ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି: ଗୃହ ହୁଲସ୍ଥୂଲ

ଭୁବନେଶ୍ୱର,୧ା୪(ବ୍ୟୁରୋ):କରୋନା ମହାମାରୀରେ ଲୋକମାନେ ଜୀବନଜୀବିକା ହରାଇ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଏପରିସ୍ଥଳେ ବିଦ୍ୟୁତ୍‌ ଶୁଳ୍କ ବଢ଼ାଇ ସରକାର ବୋଝ ଉପରେ ନଳିତାବିଡ଼ା ଲଦିଛନ୍ତି। ଗତ ୭ ମାସରେ ଦୁଇ ଥର ବିଦ୍ୟୁତ୍‌ ଶୁଳ୍କ ବଢ଼ାଯାଇଛି। ସରକାର ତୁରନ୍ତ ବିଦ୍ୟୁତ୍‌ ଶୁଳ୍କ ପ୍ରତ୍ୟାହାର କରନ୍ତୁ, ନଚେତ ଗୃହ ଚଳାଇଦେବୁ ନାହିଁ। ବିଦ୍ୟୁତ୍‌ ଦର ବୃଦ୍ଧିକୁ ନେଇ ବିଧାନସଭାରେ ବିରୋଧୀ ଦଳର ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ଏଥିଯୋଗୁ ବୁଧବାର ବିଧାନସଭାରେ ପ୍ରଶ୍ନୋତ୍ତର, ଶୂନ୍ୟକାଳ, ମୁଲତବୀ ଆଲୋଚନା ହୋଇ ପାରି ନ ଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବାଧ୍ୟହୋଇ ବିଭିନ୍ନ ପର୍ଯ୍ୟାୟରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳକୁ ଦେଖି ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି)ଙ୍କ ନିକଟରେ ସରକାର ଶୁଳ୍କ ବୃଦ୍ଧିର ପୁନର୍ବିଚାର ପାଇଁ ଆବେଦନ କରିବେ। ଅପରାହ୍ନରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ପୂର୍ବାହ୍ନ ୧୦ଟା ୩୦ରେ ସଭାକାର୍ଯ୍ୟ ଚଳାଇବାକୁ ବାଚସ୍ପତି ଗୃହକୁ ପ୍ରବେଶ କଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ, ରମେଶ ଜେନା, ଅଧିରାଜ ପାଣିଗ୍ରାହୀ ପ୍ରମୁଖ ବିଧାନସଭା ମଧ୍ୟଭାଗକୁ ଆସି ହଟ୍ଟଗୋଳ କଲେ। ବିଦ୍ୟୁତ୍‌ ବିଲ୍‌ ପ୍ରତ୍ୟାହାର କରିବା ଆମର ଦାବି…. ଆମର ଦାବି ସ୍ଲୋଗାନ ଦେଇ ବିଧାନସଭାକୁ ହୁଲସ୍ଥୂଲ କଲେ । ଭାଜପା ସଭ୍ୟ ମୋହନ ଚରଣ ମାଝି, ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ସୁବାସ ପାଣିଗ୍ରାହୀ, ନାଉରୀ ନାୟକ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସହ ତାଳଦେଲେ। ବିଦ୍ୟୁତ୍‌ ବିଲ୍‌ ବୃଦ୍ଧିକୁ ପ୍ରତିବାଦ କରି ହୋହଲ୍ଲା କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳରେ ବିଧାନସଭାରେ କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରି ନ ଥିଲା। ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ଯେତେ ଅନୁରୋଧ କରିଥିଲେ ସୁଦ୍ଧା ବିରୋଧୀଙ୍କ ଉପରେ କୌଣସି ପ୍ରଭାବ ପଡ଼ି ନ ଥିଲା। ଅନ୍ୟ ଉପାୟ ନ ପାଇ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୦ଟା ୩୧ ମିନିଟରୁ ୧୧ଟା ୩୦ ମିନିଟ୍‌ ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ।
୧୧ଟା ୩୦ ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିରୋଧୀ ପୁଣି ହଟ୍ଟଗୋଳ କରିଥିଲେ। ବାଚସ୍ପତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କହିବାକୁ ଡାକିଥିଲେ। ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ, କୋଭିଡ୍‌ ସମୟରେ ଲୋକମାନେ କାମଧନ୍ଦା ହରାଇଥିବା ବେଳେ ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି କରାଯାଇଥିଲା। ଏବେ ପୁଣି ୩୦ ପଇସା ବୃଦ୍ଧି କରାଯାଇଛି। ବିଦ୍ୟୁତ୍‌ ଉପତ୍ାଦନ ନ କରି ଦିଲ୍ଲୀଭଳି ରାଜ୍ୟ ଶସ୍ତାରେ ବିଜୁଳି ଦେଉଥିବା ବେଳେ ଓଡ଼ିଶାରେ ବିଦ୍ୟୁତ୍‌ ଉପତ୍ାଦନ ହୋଇ ମଧ୍ୟ ଦର ବଢ଼ିଚାଲିଛି। ଗରିବ ଲୋକ ବଞ୍ଚିପାରିବେ ନାହିଁ। ବର୍ଦ୍ଧିତ ବିଦ୍ୟୁତ୍‌ ଶୁଳ୍କକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ବିରୋଧୀ ଦଳ ନେତା ଦାବି କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ତୀବ୍ର ଅସନ୍ତୋଷ ବ୍ୟକ୍ତ କରି କହିଥିଲେ, ବିଦ୍ୟୁତ୍‌ ଦର ବଢ଼ି ବଢ଼ି ଚାଲିଛି। ୨୦ ପଇସାରୁ ୫୦ ପଇସାକୁ ବୃଦ୍ଧି ହୋଇଛି। ଏହାକୁ ନେଇ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଲାଣି। ସରକାର କହିବେ ଆମ ନିୟନ୍ତ୍ରଣରେ ନାହିଁ। ସରକାର ଏଥିପାଇଁ ଉତ୍ତରଦାୟୀ। ପେଟ୍ରୋଲ, ଡିଜେଲ, ରୋଷେଇ ଗ୍ୟାସ ବଢ଼ି ଚାଲିଥିବା ବେଳେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କରିଛି। ଗୃହ ଚାଲିଥିବା ବେଳେ ବିଦ୍ୟୁତ୍‌ ଦର ବୃଦ୍ଧି ହେଉଛି। ସରକାର ଗୃହକୁ ଏ ବିଷୟରେ ଅବଗତ କରାଇବା କଥା। ସରକାରଙ୍କ ଏହା ଉପରେ କିଛି ଉତ୍ତର ନାହିଁ। ସରକାର ତୁରନ୍ତ ସର୍ବଦଳୀୟ ବୈଠକ ଡାକି ଏହା ଉପରେ ଆଲୋଚନା କରନ୍ତୁ। ଏହା ସାଧାରଣ ଲୋକଙ୍କ କଥା। ଏହାକୁ ନ କହି ଆମେ ଚୁପ୍‌ବସି ରହିପାରୁ ନାହୁଁ। ଆଜି ଗୃହରେ ବ୍ୟୟମଞ୍ଜୁରୀ ବିଲ୍‌ ଆଲୋଚନା ହେବାର ଅଛି। ଏଥିରେ ଆମେ ଅଂଶଗ୍ରହଣ କରିବାକୁ ଚାହୁଁଛୁ। ତୁରନ୍ତ ବାଚସ୍ପତି ଏ ଦିଗରେ ପଦକ୍ଷେପ ନିଅନ୍ତୁ। ବିଜେଡି ସଭ୍ୟ ଅମର ଶତପଥୀ କହିଲେ, ବିରୋଧୀ ଦଳ କେବଳ ଆଲୋଚନା ନ କରି ଗୃହକୁ ଅବରୋଧ କରୁଛନ୍ତି । ସର୍ବଦଳୀୟ ବୈଠକ ଡାକି ଆଲୋଚନା କରାଯାଉ ବୋଲି ସେ କହିଥିଲେ। ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପ୍ରଣବ ପ୍ରକାଶ ଦାଶ, ମୋହନ ମାଝିଙ୍କୁ ବୈଠକରେ ଯୋଗଦେବାକୁ ବାଚସ୍ପତି ଅନୁରୋଧ କରି ଗୃହକୁ ୧୧ଟା ୩୬ରୁ ୧୫ ମିନିଟ୍‌ ପାଇଁ ମୁଲତବୀ ଘୋଷଣା କରିଥିଲେ। ବୈଠକ ଶେଷ ନ ହେବାରୁ ଦୁଇଟି ପର୍ଯ୍ୟାୟରେ ପୁଣି ୨୦ ମିନିଟ୍‌ ମୁଲତବୀ କରାଯାଇଥିଲା।
୧୨ଟା ୧୨ ମିନିଟ୍‌ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିରୋଧୀ କଂଗ୍ରେସ ଓ ଭାଜପା ସଦସ୍ୟମାନେ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରସଙ୍ଗ ଉଠାଇ ପୁଣି ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହର ଉଦ୍‌ବେଗକୁ ଦେଖି ବିଦ୍ୟୁତ୍‌ ବିଲ୍‌ ବୃଦ୍ଧି ଅଭିଯୋଗ ଉପରେ ସରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ହଟ୍ଟଗୋଳ ଜାରି ରହିଥିଲା। ପାଟିତୁଣ୍ଡ ମଧ୍ୟରେ ବାଚସ୍ପତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଓଡ଼ିଶା ବେସାମରିକ ଯୋଗାଣ ନିଗମର ୩୮ତମ ବାର୍ଷିକ ରିପୋର୍ଟ, ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଓଡ଼ିଶା ଜଳବିଦ୍ୟୁତ୍‌ ନିଗମର ୨୪ତମ ବାର୍ଷିକ ରିପୋର୍ଟ, ବିଧାୟିକା ଉଷାଦେବୀଙ୍କୁ ମହିଳା ଓ ଶିଶୁକଲ୍ୟାଣ ଗୃହ କମିଟି ରିପୋର୍ଟ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ବିଧାନସଭା କାର୍ଯ୍ୟ ପରାମର୍ଶଦାତା ରିପୋର୍ଟ ଉପସ୍ଥାପନ କରିବାକୁ କହିଥିଲେ। ସେହିପରି ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡ଼ିଶା ବ୍ୟୟମଞ୍ଜୁରୀ ବିଲ୍‌-୨୦୨୧କୁ ଗୃହର ଅନୁମୋଦନ ପାଇଁ ବିଧାନସଭାରେ ଆଗତ କରିଥିଲେ। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ସଭ୍ୟ ଦେବୀପ୍ରସାଦ ମିଶ୍ର କହିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୨ ହଜାର କୋଟି ଖର୍ଚ୍ଚ ହୋଇଥିବା ବେଳେ ରାଜ୍ୟ ସରକାର ୬ ହଜାର କୋଟି ଖର୍ଚ୍ଚ କରିଛନ୍ତି । ହଟ୍ଟଗୋଳ ନ ଥମିବାରୁ ବାଚସ୍ପତି ଗୃହକୁ ୧୨ଟା ୨୪ ମିନିଟ୍‌ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଦେଇଥିଲେ। ଅପରାହ୍ନରେ ଶକ୍ତିମନ୍ତ୍ରୀ ବିଦ୍ୟୁତ୍‌ ଶୁଳ୍କ ଉପରେ ସରକାର ଓଇଆରସିଙ୍କ ନିକଟରେ ପୁନର୍ବିଚାର ପାଇଁ ଆବେଦନ କରିବେ ବୋଲି ବିଧାନସଭାରେ ଘୋଷଣା ପରେ ଗୃହ ସ୍ବାଭାବିକ ହୋଇଥିଲା। ବିରୋଧୀ ଦଳ ସଦସ୍ୟମାନେ ବ୍ୟୟମଞ୍ଜୁରୀ ବିଲ୍‌ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

‘ମୁଁ ଫୋନ୍ କରୁଥିଲି କିନ୍ତୁ…’… ବିରାଟ କୋହଲିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ DCର କୋଚ୍

ନୂଆଦିଲ୍ଲୀ,୨୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବିରୋଧରେ ପୁଣିଥରେ ଏକ ବଡ଼ ଅଭିଯୋଗ ଆସିଛି। ପୂର୍ବତନ ଭାରତୀୟ ସ୍ପିନର୍…

ଆସୁଛି ବାତ୍ୟା: ଇନ୍ଦ୍ରାବତୀର ୨ ଗେଟ୍‌ ଖୋଲିଲା

ନବରଙ୍ଗପୁର,୨୪।୧୦: ସମ୍ଭାବ୍ୟ ବାତ୍ୟା ଏବଂ ବର୍ଷାକୁ ଦୃଷ୍ଟିରେ ରଖି ଶନିବାର ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍‌ ଖୋଲାଯାଇଛି। ଡ୍ୟାମ୍‌ର ୩ ଓ ୬ ନମ୍ବର ଗେଟ୍‌ରୁ ୧୩୩…

୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୯ ମୋବାଇଲ ଜବତ, ୭ ଜୁଆଡ଼ିଙ୍କୁ ଗିରଫ କରି…

ଗଞ୍ଜାମ,୨୪ା୧୦(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପୋଇରାଶି ପଞ୍ଚାୟତ ବରପଲ୍ଲୀ ଓ ଭୁଆଁଭୂଇଁ ଗ୍ରାମ ନିକଟସ୍ଥ ଠାକୁରାଣୀ ମନ୍ଦିରଠାରେ ଜୁଆଆଡ୍ଡା ଚାଲିଥିବାବେଳେ ରମ୍ଭା…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଦଳିଯିବ ଡ୍ରାଇଭିଂ ଲାଇସେନ୍ସ, ମୋବାଇଲ କଲିଂ ଓ ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୪।୧୦: ଦେଶ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (NCR)ରେ ଆସନ୍ତା ୧ ନଭେମ୍ୱର ୨୦୨୬ରୁ ସାଧାରଣ ଜନତାଙ୍କ ଜୀବନ ସହିତ ଜଡ଼ିତ ଅନେକ ବଡ଼ ପରିବର୍ତ୍ତନ ଲାଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?