ରାଷ୍ଟ୍ର ସାଧନାର ଶହେ ବର୍ଷ

ଶହେ ବର୍ଷ ପୂର୍ବେ ବିଜୟାଦଶମୀର ମହାପର୍ବ ଅବସରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରତିଷ୍ଠା ହୋଇଥିଲା। ଏହା ଥିଲା ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ସେହି ପରମ୍ପରାର ପୁନଃ ପ୍ରତିଷ୍ଠା, ଯେଉଁଥିରେ ରାଷ୍ଟ୍ର ଚେତନା ସମୟ ସମୟରେ ତତ୍କାଳୀନ ଯୁଗର ଆହ୍ବାନକୁ ସାମ୍ନା କରିବା ଲାଗି ନୂଆ ନୂଆ ଅବତାରରେ ପ୍ରକଟ ହୋଇଥାଏ। ଏହି ଯୁଗରେ ସଂଘ ସେହି ଅନନ୍ତ ରାଷ୍ଟ୍ର ଚେତନାର ପୁଣ୍ୟ ଅବତାର। ଏହା ଆମ ସ୍ବେଚ୍ଛାସେବକ ପିଢ଼ିର ସୌଭାଗ୍ୟ ଯେ ଆମେ ସଂଘର ଶତବାର୍ଷିକୀ ବର୍ଷ ଭଳି ଏକ ମହାନ୍‌ ଅବସରର ସାକ୍ଷୀ। ମୁଁ ଏହି ଅବସରରେ ରାଷ୍ଟ୍ର ସେବାର ସଂକଳ୍ପ ପ୍ରତି ସମର୍ପିତ କୋଟି କୋଟି ସ୍ବୟଂସେବକଙ୍କୁ ଶୁଭକାମନା ଜଣାଉଛି । ମୁଁ ସଂଘର ପ୍ରତିଷ୍ଠାତା, ଆମ ସମସ୍ତଙ୍କର ଆଦର୍ଶ ପରମ ପୂଜ୍ୟ ଡକ୍ଟର ହେଡ୍‌ଗେୱାର ଜୀଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଶହେ ବର୍ଷ ଧରି ସଂଘର ଏହି ଗୌରବମୟ ଯାତ୍ରାକୁ ସ୍ମରଣକରିବା ପାଇଁ ଭାରତ ସରକାର ସ୍ବତନ୍ତ୍ର ଡାକ ଟିକେଟ ଏବଂ ସ୍ମାରକୀ ମୁଦ୍ରା ମଧ୍ୟ ଜାରି କରିଛନ୍ତି।
ବିଶାଳ ନଦୀ କୂଳରେ ଯେପରି ଭାବେ ମାନବ ସଭ୍ୟତା ବିକଶିତ ହୋଇଥାଏ, ଠିକ୍‌ ସେହିପରି ସଂଘ କୁଳରେ ଶହ ଶହ ଜୀବନ ପ୍ରସ୍ଫୁଟିତ ହୋଇଛି। ପ୍ରତ୍ୟେକ ନଦୀ ଯେଉଁ ମାର୍ଗ ଦେଇ ବୋହିଯାଇଥାଏ, ସେହି କ୍ଷେତ୍ରକୁ ନିଜର ଜଳ ମାଧ୍ୟମରେ ସମୃଦ୍ଧ କରିଥାଏ। ଅନୁରୂପ ଭାବେ ସଂଘ ଏ ଦେଶର ପ୍ରତ୍ୟେକ କ୍ଷେତ୍ର, ସମାଜର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରିଛି। ନଦୀ ଯେପରି ଅନେକ ଧାରା ମାଧ୍ୟମରେ ନିଜକୁ ପ୍ରକଟିତ କରିଥାଏ, ସଂଘର ଯାତ୍ରା ମଧ୍ୟ ସେପରି ରହିଆସିଛି । ସଂଘର ଭିନ୍ନ ଭିନ୍ନ ସଙ୍ଗଠନ ମଧ୍ୟ ଜୀବନର ପ୍ରତ୍ୟେକ ପକ୍ଷ ସହ ଯୋଡ଼ିହୋଇ ରାଷ୍ଟ୍ର ସେବା କରୁଛନ୍ତି । ଶିକ୍ଷା, କୃଷି, ସମାଜ କଲ୍ୟାଣ, ଆଦିବାସୀ କଲ୍ୟାଣ, ମହିଳା ସଶକ୍ତୀକରଣ, ସାମାଜିକ ଜୀବନର ଏପରି ଅନେକ କ୍ଷେତ୍ରରେ ସଂଘ ନିରନ୍ତର କାର୍ଯ୍ୟ କରୁଅଛି। ବିବିଧ କ୍ଷେତ୍ରରେ କାମ କରୁଥିବା ପ୍ରତ୍ୟେକ ସଂଗଠନର ସମାନ ଉଦ୍ଦେଶ୍ୟ, ସମାନ ଭାବନା… ରାଷ୍ଟ୍ର ପ୍ରଥମେ।
