ଦେଲେ ମାର୍କ ତ ମିଳିବ ନାହିଁ ବରଂ ଏକତୃତୀୟାଂଶ ମାର୍କ ଊଣା କରାଯିବ, ଅନ୍ୟ ଉତ୍ତରରେ ମିଳିଥିବା ମାର୍କରୁ କାଟିଦିଆଯିବ। ନ ଜାଣିଥିଲେ ପ୍ରଶ୍ନଟିକୁ ଛାଡ଼ି ଦେଇ ଅନ୍ୟ ପ୍ରଶ୍ନକୁ ଯିବା ଭଲ। ଛାଙ୍କିବା (କ୍ୱାଲିଫାଇଂ) ପାଇଁ ଏ ପରୀକ୍ଷା – ପେପର ୨ରେ ୧୦ମ ଶ୍ରେଣୀ ସ୍ତରୀୟ ବୁଦ୍ଧି ପରୀକ୍ଷା (ଆପ୍ଟିଚ୍ୟୁଡ୍‌ ଟେଷ୍ଟ), ସେଥିରେ ୮୦ଟି ପ୍ରଶ୍ନରେ ୨୦୦ ମାର୍କ ବହନ କରୁଛି। ଅତି କମ୍‌ରେ ୩୩% (୬୬) ମାର୍କ ନ ରଖିଲେ ପ୍ରାର୍ଥୀ ପରବର୍ତ୍ତୀ ପରୀକ୍ଷାରୁ ବଞ୍ଚିତ (ଫେଲ୍‌) ହେବ। ଯଦି ୬୬ ବା ଅଧିକ ପାଇଲା ତେବେ ୧ମ ପେପରର ମୂଲ୍ୟାୟନ ହେବ, ୧ମ ପେପରରେ ସାଧାରଣ ପାଠ ଓ ଜ୍ଞାନର ପରୀକ୍ଷା। ତହିଁରେ ଯେତେ ପାଅ ନା କାହିଁକି ପୂରଣ କରିବାକୁ ଥିବା (ଭାକାନ୍ସି) ଚାକିରି ସଂଖ୍ୟାର ପ୍ରାୟ ୧୩ ଗୁଣ ଭିତରେ ରହିଲେ ହିଁ ପ୍ରିଲିମିନାରି ପାସ୍‌ ବୋଲି ଧରାଯିବ, ମେନ୍‌ସ ପରୀକ୍ଷା ଦେବାକୁ ଅନୁମତି ମିଳିବ।
ଯଦି କେନ୍ଦ୍ର ସରକାର ଭିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ସ୍ତରର ଚାହିଦା ଅନୁଯାୟୀ ୧୩୦୦ ଚାକିରି ଚାହାନ୍ତି ୟୁପିଏସ୍‌ସି ତାହାର ୧୨ କି ୧୩ ଗୁଣ ପ୍ରାର୍ଥୀକୁ ଅର୍ଥାତ୍‌ ୧୪,୩୦୦ ପାଖାପାଖି ପିଲାଙ୍କୁ ମେନ୍‌ସ ପରୀକ୍ଷା ଦେବାକୁ ଡାକିବ। ପ୍ରାରମ୍ଭିକ ପରୀକ୍ଷାର୍ଥୀ ଆଠ ନଅ ଲକ୍ଷ ହୋଇଥିଲେ ବି! ପ୍ରିଲିମିନାରିରେ ପିଲାର ପର୍ଯ୍ୟବେକ୍ଷଣଜନିତ ଜ୍ଞାନ, ସ୍କୁଲ କଲେଜରେ ପଢ଼ା ବହି ଛଡ଼ା ବିଶ୍ୱ ବିଷୟରେ ଅ ଠାରୁ କ୍ଷ ଯାଏ ଜ୍ଞାନର ପରୀକ୍ଷା। ଏହି କାରଣରୁ ୟୁପିଏସ୍‌ସି