ଓଡ଼ିଆ ଅସ୍ମିତାର ପ୍ରଶ୍ନ

ଅମାତ୍ୟ କୁମାର ପ୍ରଧାନ

ଡିସେମ୍ବର ତୃତୀୟ ସପ୍ତାହରେ ଓଡ଼ିଆ ଅସ୍ମିତାର ବିଭିନ୍ନ ବିଷୟ ଉପରେ ଯେଉଁସବୁ ପ୍ରସଙ୍ଗ ଉତ୍ଥାପନ କରାଯାଇଛି ତାହା ଯେ କୌଣସି ସଚେତନ ଓଡ଼ିଶାବାସୀଙ୍କ ମନକୁ ଆନ୍ଦୋଳିତ କରିବ। ଉଠାଯାଇଥିବା ପ୍ରଶ୍ନର ଅନ୍ତରାଳରେ ଥିବା ମୂଳ ତତ୍ତ୍ୱର ଅନୁଶୀଳନ ବର୍ତ୍ତମାନର ଆବଶ୍ୟକତା। ଓଡ଼ିଶା ଅସ୍ମିତାର ସାଂସ୍କୃତିକ, ଆର୍ଥିକ, ଜୀବନ ଜୀବିକା, ଭାଷା ଓ କଳା ସମ୍ବଳିତ ବିଷୟ ଉପରେ ଅନେକଗୁଡ଼ିଏ ମୌଳିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବା ପାଇଁ ଏହା ଖୋରାକ ଯୋଗାଇଛି।
ଆମେ ସମସ୍ତେ ଅବଗତ ଯେ ୧ ଏପ୍ରିଲ ୧୯୩୬ ମସିହାରେ ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହିସାବରେ ଗଠନ ହେଲା। ସେ ସମୟର ପ୍ରଚଣ୍ଡ ସ୍ବାଭିମାନୀ ଲଢୁଆ ତଥା ବଳିଷ୍ଠ ନେତୃତ୍ୱର ଅଧିକାରୀ ତତ୍କାଳୀନ ଭୌଗୋଳିକ ପରିସୀମା ଅନ୍ତର୍ଗତ ସବୁ କୋଣରୁ ବୀର ବରପୁତ୍ରମାନେ ଯଥା ପୂର୍ବ ଓଡ଼ିଶାର ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍ତର ଓଡ଼ିଶାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଦକ୍ଷିଣ ଓଡ଼ିିଶାର ହରିହର ପଣ୍ଡା, ବ୍ରଜସୁନ୍ଦର ଦାସ, ପଶ୍ଚିମ ଓଡ଼ିଶାର ମଦନ ମୋହନ ମିଶ୍ର, ବଳଭଦ୍ର ସୂପକାରଙ୍କ ଆପ୍ରାଣ ଉଦ୍ୟମ ଫଳରେ ଜନ୍ମ ନେଇଥିଲା ଆଜିର ଓଡ଼ିଶା। କହିବା ବାହୁଲ୍ୟ ଯେ, ଉତ୍କଳ ସମ୍ବିଳନୀ ଆନୁକୂଲ୍ୟରେ ରାଜ୍ୟ ଗଠନର ବିନ୍ଧାଣୀମାନେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ସମବେତ ହୋଇ ମିଳିତ ସ୍ବର ଉତ୍ତୋଳନ କରିଥିଲେ। ସେହି ସମୟର ପ୍ରସିଦ୍ଧ କବି, ଲେଖକ ଯଥା- ଗଙ୍ଗାଧର ମେହେର, ରାଧାନାଥ ରାୟ, ମଧୁସୂଦନ ଦାସ ପ୍ରମୁଖଙ୍କ ସ୍ବାଧୀନଚେତା ଲେଖନୀ ଏହି ଆନ୍ଦୋଳନକୁ ଇନ୍ଧନ ଯୋଗାଇବାରେ ସହାୟକ ହୋଇଥିଲା।
ସେହିଭଳି ଭାରତୀୟ ସ୍ବାଧୀନତା ସଂଗ୍ରାମରେ ମଧ୍ୟ ଓଡ଼ିଶାର ଯୋଗଦାନ ଅତୁଳନୀୟ। ସେହି ସମୟର ସ୍ବାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ପୂର୍ବ ଓଡ଼ିଶାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ହରେକୃଷ୍ଣ ମହତାବ, ସୁନ୍ଦରଗଡ଼ ଉପାନ୍ତ ଅଞ୍ଚଳର ବିର୍ସା ମୁଣ୍ଡା, ଢେଙ୍କାନାଳର ବାଜି ରାଉତ, ଖୋର୍ଦ୍ଧାର ବକ୍ସି ଜଗବନ୍ଧୁ, ପୁରୀର ଚାଖି ଖୁଣ୍ଟିଆ, ଜୟୀ ରାଜଗୁରୁ, ଦକ୍ଷିଣ ଓଡ଼ିଶାର ଲକ୍ଷ୍ମଣ ନାୟକ, ବିଜୁ ପଟ୍ଟନାୟକ, ପଶ୍ଚିମ ଓଡ଼ିଶାର ବୀର ସୁରେନ୍ଦ୍ର ସାଏ, ମାଧୋ ସିଂଙ୍କ ପରିବାର, ନାରୀ ନେତ୍ରୀ ମାଳତୀ ଦେବୀ, ପାର୍ବତୀ ଗିରି, ରମା ଦେବୀ ପ୍ରମୁଖଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ।
ଦୁର୍ଭାଗ୍ୟ ହେଲା ଭାରତ ସ୍ବାଧୀନତା ପରେ ଅନ୍ୟ ରାଜ୍ୟ ସବୁ ଯଥା ହିନ୍ଦୀ ଭାଷାଭାଷୀ ଅଞ୍ଚଳ ନିଜ ଭାଷାକୁ କେତେ ଶିଖରକୁ ନେଇଗଲେ। ବଙ୍ଗଳା ଭାଷା ଆଜି କେତେ ପରିପୁଷ୍ଟ, ଯେଉଁ ରାଜ୍ୟରେ କି ରବୀନ୍ଦ୍ରନାଥ ଟାଗୋର ନୋବେଲ ପୁରସ୍କାର ପାଇଲେ । ବଙ୍ଗଳା ସାହିତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ ସେମାନଙ୍କ ଆପ୍ରାଣ ଉଦ୍ୟମ ଆମମାନଙ୍କଠାରୁ କେତେ ଆଗରେ। ଅନ୍ୟପକ୍ଷରେ ଇଂଲିଶ ଭାଷାକୁ ନିଜର ଅଭିବ୍ୟକ୍ତିର ମାଧ୍ୟମ କରିଥିବା ଅନ୍ୟ କେତେକ ଅଞ୍ଚଳ ହିନ୍ଦୀକୁ ନିଜ ଉପରେ ଆରୋପିତ ନ କରିବା ପାଇଁ ଆନ୍ଦୋଳନ କରିଛନ୍ତି ଓ ସଫଳ ମଧ୍ୟ। କିନ୍ତୁ ଭାଷାଭିତ୍ତିରେ ଗଠିତ ଓଡ଼ିଶା ପ୍ରଦେଶର ୮୪ ବର୍ଷ ବିତିବା ପରେ ଆମେ ଉପର ବର୍ଣ୍ଣିତ ବୀରମାନଙ୍କ ଉତ୍ତର ଦାୟାଦ ହିସାବରେ ଆମ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ କେତେଦୂର ଆଗେଇନେଇଛୁ ବା ଆଗେଇନେବାରେ ପ୍ରଚେଷ୍ଟା କରୁଚୁ ? ଯଦି ଆମ ପୂର୍ବ ପୁରୁଷମାନେ ଉପନିବେଶବାଦୀ ଇଂରେଜ ସରକାରଙ୍କ ବିରୋଧରେ ସାମୂହିକ ସଂଗ୍ରାମ କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିପାରିଲେ, ନିଜ ଦ୍ୱାରା ଚୟନ କରାଯାଇଥିବା(ଯେକୌଣସି ଦଳ ହୁଅନ୍ତୁ) ଭାରତ ସରକାରଙ୍କଠାରୁ ଓଡ଼ିଆ ଅସ୍ମିତାରେ ପ୍ରସଙ୍ଗ ଉଠାଇବାରେ ବା ହାସଲ କରିବାରେ ପଛଘୁଞ୍ଚା କାହିଁକି? ମାତୃଭାଷା ହିଁ ଶିକ୍ଷଣ ଓ ଅଭିବ୍ୟକ୍ତିରେ ମୂଳପିଣ୍ଡ କହିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ୟୁପିଏସ୍‌ସି ଅନ୍ୟ ଭାଷାରେ ପରୀକ୍ଷା ହେଉଥିବା ବେଳେ ଓଡ଼ିଆ ଭାଷାରେ ପରୀକ୍ଷା କାହିଁକି ନୁହେଁ ?
ସେହିଭଳି ଜାତୀୟ ସ୍ତରରେ ଗଙ୍ଗାନଦୀକୁ ପବିତ୍ରତାର ସଂକେତ ହିସାବରେ ପ୍ରତିଷ୍ଠିତ କରିବାରେ ସଫଳ ଓ ଆମେ ମଧ୍ୟ ଗଙ୍ଗା ନଦୀରେ ବୁଡ଼ ପକାଇବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୁଏ ବୋଲି ସମ୍ପୂର୍ଣ୍ଣ ବିଶ୍ୱାସ କରୁ। ଗଙ୍ଗାଜଳକୁ ସିଞ୍ଚନ ଦ୍ୱାରା ଆମ ଘର ଦ୍ୱାର ତଥା ବିଭିନ୍ନ ସ୍ଥାନ ପବିତ୍ର ହେବାର ଧାରଣା ରଖିଥିବାବେଳେ ଆମ ଓଡ଼ିଶାର ଜୀବନ ରେଖା ‘ମହାନଦୀ’ ଓ ଅନ୍ୟାନ୍ୟ ନଦୀକୁ ନେଇ ଆମେ କେତେ ଗର୍ବିତ। ଓଡ଼ିଶାର ଅଧାରୁ ଅଧିକ ଜିଲାକୁ ନିଜର ପବିତ୍ର ଜଳରେ ପ୍ଲାବିତ କରି ସମ୍ପୃକ୍ତ ଅଞ୍ଚଳର ଜନଜୀବନର ଅର୍ଥନୀତି, ସଂସ୍କୃତି, ଉଦ୍ଭିଦ ସମୂହ ତଥା ସମ୍ପୃକ୍ତ ଅଞ୍ଚଳ ପରିବେଶ ଓ ପ୍ରାଣୀ ସମୂହର ଜୀବନଯାପନର ଶୈଳୀକୁ ପ୍ରଭାବିତ କରିବାରେ ମହାନଦୀ ସହ ଅନ୍ୟାନ୍ୟ ନଦୀ ସମର୍ଥ ତା’ ପ୍ରତି ଆମେ କେତେ କୃତଜ୍ଞ।
ହିନ୍ଦୁ ଧର୍ମ ଓ ସଂସ୍କୃତିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କ ସ୍ଥାନ ସର୍ବ ଭାରତୀୟ କ୍ଷେତ୍ରରେ କେତେ ଉଚ୍ଚରେ ସେହିଭଳି ଶ୍ରୀକୃଷ୍ଣଙ୍କ ଖେଳା ଲୀଳା ସମସ୍ତ ଘରେ ଅନୁଭୂତ । ହିନ୍ଦୁ ଧର୍ମାବଲମ୍ବୀ ଆବାଳ ବୃଦ୍ଧ ବନିତା ରାମଚରିତ ଓ କୃଷ୍ଣଲୀଳା ସହିତ ଅବଗତ, କିନ୍ତୁ ଓଡ଼ିଶାର ଆରାଧ୍ୟ ଦେବତା ଆମ ବଡ଼ ଠାକୁର ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଆମେ କେତେ ସଚେତନ? ଆମେ ଓଡ଼ିଆ ହିସାବରେ ତଥା ଜଗନ୍ନାଥ ସଂସ୍କୃତିର ଦାୟାଦ ହିସାବରେ ଗର୍ବ କରିବା କଥା ଯେ ଆମ ପ୍ରଭୁ କେବଳ ଓଡ଼ିଶାର ନୁହନ୍ତି ବରଂ ସାରା ଜଗତର। ଧର୍ମନିରପେକ୍ଷତାର ଚଳନ୍ତି ପ୍ରତିମା ଭକ୍ତ ସାଲବେଗ ଓ ଦାସିଆ ବାଉରୀଙ୍କୁ ଛାଡ଼ି ଯାହାଙ୍କ କଳ୍ପନା ଅସମ୍ପୂର୍ଣ୍ଣ। ଏହି ବୀର ଜାତି ଖ୍ରୀଷ୍ଟପୂର୍ବ ୨୬୧ରେ କଳିଙ୍ଗ ଯୁଦ୍ଧ ଲଢ଼ି ଚଣ୍ଡାଶୋକକୁ ଧର୍ମାଶୋକରେ ପରିବର୍ତ୍ତନ କରିବା ସାମର୍ଥ୍ୟ ରଖିଥିଲା, ଆଜି ଆମେ କେଉଁଠି ?
ପାରମ୍ପରିକ ଉତ୍କୃଷ୍ଟ ଖାଦ୍ୟ ଓ ବ୍ୟଞ୍ଜନରେ ମଧ୍ୟ ଓଡ଼ିଶାର ଉତ୍କର୍ଷତା ସର୍ବୋପରି। ଏ କ୍ଷେତ୍ରରେ ଯଦି ଅନୁଧ୍ୟାନ କରିବା ଆମେ ଜାଣିପାରିବା ଯେ କିଛି ଅଞ୍ଚଳର ପାରମ୍ପରିକ ଜଳଖିଆ ଯଥା ଇଡ୍‌ଲି ଓ ଦୋଷାକୁ ସାରା ଭାରତବର୍ଷର ପ୍ରାତଃ ଭୋଜନର ଅନିବାର୍ଯ୍ୟ ତାଲିକାଭୁକ୍ତ କରିବାରେ ସମର୍ଥ। ଆଉ ଗୋଟିଏ ଅଞ୍ଚଳର ଢୋକଳା, ଥେପଲା ଇତ୍ୟାଦି ବ୍ୟଞ୍ଜନକୁ ସାରା ଭାରତ କାହିଁକି ବିଶ୍ୱସ୍ତରରେ ପରିଚିତ କରାଇବାରେ ସଫଳ କିନ୍ତୁ ଆମ ପାରମ୍ପରିକ ବ୍ୟଞ୍ଜନ ଯଥା ଆରିସା, କାକରା, ଚକୁଳି ପିଠାକୁ ଆମେ ପ୍ରସାରିତ କରିବା ତ ଦୂରର କଥା ଏହାକୁ ବ୍ୟବହାର କରିବାରେ ଆମର ହୀନମନ୍ୟତା ସ୍ବତଃ ପ୍ରତୀୟମାନ ହୁଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆରିସା, କାକରା ଇତ୍ୟାଦି ଆମ ଓଡ଼ିଶାର ପାରମ୍ପରିକ ବ୍ୟଞ୍ଜନ ନିର୍ଦ୍ଦିଷ୍ଟ ସମୟରେ ଅବଧି ଭିତରେ ଖାଇବା ବୈଧତା (expiry) ନ ଥାଏ। ଆମେ ନିଜ ନିଜ ଅଞ୍ଚଳର ଯଥା ଢେଙ୍କାନାଳର ବରା, ମୟୂରଭଞ୍ଜର ମୁଢି ମାଂସ, ନିମାପଡାର ଛେନା ଝିଲି, ଓଡ଼ିଆ ରସଗୋଲା, ଛେନାପୋଡ଼, ପୁରୀର ଖଜା (ଜଗନ୍ନାଥଙ୍କ ଶୁଖିଲା ପ୍ରସାଦ), ସୁନ୍ଦରଗଡର ଠେଟିରିକୁ ନେଇ ଆହୁରି ପ୍ରଚାର ପ୍ରସାର ତଥା ବ୍ୟବସାୟ କରାଯାଇପାରନ୍ତା, ତାକୁ ନେଇ ଆମେ ଗର୍ବିତ ହେବ କଥା କିନ୍ତୁ ପାଣି ସମୁଦ୍ରର ବିନ୍ଦୁ ଭଳିଆ ଆମର ଅସ୍ତିତ୍ୱକୁ ଆମେ ହଜେଇଦେବାରେ ସଂଲଗ୍ନ। ଅବଶ୍ୟ ଜ଼ିଲା ସ୍ତରୀୟ ଉତ୍ସବ ଯଥା ପଲ୍ଲିଶ୍ରୀ ମେଳା ଇତ୍ୟାଦିରେ ଏହିଭଳି ବ୍ୟଞ୍ଜନଗୁଡ଼ିକ ପ୍ରସାର ପାଇଁ ସରକାରଙ୍କ ତରଫରୁ ଉଦ୍ୟମ କରାଯାଉଛି କିନ୍ତୁ ପ୍ରଶ୍ନ ହେଲା ଆମେ ସାଧାରଣ ଓଡ଼ିଆ କେତେ ଯତ୍ନବାନ।
ସେହିଭଳି ଆମର ପୂର୍ବପୁରୁଷ ସାଧବପୁଅମାନେ ବୋଇତ ବନ୍ଦାଣ କରି ବାଲି, ଜାଭା, ସୁମାତ୍ରାକୁ ସମୁଦ୍ର ପଥରେ ନୌକା ଯାତ୍ରାକରି ବାଣିଜ୍ୟ ପ୍ରତିଭାର ଉତ୍କର୍ଷତାର ପ୍ରମାଣ ଦେଇ ସାରିଛନ୍ତି। କଳା ସଂସ୍କୃତି କ୍ଷେତ୍ରରେ ଓଡ଼ିଶାର ଇତିହାସ ଗୌରବମୟ। ସପ୍ତାଶ୍ଚର୍ଯ୍ୟ କୋଣାର୍କର ବିନ୍ଧାଣି ବିଶୁ ମହାରଣାଠାରୁ ପୃଥିବୀ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପର୍ଯ୍ୟନ୍ତ ବ୍ୟାପ୍ତ। ସାହିତ୍ୟ ଓ ସୃଜନ ସିଲଟ କ୍ଷେତ୍ରରେ ରାଧାନାଥ ରାୟ, କବିସୂର୍ଯ୍ୟ ବଳଦେବ ରଥ, ଉପେନ୍ଦ୍ର ଭଞ୍ଜ, ଗଙ୍ଗାଧର ମେହେରଙ୍କଠାରୁ ଆରମ୍ଭ କରି ମନୋଜ ଦାସ, ରମାକାନ୍ତ ରଥ, ପ୍ରତିଭା ରାୟ ତଥା ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ପର୍ଯ୍ୟନ୍ତ ଅପ୍ରତିଦ୍ବନ୍ଦ୍ୱୀ ପ୍ରତିଭାମାନଙ୍କ ଦ୍ୱାରା ଓଡ଼ିଶା ପରିପୁଷ୍ଟ।
‘ସମୁଦ୍ରରେ ବିନ୍ଦୁ ନୁହେଁ, ଆମେ ହିଁ ସମୁଦ୍ର’ ଏହି ଉକ୍ତିର ସତ୍ୟତା ପ୍ରତିପାଦନ ପାଇଁ ଆଉ ପ୍ରମାଣର ଆବଶ୍ୟକତା ନାହିଁ। ସ୍ବାଧୀନତା ସଂଗ୍ରାମ ହେଉ କିମ୍ବା ଧର୍ମୀୟ ଚେତନା, ଜଳ ସମ୍ପଦ ହେଉ କି ଖଣିଜ ସମ୍ପଦ, ଉତ୍କର୍ଷ କଳା ହେଉ କି ନିଜ ଜାତି ଓ ମାଟି ତଥା ଭାଷା ପାଇଁ ଜୀବନକୁ ଉତ୍ସର୍ଗ କରିବା ମନୋବୃତ୍ତି କୌଣସି ଥିରେ ଆମ ଓଡ଼ିଆ ପୁଅ ପଛରେ ରହି ନାହିଁ। ଏବେ ପୁଣି ସମୟ ଆସିଛି ଏହି ବୀର ପୁତ୍ରମାନଙ୍କ ଉତ୍ତର ଦାୟାଦ ହିସାବରେ ଆଉଥରେ ଆମ ଚେତନାକୁ ଉଜ୍ଜୀବିତ କରିବା ଓ ଓଡ଼ିଶା, ଓଡ଼ିଆର ଅସ୍ମିତାକୁ ଉଚ୍ଚତର ସୋପାନରେ ପହଞ୍ଚେଇବାର ସଂକଳ୍ପ ନେବା।
ସମଗ୍ର ଶିକ୍ଷା କାର୍ଯ୍ୟାଳୟ, ସୁନ୍ଦରଗଡ଼
ମୋ: ୯୪୩୭୨୧୯୬୧୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?