Categories: ଖେଳ

ଟି୨୦ ବିଶ୍ୱକପ୍‌ ପାଇଁ ଶ୍ରୀଲଙ୍କା ସିରିଜ୍‌ରୁ ମିଳିପାରନ୍ତି ଖେଳାଳି: ଡ୍ରାଭିଡ୍‌

ମୁମ୍ବାଇ,୨୭।୬: ଟି୨୦ ବିଶ୍ୱକପ୍‌ ଲାଗି ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରୁ ଭାରତୀୟ ଦଳକୁ ଗୋଟିଏ କିମ୍ବା ଦୁଇଟି ଖେଳାଳି ମିଳିପାରନ୍ତି। ଏହା କହିଛନ୍ତି ଶ୍ରୀଲଙ୍କା ବିପକ୍ଷ ଟି୨୦ ଓ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳର କୋଚ୍‌ ଦାୟିତ୍ୱରେ ଥିବା ପୂର୍ବତନ ଅଧିନାୟକ ତଥା ଏନ୍‌ସିଏ ମୁଖ୍ୟ ରାହୁଲ ଡ୍ରାଭିଡ୍‌।

ଟି୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ମାତ୍ର ୩ ଟି୨୦ ମ୍ୟାଚ୍‌ ଖେଳିବ। ଏହି ଇଭେଣ୍ଟ ଲାଗି ଚୟନକର୍ତ୍ତା ଓ ମ୍ୟାନେଜମେଣ୍ଟକୁ କେଉଁ ଭଳି ଦଳ ଦରକାର ପ୍ରଥମେ ଜାଣିବାକୁ ପଡ଼ିବ। ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଭଲ ପ୍ରଦର୍ଶନ ବଳରେ ଖେଳାଳିମାନେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି। ଏହି ସିରିଜ୍‌ରୁ ଭାରତୀୟ ଦଳକୁ ଗୋଟିଏ କିମ୍ବା ଦୁଇଟି ଖେଳାଳି ମିଳିପାରନ୍ତି ବୋଲି ଡ୍ରାଭିଡ୍‌ କହିଛନ୍ତି। ଆସନ୍ତା ମାସରେ ଖେଳାଯିବାକୁ ଥିବା ସିରିଜ୍‌ ଲାଗି କିଛି ଚୟନକର୍ତ୍ତା ଶ୍ରୀଲଙ୍କା ଗସ୍ତ କରିବେ ବୋଲି ସେ ସୂଚନା ଦେଇଛନ୍ତି।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସମୟରେ ଅଧିନାୟକ ବିରାଟ କୋହଲି ଓ କୋଚ୍‌ ରବି ଶାସ୍ତ୍ରୀଙ୍କୁ ଯୋଗାଯୋଗ କରି ନ ଥିଲି। କିନ୍ତୁ ସେମାନେ କ’ଣ ଚିନ୍ତା କରୁଛନ୍ତି ଜାଣିବା ପାଇଁ ଆସନ୍ତା କିଛି ସପ୍ତାହରେ ଆଲୋଚନା କରିବି ବୋଲି ସେ କହିଛନ୍ତି।

Share