ଅନ୍‌ଲାଇନ

ଦ୍ୱିତୀ ଚନ୍ଦ୍ର ସାହୁ

ଅନ୍‌ଲାଇନ କ୍ଲାସ ପାଇଁ ପୁଅ ମୋବାଇଲ ମାଗିନେଲା ବେଳେ ବାପା ହିସାବରେ ମନକୁ ଅନେକ ପ୍ରଶ୍ନ ଆସିଲା।
ମୋବାଇଲଠାରୁ ଦୂରେଇ ରଖିବାକୁ ସବୁବେଳେ, ସବୁଠାରେ ଦିଆଯାଉଥିବା ଉପଦେଶ ଏବେ ଚୁଲିକି ଗଲା । ପିଲାଙ୍କୁ ସେଇ ମୋବାଇଲ ମୋହରେ ପକାଇଲା। ଖାଲି କ୍ଲାସ କ’ଣ ହେବ ସେଥିରେ, ତା’ ସହିତ ମୋବାଇଲ ଗେମ୍‌ରେ ବି କିଛି ସମୟ ମଜ୍ଜିବାକୁ ଅନୁମତି ଲୋଡ଼ିବ। ସେଠୁ ନିର୍ଦ୍ଦୟ ଓ ନିଷ୍ଠୁର ହେବା ଜଣେ ବାପା ଲାଗି କ’ଣ ସମ୍ଭବ ! କରୋନା କାରଣରୁ ସବୁକିଛି ଅନ୍‌ଲାଇନ ଏବେ। ଜାଣିବା ଓ ନ ଜାଣିବା ଲୋକ ସବୁ ବୁଝିଗଲେ ଏ ଅନ୍‌ଲାଇନର କାରସାଦି। ମାତି ଯାଉଛନ୍ତି ଏ ଅନ୍‌ଲାଇନ କାରବାରରେ। ଯେବେଠୁ ମଦ ବି ଅନ୍‌ଲାଇନରେ ମିଳିଲା ସେବେଠୁ ମଦୁଆ ଗୋଷ୍ଠୀ ବି ମାତିିଲେଣି ଏଥିରେ। ଘରେ ଘରେ ଏବେ ମୋବାଇଲରେ ଖେଳ । ଯିଏ ଯାହା ମାର୍ଗରେ ଚଲଉଛନ୍ତି ମୋବାଇଲ। ବାପା ଭଜନଠାରୁ ଭୋଜନ, ଖବରଠାରୁ ମନୋରଞ୍ଜନ ସବୁ ଦେଖିବାରେ ବ୍ୟସ୍ତ। ମାଆ ୟୁ ଟ୍ୟୁବ୍‌ରେ ରେସିପି ଦେଖି ରୋଷେଇ କରି ପିଲାଙ୍କୁ ଦେବାରେ ଆନନ୍ଦ। ଯୁବତୀଯୁବକଙ୍କ ନିଶା ଟିକେ ଅଲଗା। ସବୁ କିଛି ଭିତିରି ଭିତିରି।
ବୃତ୍ତିଗତ ବ୍ୟସ୍ତତାରେ ମଗ୍ନ। ସେଥିରୁ ମୁକ୍ତି ମିଳିଲେ କେବଳ ମାର୍କା ଭିତରେ ଟିକେ ରସିଯିବାକୁ ବ୍ୟାକୁଳ। କିଶୋରୀକିଶୋରଙ୍କ ଏବେ ପାଠ ଚିନ୍ତା। ଅନ୍‌ଲାଇନ କ୍ଲାସ। ପାଠ ଛାଡ଼ିଲେ ସିନେମା, ମ୍ୟୁଜିକରେ ମସ୍ତି। ତା’ ସହିତ ସାଙ୍ଗ ସହ ଗୁଲିଖଟି ଓ ଚାଟିଂରେ ଫୂର୍ତ୍ତି । ଆଉ ଯେତକ କୁନାକୁନି ସେମାନେ ବି ପଛରେ ନୁହନ୍ତି ।
ସେମାନେ ଅନ୍‌ଲାଇନରେ ସର୍ବାଗ୍ରେ । ମୋବାଇଲ ଥୁଆ ହୋଇଥିବା ଦେଖିଲେ ମନ ଖାଲି ହମ ହମ । ଧରିଲେ ତ ଖୋଲିଲେ ବିଭିନ୍ନ ଗେମ୍‌। ନ ହେଲେ କାର୍ଟୁନ ଦୁନିଆ ଭିତରେ ବୁଡ଼ିଯିବାକୁ ଉଚ୍ଛନ୍ନ। ଘରର ବୟସ୍କ ଲୋକଙ୍କ ବି ଅଛି ଗୋଟେ ଆତୁରତା ଟିକେ ଅନ୍‌ଲାଇନ ହେବାକୁ। ମନ୍ତ୍ର, ପୁରାଣ, ଭଜନ ଜଣାଣ ଚର୍ଚ୍ଚାରେ ସମୟ କାଟିବାକୁ କନକନ। ନାତିନାତୁଣୀଙ୍କ ସହାୟତାରେ ମୋବାଇଲରେ ଅନ୍‌ଲାଇନ ହୋଇଗଲେ ତେଣିକି ଚାଲିଥିବ ତାଙ୍କ ଦୁନିଆ ଆଧ୍ୟାତ୍ମିକ ଚିନ୍ତନ ଭିତରେ। ଏସବୁ ବାଦ୍‌ ଆହୁରି କିଛି ଅଛି। ସେଇଟା ହେଲା ସୋସିଆଲ ମିଡିଆ।
ସେଥିରେ କେତେ ନାଟ। କେତେ କେତେ ପରପଞ୍ଚ। ନିଜକୁ ସାମିଲ କରି ଲାଇକ ଓ କମେଣ୍ଟ ଦେଖିଲେ କାଳେ ମିଳେ ପ୍ରଶାନ୍ତି।
ଏ ଯାଏ ରେଳ, ବସଷ୍ଟାଣ୍ଡ, ବ୍ୟାଙ୍କ, ଅଫିସ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ଲାଇନ ଲାଗିବା କଥା ସମସ୍ତେ ଜାଣିଥିଲେ । ଲାଇନ ହେଉଛି ଶୃଙ୍ଖଳାର ନିଦର୍ଶନ। ଧଳା କାଗଜରେ ଲେଖା ତଳେ ଟଣା ଯାଇଥିବା ଲାଇନ କାଳେ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ ଲାଗି ଉଦ୍ଦିଷ୍ଟ।
ଲମ୍ବିଥିବା ରେଳ ଧାରଣା ଅନେକ କଥା ଓ ବ୍ୟଥାକୁ କହେ।
ବିଦ୍ୟୁତର ଅନ୍ୟନାମ ଅନେକ ସ୍ଥାନରେ କାଳେ ଲାଇନ। ମଣିଷ ଜୀବନ ସହିତ ଲାଇନର ବି ସଂଯୋଗ ଅଛି। ଜୀବନ କାଳେ ରେଖା ବା ଲାଇନ। ସିଧା ନୁହେଁ। ବହୁ ଅଙ୍କାବଙ୍କା ରେଖାର ସମାହାର।
ଏଇ ଅଙ୍କାବଙ୍କା ରେଖା ଛିଣ୍ଡିଲେ ପିଣ୍ଡରୁ ପ୍ରାଣ ବି ଛାଡ଼ିଯିବ। ଏକଥା ଚିକିତ୍ସା ବିଜ୍ଞାନରୁ ସିଦ୍ଧ। ଲାଇନକୁ ନେଇ ଏମିତି ଅନେକ କାହାଣୀ ଅଛି । ଲାଇନରେ ସବୁବେଳେ ଗତି କରିବା ଆଜିକା ମଣିଷ ପକ୍ଷେ କାଳେ ବହୁତ କଷ୍ଟ ! ମଣିଷକୁ ନୀତିବାନ, ସଚ୍ଚୋଟ, ପରିଶ୍ରମୀ, ସମୟାନୁବର୍ତ୍ତିତା, ଧୈର୍ଯ୍ୟଶୀଳ ଭଳି ବହୁ ଆଦର୍ଶରେ ପରିଚାଳିତ ହେବାକୁ ପଡ଼ିଥାଏ । ପ୍ରତିବନ୍ଧକକୁ ଅତିକ୍ରମ କରିବାକୁ ପଡ଼େ । ଘାତପ୍ରତିଘାତକୁ ସହିବାକୁ ହୁଏ । ଏଥିରେ ଅବଶ୍ୟ ସୁଖ ଓ ଶାନ୍ତି ରହିଥାଏ । କିନ୍ତୁ ଆଜିକାଲି ଏସବୁ କରିବା ଅପେକ୍ଷା ଲୋକେ ଲାଇନରୁ ବେଲାଇନ ହୋଇ ଯେନତେନ ପ୍ରକାରେଣ କାମକୁ ହାସଲ କରିବାକୁ ବ୍ୟଗ୍ର । ସେଇଠୁ ହିଁ ଦୁର୍ନୀତିର ଆରମ୍ଭ ।
ତେବେ ଲକ୍‌ଡାଉନ ମଣିଷ ଜୀବନକୁ ଅନ୍‌ଲାଇନ କରିଛି ।
ଅନ୍‌ଲାଇନ ମଣିଷକୁ ଜାଗ୍ରତ କରୁଛି । ଅନ୍ୟ ସହ ସଂପୃକ୍ତି କରାଇପାରିଛି । ପରିଚୟକୁ ପରିବ୍ୟାପ୍ତ କରିଛି । ଜୀବନକୁ ସରଳ, ସୁଲଭ ଓ ସୁଗମ କରିଛି । ବିକଳ୍ପ ଖୋଜି ବାହାର କରିଛି । ନିଜକୁ ନିଜେ ଆବିଷ୍କାର କରିବାର ଅଫୁରନ୍ତ ସୁଯୋଗ ଦେଇଛି । ମାନସିକ ଅବସାଦକୁ କମେଇବାକୁ ବହୁତ ସାହାଯ୍ୟ କରୁଛି । କିଛି ନ ହେଲେ ବି ଜୀବନର ନିରସ ସମୟରେ ସାଥୀଟିଏ ହୋଇପାରିଛି ।
ତେବେ ଗୋଟିଏ କଥା ହୃଦ୍‌ବୋଧ ହୋଇଥିବ ନିଶ୍ଚିତ ଅନ୍‌ଲାଇନରେ ଥିବା ମଣିଷ ଥରେ ଅଫ୍‌ଲାଇନ ହୋଇଗଲେ କେମିତି ନିରସ ଛାଇ ହୋଇଯାଏ । ମୁହୂର୍ତ୍ତଗୁଡ଼ିକ ହଜିଲା ହଜିଲା ଓ ବେରଙ୍ଗ ଲାଗେ । ହାରିଯାଇଥିବା ଓ ହରେଇଥିବାର ବିଷାଦ ମାଡ଼ିବସେ । ନେଟ୍‌ ଦୁନିଆରେ ଅନ୍‌ଲାଇନ ଓ ଅଫ୍‌ଲାଇନ ହେବା ସହଜ କଥା । କିନ୍ତୁ ଜୀବନର ଅନ୍‌ଲାଇନରୁ ମଣିଷ ଥରେ ଅଫ୍‌ଲାଇନ ହୋଇଗଲେ ଫେରିବା ଅସମ୍ଭବ । ଦୁନିଆ ତାକୁ ଭିନ୍ନ ଭାବେ ଗଣେ । ମାତ୍ର କେଇଟା ଦିନ ଭିତରେ ତା’ର ପରିଚୟ ଲିଭିଯାଏ । ଏ କଥା ସତ, ଲାଇନରୁ ଅନ୍‌ଲାଇନ ଯେତିକି ସହଜ ଅନ୍‌ଲାଇନରୁ ଅଫ୍‌ଲାଇନ ସେତିକି ବିଷାଦ ।
ଏବେ ଆପଣଙ୍କ ହାତରେ ସବୁକିଛି ଲାଇନ, ଅନ୍‌ଲାଇନ ଓ ଅଫ୍‌ଲାଇନ । ଖାଲି ଚୟନ କରିବା ଯାହା ବାକି । ନୁହେଁ କି !!!
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା,
ମୋ-୯୫୫୬୨୮୭୭୭୫

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri