ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ ସେମାନଙ୍କୁ ବାଟବଣା ହେବାରୁ ଦୂରେଇ ରଖିବା ଏବଂ ସୁଧାରିବା ପାଇଁ ଯେଉଁ ପଥଟିକୁ ଅନୁସରଣ କରାଯାଇପାରେ ତାହା ହେଉଛି ଆଧ୍ୟାତ୍ମିକ ପଥ।
ଆଧ୍ୟାତ୍ମିକତା କ’ଣ ? ଆଧ୍ୟାତ୍ମିକତା ହେଉଛି ମଣିଷ ନିଜକୁ ଜାଣିବାର ଏକ ଅନ୍ତର୍ଯାତ୍ରା। ଏହା କେବଳ ପୂଜା, ପ୍ରାର୍ଥନା, ଧର୍ମୀୟ ଆଚାର-ବିଚାର କିମ୍ବା ମନ୍ଦିର ଯିବାରେ ସୀମିତ ନୁହେଁ। ସରଳ ଭାବରେ କହିଲେ, ମୁଁ କିଏ, ମୋ ଜୀବନର ଉଦ୍ଦେଶ୍ୟ କ’ଣ ଏବଂ ମୁଁ ଅନ୍ୟମାନଙ୍କ ପାଇଁ କ’ଣ କରିପାରିବି? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବାର ପ୍ରକ୍ରିୟା ହେଉଛି ଆଧ୍ୟାତ୍ମିକତା। ନିଜକୁ ଜାଣିବା ଅର୍ଥାତ୍‌ ନିଜର ଚିନ୍ତା, ଭାବନା, ଦୁର୍ବଳତା, ଅହଙ୍କାର ଓ ଆକାଂକ୍ଷାକୁ ବୁଝିବା ସହ ନିଜକୁ ପରିବର୍ତ୍ତନ କରିବାକୁ ଆରମ୍ଭ କରିବା। ବାହ୍ୟ ଜଗତର ସଫଳତା ଓ ବିଫଳତା ମଧ୍ୟରେ ନିଜ ମନକୁ ସ୍ଥିର ରଖିବା। ଯାହା ଆମ ନିୟନ୍ତ୍ରଣରେ ନାହିଁ, ତାହାକୁ ସ୍ବୀକାର କରିବା ମଧ୍ୟ ଆଧ୍ୟାତ୍ମିକତାର ଏକ ଅଂଶ। କେବଳ ଈଶ୍ୱରଙ୍କୁ ଭଲ ପାଇବା ନୁହେଁ, ବରଂ ମଣିଷ, ପ୍ରକୃତି ଓ ସମସ୍ତ ଜୀବ ପ୍ରତି କରୁଣା ଓ ସମ୍ମାନ ରଖିବା। ଈଶ୍ୱରଙ୍କ ପାଇଁ ଭକ୍ତିକୁ ଆଚରଣରେ ଆଣିବା ନଚେତ୍‌ ତାହାର ଆଧ୍ୟାତ୍ମିକ ମୂଲ୍ୟ ଅସମ୍ପୂର୍ଣ୍ଣ। ଫଳର ଅତ୍ୟଧିକ ଆଶା ନ ରଖି ନିଜ କର୍ତ୍ତବ୍ୟକୁ ସଚ୍ଚୋଟ ଭାବରେ କରିବା। ମୁଁ ସବୁକିଛି ଭାବନାରୁ ବାହାରି ନିଜଠାରୁ ବଡ଼ ଏକ ସତ୍ୟ ବା ଚେତନା ସହିତ ନିଜର ସମ୍ପର୍କକୁ ଅନୁଭବ କରିବା ହେଉଛି ଆଧ୍ୟାତ୍ମିକତା।
ଆଧ୍ୟାତ୍ମିକତା ଭାବନାତ୍ମକ, ସମ୍ବେଦନଶୀଳ ଏବଂ ସହଜ ଜ୍ଞାନକୁ ଏକତ୍ର କରେ। ଯାହାଦ୍ୱାରା ବ୍ୟକ୍ତିଗତ ବିଶ୍ୱାସ, ଦୃଷ୍ଟିକୋଣ ଏବଂ ମୂଲ୍ୟବୋଧର ନିର୍ମାଣ ସମ୍ଭବ ହୋଇଥାଏ। ମାତ୍ର ଦୁଃଖର ବିଷୟ, ପ୍ରାରମ୍ଭିକ ପର୍ଯ୍ୟାୟରେ ଯେତେବେଳେ ପିଲାମାନଙ୍କୁ ଏଭଳି ଦିଗ୍‌ଦର୍ଶନର ଆବଶ୍ୟକତା ଥାଏ, ସେମାନଙ୍କୁ ଠିକ୍‌ ଏବଂ ବିଶ୍ୱସନୀୟ ମାର୍ଗଦର୍ଶନର ସ୍ରୋତ ପ୍ରାପ୍ତ ହୁଏ ନାହିଁ। ଏହାର ଅନେକ କାରଣ ଭିତରୁ ଗୋଟିଏ କାରଣ ହେଉଛି, ପରିବାର ଆଉ ଏକ ସଶକ୍ତ ସଂସ୍ଥା ହୋଇ ରହିନାହିଁ, ଯାହା ଦିନେ ପିଲାଙ୍କ ପାଇଁ ନିର୍ଭୟ ଆଶ୍ରୟ ଥିଲା। ମା’ବାପାଙ୍କ ପାଖରେ ନିଜ ପିଲାଙ୍କ ପାଇଁ ସମୟ ନାହିଁ, ଶିକ୍ଷାନୁଷ୍ଠାନଗୁଡ଼ିକ ମାନବୀୟ ମୂଲ୍ୟବୋଧ ଏବଂ ଚରିତ୍ର ଗଠନ ପାଇଁ ଉଦ୍ୟମ ନ କରି ବ୍ୟବସାୟିକ କୌଶଳ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ପୂର୍ବେ ଯୁବପିଢ଼ି ସୂଚନା ଏବଂ ମାର୍ଗଦର୍ଶନ ପାଇଁ ପାଖପଡୋଶୀ, ସାଙ୍ଗସାଥୀ, ପୁସ୍ତକ ଏବଂ ଟେଲିଭିଜନର ସାହାଯ୍ୟ ନେଉଥିଲେ, ମାତ୍ର ଆଜିର ପିଢ଼ି ସ୍ମାର୍ଟଫୋନ, କମ୍ପ୍ୟୁଟର ଓ ଇଣ୍ଟରନେଟ ଉପରେ ନିର୍ଭରଶୀଳ। ଅଭିଭାବକ ଓ ବୟୋଜ୍ୟେଷ୍ଠମାନଙ୍କ ସ୍ଥାନ ପ୍ରସିଦ୍ଧ ଏବଂ ଭଲ ନାଁ କରିଥିବା ବ୍ୟକ୍ତିମାନେ ନେଲେଣି। ପିଲାମାନେ ଆଦର୍ଶ ରୂପେ ସମସ୍ୟା ସମାଧାନର ନିର୍ଦ୍ଦିଷ୍ଟ ପଦ୍ଧତିକୁ ଗ୍ରହଣ କରିବାକୁ ଇଚ୍ଛା କରୁଛନ୍ତି, ଜ୍ଞାନ ଓ ଅନୁଭବଠାରୁ ବେଶି ପ୍ରାଧାନ୍ୟ ଲାଇକ, ଭିଉ, ମତାମତ ଏବଂ ଖବରକୁ ଦିଆଯାଉଛି।
ମନୋରଞ୍ଜନ ନଁାରେ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଅଧିକାଂଶ ବିଷୟବସ୍ତୁ ଯୁବପିଢ଼ିଙ୍କୁ ବିଭ୍ରାନ୍ତ, ଲକ୍ଷ୍ୟଚ୍ୟୁତ ଏବଂ ଅସହିଷ୍ଣୁ କରିଚାଲିଛି। ସେମାନଙ୍କର ଅପରିପକ୍ୱ କୋମଳ ମନ ବିକୃତ ପ୍ରବୃତ୍ତି ଏବଂ ତର୍କହୀନ ବିଚାରଗୁଡିକର ରଣକ୍ଷେତ୍ର ପାଲଟିଯାଇଛି। ସେମାନେ ସଂଘର୍ଷମୟ ଜୀବନର ଚକ୍ରବୂ୍ୟହରେ ଏମିତି ଆବଦ୍ଧ ହୋଇଯାଇଛନ୍ତି ଯେ, ସେଠାରୁ ମୁକୁଳିବା କଷ୍ଟକର ହେଲାଣି। ପ୍ରତିଯୋଗିତାରେ ଆଗେଇବା, ଜୀବନରେ ସଫଳତା ହାସଲ କରିବା ଏବଂ ଅନ୍ୟମାନଙ୍କ ସହ ତୁଳନା କରାଯାଇ ସେମାନଙ୍କୁ ଭାରାକ୍ରାନ୍ତ କରାଯାଉଛି। ବାହାରୁ ସେମାନେ ସଫଳ, ଆକର୍ଷଣୀୟ ଏବଂ ଅଧିକ ବ୍ୟବସ୍ଥିତ ଲାଗୁଛନ୍ତି ସତ, ହେଲେ ବାସ୍ତବରେ ଅହରହ ସଂଘର୍ଷର ଚାପରେ ସେମାନେ ପୀଡ଼ିତ! ସେଥିପାଇଁ ସାରାଦେଶରେ ମନୋଚିକିତ୍ସକ ଏବଂ ମନୋବିଶେଷଜ୍ଞମାନେ ଯୁବପିଢ଼ିଙ୍କ ଅବସାଦ ବୃଦ୍ଧିକୁ ଲକ୍ଷ୍ୟ କରି ଉଦ୍‌ବେଗ ପ୍ରକାଶ କରିଛନ୍ତି।
ତେବେ ଯୁବପିଢ଼ିଙ୍କୁ ଏହି ବିପଜ୍ଜନକ ପରିସ୍ଥିତିରୁ ମୁକୁଳେଇବା ପାଇଁ ପରିବାର, ଶିକ୍ଷାନୁଷ୍ଠାନ ଏବଂ ସମାଜ, ପ୍ରତ୍ୟେକଙ୍କର ଭୂମିକା ରହିଛି। ମାତ୍ର ଆଧ୍ୟାତ୍ମିକତା, ମୂଲ୍ୟବୋଧ ନିର୍ମାଣ ପାଇଁ ଏକ ଶକ୍ତିଶାଳୀ ଆଧାର ପ୍ରଦାନ କରେ ବୋଲି ପ୍ରମାଣିତ ହୋଇସାରିଛି। ଆଧ୍ୟାତ୍ମିକତା ଚରିତ୍ର ନିର୍ମାଣରେ ମୂଳଦୁଆ ପକେଇ ପାରିବ ବୋଲି ବିଶ୍ୱାସ ରହିଛି। ମୂଲ୍ୟବୋଧ ଆଧାରିତ ଜୀବନ ବଞ୍ଚିବା, ଜୀବନର ଉପଦେଶକୁ ବୁଝିବା ଏବଂ ବିକଶିତ ବୌଦ୍ଧିକ, ନୈତିକ ଏବଂ ଭାବନାତ୍ମକ ଗୁଣ ଅନୁସରଣ କରିବାକୁ ଶକ୍ତି ଯୋଗାଏ ଆଧ୍ୟାତ୍ମିକତା। ପ୍ରତ୍ୟେକ ମଣିଷର ଅନ୍ତରରେ ଥିବା ଭଲଗୁଣଗୁଡିକୁ ସ୍ପର୍ଶ କରେ ଆଧ୍ୟାତ୍ମିକତା। ସେଥିପାଇଁ ଏହା ପ୍ରତ୍ୟେକ ପିଢ଼ିକୁ ଠିକ୍‌ ମାର୍ଗଦର୍ଶନ ଦେବାର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ହୋଇ ରହିବ।
ମନେରଖିବା ଉଚିତ ଯେ, ଯୁବଶକ୍ତି ସମାଜ ଓ ରାଷ୍ଟ୍ର ହିତରେ ମହତ କାର୍ଯ୍ୟ କରିବା ଦିଗରେ ଅକ୍ଳାନ୍ତ ପରିଶ୍ରମ ଓ କଠୋର ସାଧନା ଜାରି ରଖିଛନ୍ତି। ଜଳବାୟୁ ପରିବର୍ତ୍ତନ, ମାନସିକ ସ୍ବାସ୍ଥ୍ୟ ସଚେତନତା, ସାମାଜିକ ନ୍ୟାୟ ଏସବୁ କ୍ଷେତ୍ରରେ ପରିବର୍ତ୍ତନର ସ୍ବପ୍ନ ଦେଖିବା ଏବଂ ତାକୁ ପୂରଣ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରଖିବା, ଆଧ୍ୟାତ୍ମିକତାର ବିରୋଧାଭାସ ନୁହେଁ, ବରଂ ଏହାର ମୂଳତତ୍ତ୍ୱ ବୋଲି କହିଲେ ଠିକ୍‌ ହେବ, ଯାହାକୁ କେବଳ ଯଥାର୍ଥ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ଏଣୁ ଯୁବପିଢ଼ିଙ୍କୁ ଆଧ୍ୟାତ୍ମିକ ଜ୍ଞାନ ପାଇଁ ଉତ୍ସାହିତ କଲେ ଜୀବନର କୌଣସି ପରିସ୍ଥିତିକୁ ସାମ୍ନା କରିବା ଏବଂ ଏକ ସାର୍ଥକ ଜୀବନ ବଞ୍ଚିବା ସମ୍ଭବ ହେବ।
ଆଧ୍ୟାତ୍ମିକ ଦୃଷ୍ଟିକୋଣ କହେ, ପ୍ରତ୍ୟେକ ବ୍ୟକ୍ତି ଭିତରେ ସର୍ବୋତ୍ତମ କର୍ମ କରିବାର କ୍ଷମତା ରହିଛି। ଅନ୍ୟମାନଙ୍କ ସହ ମୂଲ୍ୟବାନ ମାନବୀୟ ଗୁଣକୁ ବାଣ୍ଟିବାରେ ମଣିଷ ସକ୍ଷମ। ଏଣୁ ଯୁବାବୟସରୁ ହିଁ ସମ୍ମାନଜନକ ବ୍ୟବହାର ସହ ସେମାନଙ୍କ ଦକ୍ଷତାକୁ ଚିହ୍ନିବାର ଆବଶ୍ୟକତା ରହିଛି। ଯୁବଶକ୍ତିଙ୍କୁ ଅପରିପକ୍ୱ ଏବଂ ଅଜ୍ଞାନୀ ମନେକରି ନିୟନ୍ତ୍ରଣ କରିବା, ସେମାନଙ୍କୁ ସୁଧାରିବା ଭଳି ମାନସିକତା ନ ରଖି ସେମାନଙ୍କୁ କୌଶଳ ଏବଂ ସମାଧାନର ବାହକ ରୂପେ ସ୍ବୀକାର କରିବାକୁ ହେବ।
ଭୁବନେଶ୍ୱର
ମୋ: ୬୩୭୦୫୧୬୪୭୮

Odisha’s No.1 Odia Daily