ନୂଆଦିଲ୍ଲୀ,୪।୯: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି OpenAI । କମ୍ପାନୀ ନିଜର ନୂଆ AI ମଡେଲ୍ GPT-6 Astraର ରୋଲ୍ଆଉଟ୍ ଆରମ୍ଭ କରିଛି। ଏହି ମଡେଲ୍ ଆସିବା ପରେ AI କ୍ଷେତ୍ରରେ ବଡ଼ ପରିବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରିକି ଆମେ କି AGI ବା ଆର୍ଟିଫିସିଆଲ୍ ଜେନେରାଲ୍ ଇଣ୍ଟେଲିଜେନ୍ସ ଯୁଗରେ ପ୍ରବେଶ କରିସାରିଛୁ କି, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, Astraରେ ସୁରକ୍ଷା ସମ୍ପର୍କିତ ବିପଦକୁ କମାଇବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଡ଼ାଯାଇଛି। ପ୍ରଥମ ପର୍ଯ୍ୟାୟରେ ଓପନ ଏଆଇର Daybreak ଟେଷ୍ଟିଂ ପ୍ରୋଗ୍ରାମ୍ ସହ ଜଡ଼ିତ ବିଜନେସ୍ ୟୁଜରଙ୍କୁ ଏହାର ଆକ୍ସେସ୍ ଦିଆଯାଇଛି। ପରେ କିଛି ଦିନ ମଧ୍ୟରେ ଚାଟଜିପିଟି ପ୍ଲସ, ପ୍ରୋ, ବ୍ୟୁଜନେସ ଏବଂ ଏଣ୍ଟରପ୍ରାଇଜ ସବ୍ସ୍କ୍ରାଇବରଙ୍କ ପାଇଁ ଏହା ଉପଲବ୍ଧ ହେବ।
ଡେଭେଲପରମାନେ ଓପନଏଆଇ API ଏବଂ ଆମାଜନ ଓବେ ସର୍ଭିସ (AWS) ମାଧ୍ୟମରେ ମଧ୍ୟ Astra ବ୍ୟବହାର କରିପାରିବେ। ତେବେ ଫ୍ରି-ଟିୟର୍ ଓ ସବୁଠାରୁ ଶସ୍ତା ପ୍ଲାନ୍ ବ୍ୟବହାର କରୁଥିବା ୟୁଜରଙ୍କୁ ବର୍ତ୍ତମାନ ଏହି ମଡେଲ୍ର ଆକ୍ସେସ୍ ମିଳିବ ନାହିଁ। OpenAI APIରେ Astraର ମୂଲ୍ୟ ପ୍ରତି ୧୦ ଲକ୍ଷ ଇନ୍ପୁଟ୍ ଟୋକେନ୍ ପାଇଁ ୧୦ ଡଲାର ଏବଂ ପ୍ରତି ୧୦ ଲକ୍ଷ ଆଉଟ୍ପୁଟ୍ ଟୋକେନ୍ ପାଇଁ ୫୦ ଡଲାର ରଖାଯାଇଛି। ଏହାର ଫାଷ୍ଟର ମୋଡ୍ ବ୍ୟବହାର କଲେ ଦୁଇଗୁଣ ଅଧିକ ମୂଲ୍ୟ ଦେବାକୁ ପଡ଼ିବ।
OpenAIର ପ୍ରେସିଡେଣ୍ଟ ଗ୍ରେଗ୍ ବ୍ରକମ୍ୟାନ୍ କହିଛନ୍ତି ଯେ, AIର କ୍ଷମତା ଏହି ସ୍ତରରେ ପହଞ୍ଚିବା ପରେ ସୁରକ୍ଷା ସବୁଠାରୁ ବଡ଼ ପ୍ରାଥମିକତା ହୋଇଯାଏ। ତାଙ୍କ ମତରେ Astraକୁ AGI ଦିଗରେ ଏକ ପ୍ରାରମ୍ଭିକ ପଦକ୍ଷେପ ଭାବେ ଦେଖାଯାଇପାରେ। ତେବେ ଏବେ ବି ଅନେକ ସୁଧାରର ଆବଶ୍ୟକତା ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏପନଏଆଇ ଅନୁଯାୟୀ, Astra ନିଜେ ୱେବସାଇଟ୍ ତିଆରି କରିବା, ଡାଟା ଆନାଲିସିସ୍, ଗେମ୍ ଡେଭଲପମେଣ୍ଟ, କୋଡିଂ ଏବଂ ସାଇବର ସିକ୍ୟୁରିଟି ସମ୍ପର୍କିତ କାମ କରିପାରିବ। କମ୍ପାନୀର ଏକ ଉଦାହରଣ ଅନୁଯାୟୀ, ଯେଉଁ ଆପାର୍ଟମେଣ୍ଟ ଖୋଜିବା କାମ ପାଇଁ ପ୍ରାୟ ୬ ଘଣ୍ଟା ସମୟ ଲାଗୁଥିଲା, Astra ତାହାକୁ ୧୦ ମିନିଟ୍ରୁ କମ୍ ସମୟରେ ସମ୍ପୂର୍ଣ୍ଣ କରିପାରିଛି। କମ୍ପାନୀ ଦାବି କରିଛି ଯେ, କମ୍ପ୍ୟୁଟରରେ ଯାହା କିଛି କରାଯାଇପାରେ, Astra ସେହି କାମଗୁଡ଼ିକୁ ଅଧିକ ଦ୍ରୁତ ଭାବେ କରିପାରିବ।