ପରୀକ୍ଷା ପାଇଁ +୨ ପରଠାରୁ ଦୁନିଆଯାକର ଖବର ରଖିବା ଓ ତା’ ଉପରେ ମତାମତ ତିଆରି କରିବା ଆବଶ୍ୟକ; ଏଥିଲାଗି କ୍ରମବର୍ଦ୍ଧିଷ୍ଣୁ ବର୍ଣ୍ଣାନୁକ୍ରମିକ ଟିପାଖାତା (ନୋଟ୍‌ ବୁକ୍‌) +୨ବେଳଠୁ ୟୁପିଏସ୍‌ସି ପରୀକ୍ଷା ଯାଏ ତିଆରି କରିନେବା ଦରକାର, ଯେମିତି କମ୍ପ୍ୟୁଟରରେ ପେନ୍‌ଡ୍ରାଇଭ୍‌ ଭଳି ଦରକାର ପଡ଼ିଲେ ବା ମନେପକାଇବାକୁ ଯାହା ଚାହୁଁଛ ତା’ ପାଇପାରିବ; ଯଦି କୌଣସିଟା ନାହିଁ ବିଶ୍ୱର ସବୁଠାରୁ ବଡ଼ ପାଠାଗାର ଇଣ୍ଟରନେଟ୍‌ ଭିତରେ ଖୋଜିନିଅ ଓ ତାକୁ ଟିପାଖାତାରେ ଲେଖିରଖ।
ଯଦି ପ୍ରାର୍ଥୀ ଫର୍ମ ପୂରଣ କଲାବେଳେ ସେ ସମ୍ବିଧାନର ୮ମ ସିିଡ୍ୟୁଲରେ ସ୍ଥାନିତ ଭାରତୀୟ ଭାଷାରେ (ଆମ କ୍ଷେତ୍ରରେ ଓଡ଼ିଆରେ, ଏପରି କି ମୟୂରଭଞ୍ଜର ପିଲା ସାନ୍ତାଳୀ ବା ଅଲିଚିକିରେ) ଲେଖିବ ବୋଲି ଜଣାଇଥିବ ସେ ତାହା କରିପାରେ; ଇଂରାଜୀ ପେପର ଛଡ଼ା ଆଉ ସବୁ ପେପରକୁ ତା’ ଭାଷାରେ ଲେଖିପାରେ। ତେଣୁ ଗାଁ ଗହଳର ଇଂରାଜୀ ଅନଭିଜ୍ଞ ପିଲା ସମ୍ବିଧାନ-ସମ୍ମତ ନିଜ ଭାଷାରେ ଉତ୍ତର ଦେଇପାରିବ: ଏ ପ୍ରକାର ଉତ୍ତରଖାତା ଦେଖି ଓଡ଼ିଆ ବା ସମ୍ପୃକ୍ତ ଭାଷାର ପରୀକ୍ଷକମାନେ ଗର୍ବ କରିବା କଥା। ସେମାନେ ଯଦି ଓଡ଼ିଆ ଭାଷାରେ ଲେଖାକୁ ନାପସନ୍ଦ କରିବେ ତ ଆମ ପିଲା ଫେଲ୍‌, ସେହି ଡରରେ ଆମ ପିଲାଏ ଇଂରାଜୀରେ ବାଧ୍ୟ ହୋଇ ଲେଖୁଛନ୍ତି। କିନ୍ତୁ ବହୁତ ହିନ୍ଦୀଭାଷୀ ଭାଷାର ଲାଭ ଉଠାଉଛନ୍ତି।
ପ୍ରିଲିମିନାରି ପାର ହେଲେ ପିଲା ଦେଖିବ ମେନ୍‌ସ ପରୀକ୍ଷା କଥା: ଏଥିରେ ୯ଟି ପେପର, ପ୍ରଥମ ୨ଟି ଏ ଓ ବି: ଇଂରାଜୀ ଓ ଭାରତୀୟ ଭାଷା (ଆମ କ୍ଷେତ୍ରରେ ଓଡ଼ିଆ, ମୟୂରଭଞ୍ଜର ଜଣେ ଭଲ ପଢୁଥିବା ଆଦିବାସୀ ପିଲା ସାନ୍ତାଳୀ ବା ଅଲିଚିକି ଅକ୍ଷରରେ ଉତ୍ତର ଲେଖିପାରିବ)। ମୋଟ ମାର୍କ ୩୦୦, ତହିଁରୁ ୧୦୦ ମାର୍କର ପ୍ରବନ୍ଧ, ୬୦ ମାର୍କର ପଢ଼ିବୁଝିବା (ରିଡିଂ କମ୍ପ୍ରେହେସନ୍‌), ୬୦ ମାର୍କର ସଂକ୍ଷିପ୍ତୀକରଣ (ପ୍ର୍ରେସି ରାଇଟିଂ), ୪୦ ମାର୍କର ୨ଟି ଅନୁଚ୍ଛେଦର ଅନୁବାଦ, ପ୍ରତ୍ୟେକ ୨୦ ମାର୍କବାଲା, ଗୋଟିଏ ଇଂଲିଶରୁ ଓଡ଼ିଆକୁ ଓ ଅନ୍ୟଟି ଓଡ଼ିଆରୁ ଇଂଲିଶକୁ, ୪୦ ମାର୍କର ଓଡ଼ିଆ ବ୍ୟାକରଣ: ଏ ସବୁ ହାଇସ୍କୁଲ ସ୍ତରର ପାଠ। କିନ୍ତୁ ଆମ ଓଡ଼ିଆ ପ୍ରଶ୍ନପତ୍ରର ପରୀକ୍ଷକ-ଅଧ୍ୟାପକମାନେ ବଡ଼ କୁଣ୍ଠିତ ୭୫ (ପାସ୍‌) ମାର୍କ ଦେବାକୁ! ଦ୍ୱାରବନ୍ଧ ହୁଡ଼ିଲେ ପିଲା ଘରେ (ଆଇଏଏସ୍‌ରେ) ପଶିବ କେମିତି! ଏ ଓ ବି ୨ଟିରୁ ଗୋଟିକରେ ବି ଫେଲ୍‌ ମାନେ ପ୍ରାର୍ଥୀର ଅନ୍ୟ ଉତ୍ତର ଖାତା ଦେଖାଯିବ ନାହି, ସେ ଫେଲ୍‌। ଯଦି ୭୫ରୁ ବେଶି ମାର୍କ ରଖିଥିବା ପିଲାର ଅନ୍ୟ ୭ଟି ପେପର ଦେଖାଯିବ। ୧ମ ପେପର ପ୍ରବନ୍ଧ, ତା’ ଓଡ଼ିଆରେ ଲେଖିହେବ, ଓଡ଼ିଆରେ ଭାବି ଇଂଲିଶରେ ଲେଖିବାଠାରୁ ଓଡ଼ିଆରେ ପ୍ରବନ୍ଧଟି ଲେଖିବା ଭଲ ହେବ ନାହିଁ କି? ଶେଷ ୨ଟି ଅପ୍ସନାଲ (ଇଚ୍ଛାଧୀନ) ପେପର, ଯାହା କଲେଜ-ପାଠରୁ ନିଆଯାଇପାରେ ବା ଭଲ ମନେରହୁଥିବା, ବୁଝିହେଉଥିବା ବିଷୟ ନିଆଯାଇପାରେ। ଅନ୍ୟ ଇଚ୍ଛାଧୀନ ପେପରଟି ଓଡ଼ିଆ ଭାଷା ଓ ଭାଷାସାହିତ୍ୟ ହୋଇପାରେ – ଆମ ପିଲାଏ ଓଡ଼ିଆ ଭାଷା ସାହିତ୍ୟ ନେଲେ ଉତ୍ତରଖାତା ଓଡ଼ିଶା ଆସିବ। ଆଉ ୪ଟି ପେପର ସାଧାରଣ ଜ୍ଞାନ ବିଜ୍ଞାନର ବିଷୟ, ଅ ରୁ କ୍ଷ ଯାଏ ବିଷୟ, ଯେଉଁଥିପାଇଁ ଆଗରୁ ମୁଁ କହିଥିବା ଟିପାଖାତା ବିଶ୍ୱକୋଷ ଭଳି ବେଶ୍‌ ସହାୟକ ହେବ। ବିଷୟଗୁଡ଼ିକ ହେଉଛି: ଜାତୀୟ ଐତିହ୍ୟ ଓ ସଂସ୍କୃତି, ଆନ୍ତର୍ଜାତିକ ସ୍ତରର ସାମ୍ପ୍ରତିକ ଘଟଣାବଳୀ; ସମାଜର ଓ ବିଶ୍ୱର ଭୂଗୋଳ; ଭାରତୀୟ ରାଜନୈତିକ ବ୍ୟବସ୍ଥା (ପଲିଟି) ଓ ପ୍ରଶାସନ; ଅର୍ଥନୈତିକ ଓ ସାମାଜିକ ବିକାଶ; ଟେକ୍ନୋଲୋଜି, ପରିବେଶ, ଜୈବ ବିବିଧତା ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସାଧାରଣ ସମସ୍ୟା; ନୈତିକତା, ନିଷ୍ଠା, ଆଗ୍ରହ (ଆପ୍ଟିଚ୍ୟୁଡ୍‌) ଆଦି। ଯେଉଁଥିରେ ଓଡ଼ିଆରେ ଉତ୍ତର ଦେଇହେବ; ବର୍ଣ୍ଣନା ହିଁ ଦରକାର; ବ୍ୟାକରଣ, ବନାନ ଶୁଦ୍ଧି ବା ବିଶେଷ ଜ୍ଞାନର ଦରକାର ନାହିଁ।
ଓଡ଼ିଆରେ ମାର୍କ ଦେବାରେ କୁଣ୍ଠାବୋଧ ମେନ୍‌ସ ପରୀକ୍ଷାକୁ ପ୍ରବେଶ କରିବାରେ ଯେମିତି ବାଧା ଦିଏ, ପ୍ରିଲିମିନାରିରେ ପାରହୋଇ ମେନ୍‌ସ ପରୀକ୍ଷାରେ ପ୍ରବେଶ କରିଥିବା ପିଲା ଯଦି ପେପର ଏ ଓ ବି ମଧ୍ୟରୁ ଓଡ଼ିଆରେ ଫେଲ୍‌ ହେଲା ତା’ର ଅନ୍ୟ ଉତ୍ତରଖାତାଗୁଡ଼ିକ ଦେଖାଯାଏ ନାହିଁ, ତେଣୁ ସେ ଫେଲ୍‌। ଲକ୍ଷ୍ୟ କରନ୍ତୁ – ଓଡ଼ିଶାରୁ ୟୁପିଏସ୍‌ସି ପରୀକ୍ଷାରେ ସଫଳ ହୋଇଥିବା କେତେକ ପିଲା ଓଡ଼ିଆ ବଦଳରେ ହିନ୍ଦୀ ନେଉଛନ୍ତି। ସାରା ଭାରତରେ ଏ ପରୀକ୍ଷାରେ ହିନ୍ଦୀଭାଷୀ ସବୁଠୁ ବେଶି ସଫଳ, ତା’ ତଳକୁ ତାମିଲ୍‌, ମାଲୟାଲମ୍‌ ଭାଷୀଙ୍କ ସଂଖ୍ୟା। ଆମେ ତଳେ, ଏହାର କାରଣ ଭାଷା ପ୍ରତି ଆମ ରାଜ୍ୟରେ ଅନାଦର!
sahadevas@yahoo.mail


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri