‘ପଶ୍ଚିମ ଓଡିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି ନବୀନ’: ବିରୋଧୀ

ଭୁବନେଶ୍ୱର,୧୭।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ତେବେ ଏହାକୁ ନେଇ ବିରୋଧୀ ଦଳ ସମାଲୋଚନା କରିଛନ୍ତି । ବିରୋଧୀ କହିଛନ୍ତି, ନବୀନ ଆତ୍ମବିଶ୍ୱାସ ହରାଇ ସାରିଛନ୍ତି । ପଶ୍ଚିମ ଓଡ଼ିଶାବାସୀଙ୍କୁ ବାରମ୍ବାର ଧୋକା ଦେଇ ଏବେ ପୁଣିଥରେ ଧୋକା ଦେବାକୁ ପ୍ରୟାସ କରୁଛନ୍ତି । ଲୋକେ ତାଙ୍କୁ ଭୋଟ୍‌ ମାଧ୍ୟମରେ ଉଚିତ ଜବାବ ଦେବେ ବୋଲି ଉଭୟ ଭାଜପା ଓ କଂଗ୍ରେସ କହିଛି।

କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି । କଣ୍ଟାବାଞ୍ଜି ଜିତିଲା ପରେ ସେ ଏହି ଆସନ ଛାଡିବେ। ପୂର୍ବରୁ ବିଜେପୁରକୁ ଜିତି ସେହି ଆସନକୁ ଛାଡିଥିଲେ । ତେଣୁ ଏଥର ତାଙ୍କୁ ସ୍ଥାନୀୟ ଲୋକେ ଉଚିତ ଜବାବ ଦେବେ।

ସେହିପରି ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାକୁ ବାରମ୍ବାର ଧୋକା ଦେଇଛନ୍ତି । ହାଇକୋର୍ଟ ସ୍ପେଶିଆଲ ବେଞ୍ଚ ପ୍ରତିଷ୍ଠାଠାରୁ ଆରମ୍ଭ କରି ନୂତନ ଜିଲା ଘୋଷଣା, କଟନୀ ଛଟନୀ ଓ ଧାନର ଅଭାବୀ ବିକ୍ରୀ, ଧାନ କ୍ୱିଂଟାଲ ପ୍ରତି ୧୦୦ଟଙ୍କା ବୋନସର ପ୍ରତିଶ୍ରୁତି ଦେଇ ପାଳନ ନ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଆବଂଟନ ନ ହେବା , ଚିନି କାରଖାନା ବନ୍ଦ ହେବା ଆଦି ପ୍ରସଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ସଂପୂର୍ଣ୍ଣ ଦାୟୀ । ଏପରିକି ବିଜେପୁରରୁ ବିଧାୟକ ଭାବେ ମଧ୍ୟ ନିର୍ବାଚିତ କରାଇ ବିଧାନସଭାକୁ ପଠାଇଥିଲେ । ନବୀନ ବାବୁଙ୍କ ଭେଳିକି ଓ ଚକ୍ରାନ୍ତକୁ ଓଡିଶାବାସୀ ହୃଦୟଙ୍ଗମ କରିସାରିଲେଣି ।