ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ):ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍ପି, ମନ୍ତ୍ରୀ, ଛାତ୍ରୀଛାତ୍ରଙ୍କୁ ଏଭଳି ପରାମର୍ଶ ଦେଇ ଆସୁଛନ୍ତି। ହେଲେ ଏପର୍ଯ୍ୟନ୍ତ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସୁବ୍ୟବସ୍ଥିତ ହୋଇପାରି ନାହିଁ। ବିଦ୍ୟାଳୟ ରହିଛି, ହେଲେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷୟିତ୍ରୀ, ଶିକ୍ଷକ ନାହାନ୍ତି। ସେହିପରି ବିଦ୍ୟାଳୟକୁ ଆସିବା ତଥା ପିଲାଙ୍କ ମଧ୍ୟରେ ପାଠପଢ଼ାରେ ଆଗ୍ରହ ସୃଷ୍ଟି ପାଇଁ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି। ହେଲେ ଏପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପାଇଁ ଭୋଜନ ଗୃହ ତଥା ଭୋଜନାଳୟ ନିର୍ମିତ ହୋଇପାରି ନାହିଁ। ବରଗଡ଼ ତଳିପଡ଼ାରେ ରହିଥିବା ସର୍ବପୁରାତନ ସରକାରୀ ବାଳକ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘବର୍ଷ ହେଲା ଏଭଳି ସମସ୍ୟା ଲାଗି ରହିଛି। ଏହାକୁ ନେଇ ସ୍ଥାନୀୟ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ବୁଧବାର ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅଭିଭାବିକା, ଅଭିଭାବକମାନେ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଫେରାଦ ହୋଇଥିଲେ। ଡିଇଓ ସରୋଜ ଭୁଏଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ(ଏଡିଇଓ) ଅମୃତା ସାହୁଙ୍କୁ ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଦ୍ୟାଳୟରେ ଭୋଜନ ଗୃହ ନିର୍ମାଣ ସହିତ ଆହୁରି ୨ଜଣ ଶିକ୍ଷକ ନିଯୁକ୍ତି କରା ନ ଗଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା, ସଭ୍ୟାସଭ୍ୟ ଏବଂ ଅଭିଭାବିକା, ଅଭିଭାବକମାନେ ଚେତାବନୀ ଦେଇଛନ୍ତି।
ସୂଚନା ଅନୁଯାୟୀ, ୧୮୮୮ରେ ଓଡ଼ିଆ ବାଳକ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବରଗଡ଼ ସ୍ଥାପିତ ହୋଇଛି। ସ୍ଥାନୀୟ ତଳିପଡ଼ାରେ ରହିଥିବା ଉକ୍ତ ସର୍ବପୁରାତନ ବିଦ୍ୟାଳୟରେ ବର୍ତ୍ତମାନ ୧୭୧ଜଣ ଛାତ୍ର ଅଛନ୍ତି। ତାଙ୍କୁ ଶିକ୍ଷାଦାନ ପାଇଁ କେବଳ ୩ଜଣ ଶିକ୍ଷକ ରହିଛନ୍ତି। ଫଳରେ ଏଠାରେ ଛାତ୍ରଙ୍କୁ ଶିକ୍ଷାଦାନ ବ୍ୟାହତ ହୋଇପଡ଼ିଛି। ସେହିପରି ବିଦ୍ୟାଳୟର ଛାତ୍ରମାନଙ୍କୁ ମଧ୍ୟାହ୍ନଭୋଜନ ପାଇଁ ଏଠାରେ ଏପର୍ଯ୍ୟନ୍ତ ଭୋଜନ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ଖରା, ବର୍ଷା, ଶୀତ, କାକର ସବୁଦିନେ ଛାତ୍ରମାନଙ୍କୁ ଖୋଲା ଆକାଶତଳେ ଭୋଜନ କରିବାକୁ ପଡୁଛି। ଏପରି କି ବର୍ଷାଦିନେ ମଧ୍ୟାହ୍ନଭୋଜନ କରିବା ମଧ୍ୟ ଛାତ୍ରମାନଙ୍କ ପାଇଁ କାଠିକର ପାଠ ହୋଇପଡୁଛି।
ବିଦ୍ୟାଳୟରେ ଦେଖାଯାଇଥିବା ଏହି ସମସ୍ୟା ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବାରମ୍ବାର ସ୍ଥାନୀୟ ଜନ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ମାତ୍ର ଏପର୍ଯ୍ୟନ୍ତ ସେଦିଗରେ କିଛି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ନଳିନୀ ଭୋଇ କହିଛନ୍ତି, ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଅବଗତ କରି ଆସିଛୁ। ସେହିପର ବିଭାଗୀୟ ଅଧିକାରୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛୁ। କିନ୍ତୁ ଏପର୍ଯ୍ୟନ୍ତ କିଛି ସୁଫଳ ମିଳିନାହିଁ। ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ସ୍ଥାନୀୟ ଅଭିଭାବିକା, ଅଭିଭାବକ ବିଦ୍ୟାଳୟ ଆଗରେ ଆନ୍ଦୋଳନ କରିବାକୁ ବାଧ୍ୟହେବେ ବୋଲି ସେ ଚେତାବନୀ ଦେଇଛନ୍ତି। ସେହିପରି ସ୍ଥାନୀୟ କାଉନ୍ସିଲର ରୋଶନ ପ୍ରଧାନ କହିଛନ୍ତି, ଆସନ୍ତା ୩୦ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରା ନ ଗଲେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। ତେବେ ତା’ର ସମାଧାନ ପାଇଁ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସାହୁ ଆହୁରି ମାସେ ସମୟ ଦେବାକୁ କହିବାରୁ ଆମେ ରାଜି ହୋଇଛୁ। ତେବେ ଅଗଷ୍ଟ ୩୦ତାରିଖ ସୁଦ୍ଧା ବିଦ୍ୟାଳୟରେ ଭୋଜନ ଗୃହ ନିର୍ମାଣ ସାଙ୍ଗକୁ ତୁରନ୍ତ ଆହୁରି ୨ଜଣ ଶିକ୍ଷକ ନିଯୁକ୍ତି ଦିଆ ନ ଗଲେ ଆନ୍ଦୋଳନ ତୀବ୍ର ହେବ ବୋଲି ପ୍ରଧାନ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ବିଦ୍ୟାଳୟ ପରିଚାଳନା କମିଟିର ଅନେକ ସଭ୍ୟାସଭ୍ୟଙ୍କ ସମେତ ଅଭିଭାବିକା, ଅଭିଭାବକ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily