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଗଠନ ହେବା ପରଠାରୁ ରାଷ୍ଟ୍ର ନିର୍ମାଣର ମହାନ୍‌ ଉଦ୍ଦେଶ୍ୟକୁ ପୂରଣକରିବା ନିମନ୍ତେ ନିଜର ଯାତ୍ରା ଜାରି ରଖିଛି ।
ଏହି ଉଦ୍ଦେଶ୍ୟ ପୂରଣ କରିବା ପାଇଁ ସଂଘ, ବ୍ୟକ୍ତି ନିର୍ମାଣ ଜରିଆରେ ରାଷ୍ଟ୍ର ନିର୍ମାଣର ମାର୍ଗ ଚୟନ କରିଛି ଏବଂ ଏହାକୁ ଜାରି ରଖିବା ପାଇଁ ଯେଉଁ କାର୍ଯ୍ୟପଦ୍ଧତି ଚୟନ କରିଛି ତାହା ହେଉଛି ନିତ୍ୟ-ନିୟମିତ ଚାଲୁଥିବା ଶାଖା। ସଂଘ ଶାଖାର ସେହି ପଡ଼ିଆ ଏପରି ଏକ ପ୍ରେରଣାର ଭୂମି, ଯେଉଁଠି ସ୍ବୟଂସେବକମାନଙ୍କର ଅହମ୍‌ରୁ ବୟଂର ଯାତ୍ରା ଆରମ୍ଭ ହୋଇଥାଏ। ସଂଘର ଶାଖାଗୁଡ଼ିକ ବ୍ୟକ୍ତି ନିର୍ମାଣର ଯଜ୍ଞବେଦୀ।
ରାଷ୍ଟ୍ର ନିର୍ମାଣର ମହାନ୍‌ ଉଦ୍ଦେଶ୍ୟ, ବ୍ୟକ୍ତି ନିର୍ମାଣର ସ୍ପଷ୍ଟ ପଥ ଏବଂ ଶାଖା ଭଳି ସରଳ, ଜୀବନ୍ତ କାର୍ଯ୍ୟପଦ୍ଧତି, ଏସବୁ ସଂଘର ଶହେ ବର୍ଷ ଯାତ୍ରାର ଆଧାର ପାଲଟିଛି। ଏହିସବୁ ସ୍ତମ୍ଭ ଉପରେ ଛିଡ଼ାହୋଇ ସଂଘ ଲକ୍ଷ ଲକ୍ଷ ସ୍ବୟଂସେବକଙ୍କୁ ଗଢ଼ିଛି, ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଦେଶକୁ ଆଗେଇନେଉଛନ୍ତି। ସଂଘ ଅସ୍ତିତ୍ୱ ଲାଭ କରିବା ଦିନଠାରୁ ଦେଶର ପ୍ରାଥମିକତା ହିଁ ସଂଘର ନିଜସ୍ବ ପ୍ରାଥମିକତା ରହିଆସିଛି। ସ୍ବାଧୀନତା ସଂଗ୍ରାମ ସମୟରେ ପରମ ପୂଜ୍ୟ ଡକ୍ଟର ହେଡ୍‌ଗେୱାର ଜୀଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ସ୍ବାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ, ଡକ୍ଟର ସାହେବ ଅନେକ ଥର ଜେଲ ମଧ୍ୟ ଯାଇଥିଲେ। ସ୍ବାଧୀନତା ସଂଗ୍ରାମରେ ଅନେକ ସ୍ବାଧୀନତା ସଂଗ୍ରାମୀଙ୍କୁ ସଂଘ ସଂରକ୍ଷଣ ଦେଇଥିଲା।
ସେମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ କାମ କରିଥିଲା। ସ୍ବାଧୀନତା ପରେ ମଧ୍ୟ ସଂଘ ନିରନ୍ତର ରାଷ୍ଟ୍ର ସାଧନରେ ନିୟୋଜିତ ରହିଆସିଛି। ଏହି ଯାତ୍ରାରେ ସଂଘ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା, ସଂଘକୁ ଦଳିମକଚି ଦେବାକୁ ଉଦ୍ୟମ କରାଯାଇଥିଲା। ଋଷିତୁଲ୍ୟ ପରମ ପୂଜ୍ୟ ଗୁରୁଜୀଙ୍କୁ ମିଛ କେସ୍‌ରେ ଫସେଇ ଦିଆଗଲା। କିନ୍ତୁ ସଂଘ ସ୍ବୟଂସେବକମାନେ କେବେ ବି କଟୂତାକୁ ଗ୍ରହଣ କରି ନ ଥିଲେ। କାରଣ ସେମାନେ ଜାଣିଥିଲେ, ଆମେ ସମାଜଠାରୁ ଭିନ୍ନ ନୁହେଁ, ବରଂ ସମାଜ ତ ଆମକୁ ନେଇ ଗଢ଼ା ହୋଇଛି ।
ସମାଜ ସହିତ ଏକାତ୍ମତା ଏବଂ ସାମ୍ବିଧାନିକ ସଂସ୍ଥା ପ୍ରତି ଆସ୍ଥା ସଂଘର ସ୍ବୟଂସେବକମାନଙ୍କୁ ପ୍ରତ୍ୟେକ ସଙ୍କଟ ସମୟରେ ସ୍ଥିତପ୍ରଜ୍ଞ ରଖିଆସିଛି, ସମାଜ ପ୍ରତି ସମ୍ବେଦନଶୀଳ କରି ରଖିଛି।
ପ୍ରତିଷ୍ଠା ଦିନରୁ ସଂଘ ଦେଶପ୍ରେମ ଏବଂ ସେବାର ସମର୍ଥକ ହୋଇଆସିଛି। ଯେତେବେଳେ ବିଭାଜନର ଯନ୍ତ୍ରଣା ଲକ୍ଷ ଲକ୍ଷ ପରିବାରକୁ ବାସହୀନ କରିଦେଇଥିଲା, ସେତେବେଳେ ସ୍ବେଚ୍ଛାସେବକମାନେ ଶରଣାର୍ଥୀଙ୍କ ସେବା କରିଥିଲେ। ପ୍ରତ୍ୟେକ ବିପଦରେ, ସଂଘର ସ୍ବେଚ୍ଛାସେବକମାନେ ସେମାନଙ୍କର ସୀମିତ ସମ୍ବଳ ସହିତ ସର୍ବାଗ୍ରେ ଠିଆହୋଇଥିଲେ। ଏହା କେବଳ ସାହାଯ୍ୟ ନ ଥିଲା; ଏହା ଦେଶର ଆତ୍ମାକୁ ଶକ୍ତିଶାଳୀ କରିବାର ଏକ କାର୍ଯ୍ୟ ଥିଲା। ବ୍ୟକ୍ତିଗତ ଦୁଃଖ ସହ୍ୟ କରିବା ଏବଂ ଅନ୍ୟମାନଙ୍କ ଦୁଃଖ ଦୂରକରିବା ପ୍ରତ୍ୟେକ ସ୍ବେଚ୍ଛାସେବକର ଲକ୍ଷଣ। ଆଜି ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ବୟଂସେବକମାନେ ପ୍ରଥମେ ପହଞ୍ଚିବା ମଧ୍ୟରେ ଅନ୍ୟତମ।
ନିଜର ଶହେ ବର୍ଷର ଏହି ଯାତ୍ରାରେ, ସଂଘ ସମାଜର ଭିନ୍ନ ଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ଆତ୍ମବୋଧ ଜାଗ୍ରତ କରିଛି, ସ୍ବାଭିମାନ ଜଗାଇଛି। ସଂଘ ଦେଶର ସେହି କ୍ଷେତ୍ରଗୁଡ଼ିକରେ ମଧ୍ୟ କାମକରି ଆସିଛି, ଯାହା ଦୁର୍ଗମ, ଯେଉଁଠି ପହଞ୍ଚିବା ସବୁଠୁ କଠିନ। ସଂଘ ଅନେକ ଦଶନ୍ଧି ଧରି ଆଦିବାସୀ ପରମ୍ପରା, ଆଦିବାସୀ ରୀତିନୀତି, ଆଦିବାସୀ ମୂଲ୍ୟବୋଧକୁ ସାଇତି ରଖିବାରେ ନିଜର ସହଯୋଗ ଦେଇ ଆସିଛି। ନିଜର କର୍ତ୍ତବ୍ୟ ନିର୍ବାହ କରି ଆସିଛି। ଆଜି ସେବା ଭାରତୀ, ବିଦ୍ୟା ଭାରତୀ, ଏକକ ବିଦ୍ୟାଳୟ, ବନବାସୀ କଲ୍ୟାଣ ଆଶ୍ରମ, ଆଦିବାସୀ ସମାଜର ସଶକ୍ତୀକରଣ ପାଇଁ ଆଧାର ପାଲଟିଛନ୍ତି।
ଶହ ଶହ ବର୍ଷ ଧରି ସମାଜରେ ଘର କରି ନେଇଥିବା କଳୁଷତା, ପ୍ରଚଳିତ କୁପ୍ରଥା ଉଚ୍ଚନୀଚ ଭାବନା ସୃଷ୍ଟିକରିବା ସହ ହିନ୍ଦୁ ସମାଜ ପାଇଁ ବହୁତ ବଡ଼ ଆହ୍ବାନ ଭାବେ ରହିଆସିଛି। ଏସବୁ ଗମ୍ଭୀର ଚିନ୍ତା ଉପରେ ସଂଘ ଲଗାତର କାମ କରିଆସିଛି। ଡକ୍ଟର ସାହେବଙ୍କଠାରୁ ନେଇ ଆଜି ପର୍ଯ୍ୟନ୍ତ, ସଂଘର ପ୍ରତ୍ୟେକ ମହାନ୍‌ ବିଭୂତିମାନେ ପ୍ରତ୍ୟେକ ସର-ସଂଘଚାଳକମାନେ ଭେଦଭାବ ଏବଂ ଛୁଆଁଅଛୁଆଁ ବିରୋଧରେ ଲଢ଼େଇ କରିଛନ୍ତି। ପରମପୂଜ୍ୟ ଗୁରୁଜୀ ନିରନ୍ତର ‘ନ ହିନ୍ଦୁ ପତିତୋ ଭବେତ୍‌’ ଭାବନାକୁ ପ୍ରଚାରପ୍ରସାର କରିଛନ୍ତି। ପୂଜ୍ୟ ବାଲା ସାହେବ ଦେବରସ ଜୀ କହୁଥିଲେ- ଛୁଆଁଅଛୁଆଁ ଯଦି ପାପ ନୁହେଁ, ତା’ହେଲେ ଦୁନିଆରେ କୌଣସି ପାପ ନାହିଁ! ସର-ସଂଘଚାଳକ ଥିବା ସମୟରେ ପୂଜ୍ୟ ରଜ୍ଜୁ ଭୈୟାଜୀ ଏବଂ ପୂଜ୍ୟ ସୁଦର୍ଶନଜୀ ମଧ୍ୟ ଏହି ଭାବନାକୁ ଆଗକୁ ବଢ଼ାଇଥିଲେ। ବର୍ତ୍ତମାନର ସରସଂଘଚାଳକ ଆଦରଣୀୟ ମୋହନ ଭାଗବତଜୀ ମଧ୍ୟ ସୌହାର୍ଦ୍ଦ୍ୟ ପାଇଁ ସମାଜ ସାମ୍ନାରେ ଏକ କୂପ, ଏକ ମନ୍ଦିର ଏବଂ ଏକ ଶ୍ମଶାନର ସ୍ପଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଯେତେବେଳେ ସଂଘ ଶହେ ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିଲା, ସେତେବେଳେ ସେହି ସମୟର ଆବଶ୍ୟକତା ଏବଂ ସଂଘର୍ଷ ଭିନ୍ନ ଥିଲା। କିନ୍ତୁ ଆଜି, ଶହେ ବର୍ଷ ପରେ, ଭାରତ ବିକାଶ ଆଡ଼କୁ ଅଗ୍ରସର ହେଉଥିବାରୁ ଆଜିର ଆହ୍ବାନ ଏବଂ ସଂଘର୍ଷ ଭିନ୍ନ। ଅନ୍ୟ ଦେଶ ଉପରେ ଆର୍ଥିକ ନିର୍ଭରଶୀଳତା, ଆମର ଏକତାକୁ ଭାଙ୍ଗିବା ପାଇଁ ଏବଂ ଜନସଂଖ୍ୟା ପରିବର୍ତ୍ତନ କରିବା ପାଇଁ ଷଡ଼ଯନ୍ତ୍ର ଆଦି ଆହ୍ବାନର ଆମ ସରକାର ଦୃଢ଼ ମୁକାବିଲା କରୁଛି । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମଧ୍ୟ ଏହି ଆହ୍ବାନଗୁଡ଼ିକର ମୁକାବିଲା ପାଇଁ ଏକ କଂକ୍ରିଟ ରୂପରେଖ ବିକଶିତ କରିବା ମୋ ପାଇଁ ଖୁସିର ବିଷୟ।
ସଂଘର ପଞ୍ଚ ପରିବର୍ତ୍ତନ- ସ୍ବବୋଧ, ସାମାଜିକ ସୌହାର୍ଦ୍ଦ୍ୟ, କୁଟୁମ୍ବ ପ୍ରବୋଧନ, ନାଗରିକ ଶିଷ୍ଟାଚାର ଏବଂ ପରିବେଶ ସଂକଳ୍ପ ପ୍ରତ୍ୟେକ ସ୍ବୟଂସେବକଙ୍କ ଲାଗି ଦେଶ ଆଗକୁ ଆସୁଥିବା ଆହ୍ବନକୁ ସମାପ୍ତ କରିବା ଲାଗି ବହୁତ ବଡ଼ ପ୍ରେରଣା।
ସ୍ବବୋଧ ଭାବନାର ଉଦ୍ଦେଶ୍ୟ ହେଉଛି ଗୋଲାମୀ ମାନସିକତାରୁ ମୁକ୍ତହୋଇ ନିଜ ଐତିହ୍ୟ ଉପରେ ଗର୍ବ କରିବା ଏବଂ ସ୍ବଦେଶୀ ମୂଳଦୁଆର ସଂକଳ୍ପକୁ ଆଗକୁ ବଢ଼ାଇବା। ସାମାଜିକ ସମନ୍ବୟ ଜରିଆରେ ବଞ୍ଚିତମାନଙ୍କୁ ପ୍ରାଥମିକତା ଦେଇ ସାମାଜିକ ନ୍ୟାୟର ସ୍ଥାପନା କରିବା ନିମନ୍ତେ ସଂକଳ୍ପ ନିଆଯାଇଛି । ଅନୁପ୍ରବେଶକାରୀଙ୍କ ପାଇଁ ଜନସଂଖ୍ୟାରେ ପରିବର୍ତ୍ତନ ଯୋଗୁ୍‌ ଆଜି ଆମର ସାମାଜିକ ସୌହାର୍ଦ୍ଦ୍ୟ ଏକ ବଡ଼ ଆହ୍ବାନର ସମ୍ମୁଖୀନ ହେଉଛି। ଏହାର ମୁକାବିଲା କରିବା ପାଇଁ ମଧ୍ୟ ଦେଶ ଡେମୋଗ୍ରାଫି ମିଶନ ଘୋଷଣା କରିଛି। ଆମକୁ କୁଟୁମ୍ବ ପ୍ରବୋଧନ ଅର୍ଥାତ୍‌ ପାରିବାରିକ ସଂସ୍କୃତି ଏବଂ ମୂଲ୍ୟବୋଧକୁ ଅଧିକ ମଜଭୁତ କରିବାକୁ ହେବ। ନାଗରିକ ଶିଷ୍ଟାଚାର ଜରିଆରେ ପ୍ରତ୍ୟେକ ଦେଶବାସୀଙ୍କ ମଧ୍ୟରେ ନାଗରିକ କର୍ତ୍ତବ୍ୟବୋଧ ଭରିବାର ଆବଶ୍ୟକତା ରହିଛି। ଏସବୁ ସହିତ ଆମ ପରିବେଶ ସୁରକ୍ଷା କରି ଆଗାମୀ ପିଢ଼ିର ଭବିଷ୍ୟତକୁ ସୁରକ୍ଷିତ ରଖିବା ମଧ୍ୟ ଜରୁରୀ।
ଏହି ସଂକଳ୍ପଗୁଡ଼ିକୁ ମନରେ ରଖି ସଂଘ ଏବେ ଆଗାମୀ ଶତାବ୍ଦୀର ଯାତ୍ରା ଆରମ୍ଭ କରୁଛି। ୨୦୪୭ ମସିହାର ବିକଶିତ ଭାରତ ଗଠନରେ ସଂଘର ପ୍ରତ୍ୟେକ ଯୋଗଦାନ ଦେଶର ଊର୍ଜା ବଢ଼ାଇ ଦେଶକୁ ଅନୁପ୍ରାଣିତ କରିବ। ପୁଣିଥରେ ପ୍ରତ୍ୟେକ ସ୍ବୟଂସେବକଙ୍କୁ ଅନେକ ଅନେକ ଶୁଭକାମନା।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri