ଦିଗପହଣ୍ଡି,୧୨।୩(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ ଗୁଣ୍ଠପଡା ଗ୍ରାମ ନିକଟସ୍ଥ ରାସ୍ତାରେ ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି। ସମସ୍ତଙ୍କ ଘର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ଭୀଷ୍ମଗିରି ଗ୍ରାମ ପ୍ରେମ ନଗର ସାହିର ଭଗବାନ ବିଷୋୟୀଙ୍କ ପୁଅ ଅଜିତ ବିଷୋୟୀ (୨୨)ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍ଗ ଏନ୍. ପୂର୍ଣ୍ଣ ପାତ୍ର ଏବଂ ବି . ଶଙ୍କର ପାତ୍ର ନାମକ ୨ ଯୁବକ ଗୁରୁତର ହୋଇଛନ୍ତି ।
ସୂଚନାନୁଯାୟୀ, ବୁଧବାର ୩ ସାଙ୍ଗ ଏକ ବାଇକରେ ବି. ତୁରୁବୁଡ଼ିି ଗ୍ରାମ ନିକଟ କେରାଣ୍ଡିମାଳ ପାହାଡ଼ ଉପରେ ଥିବା ମାଁ ବାଙ୍କେଶରୀ ମନ୍ଦିରକୁ ଯାଇଥିଲେ । ଅପରାହ୍ନରେ ମା’ଙ୍କ ଦର୍ଶନ ସାରି ଘରକୁ ଫେରୁଥିବା ସମୟରେ ଅପରାହ୍ନ ପ୍ରାୟ ସାଢେ ୩ ଟା ରେ ବିପରୀତ ଦିଗରୁ ଏକ ଗାଡ଼ି ସେମାନଙ୍କ ବାଇକକୁ ଧକ୍କା ଦେଇ ଦ୍ରୁତ ଗତିରେ ସେଠାରୁ ଚମ୍ପଟ ମାରିଥିଲା। ରାସ୍ତାରେ ଯାଉଥିବା କିଛି ଗ୍ରାମବାସୀ ଦିଗପହଣ୍ଡି ଥାନା ଏବଂ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଆମ୍ବୁଲାନ୍ସ କର୍ମଚାରୀ ବୃନ୍ଦ ପହଞ୍ଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ଅଜିତଙ୍କୁ ମୃତ ଘୋଷଣା କରିଥିବା ବେଳେ ପୂର୍ଣ୍ଣ ଏବଂ ଶଙ୍କରଙ୍କ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ପରିବାରଲୋକଙ୍କ ଉପସ୍ଥିତିରେ ଅଜିତଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ଏନେଇ ଥାନାରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଜଣାପଡ଼ିଛି।


