Categories: ଖେଳ

ଅଲିମ୍ପିକ୍‌ ବ୍ୟାଡ୍‌ମିଣ୍ଟନ: ସିନ୍ଧୁଙ୍କ ବିଜୟ ଅଭିଯାନ

 

ଟୋକିଓ,୨୬।୭(ପି.ଟି): ଟୋକିଓ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟରେ ଭାରତୀୟ ମହିଳା ତାରକା ଖେଳାଳି ତଥା ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଗତ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ସିନ୍ଧୁ ପ୍ରଥମ ରାଉଣ୍ଡରେ ଇସ୍ରାଏଲର କେସିନା ପୋଲିକରପୋଭାଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଟୁର୍ନାମେଣ୍ଟରେ ଷଷ୍ଠ ସିଡ୍‌ ମାନ୍ୟତା ପାଇଥିବା ସିନ୍ଧୁ ୨୧-୭, ୨୧-୧୦ରେ ବିଶ୍ୱର ୫୮ ନମ୍ବର ଖେଳାଳି ପୋଲିକରପୋଭାଙ୍କୁ ସିଧାସଳଖ ଗେମ୍‌ରେ ହରାଇ ଅଗ୍ରଗତି କରିଛନ୍ତି।
ଏହି ମ୍ୟାଚ୍‌କୁ ଆଦୌ ହାଲୁକା ଭାବେ ନେଇ ନ ଥିଲି। ମ୍ୟାଚ୍‌ର ପ୍ରତ୍ୟେକ ମୁହୂର୍ତ୍ତ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ସିନ୍ଧୁ ମ୍ୟାଚ୍‌ ପରେ କହିଛନ୍ତି। ତେବେ ବିଜୟୀ ହେବା ପାଇଁ ସିନ୍ଧୁଙ୍କୁ ସେତେଟା କଷ୍ଟ କରିବାକୁ ପଡି ନ ଥିଲା। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୭ ନମ୍ବର ସ୍ଥାନରେ ରହିଥିବା ସିନ୍ଧୁ ଏବେ ଦ୍ୱିତୀୟ ରାଉଣ୍ଡରେ ୩୪ ନମ୍ବର ଖେଳାଳି ହଂକଂର ଚେଅଙ୍ଗ ଏନ୍‌ଗାନଙ୍କୁ ଗ୍ରୁପ୍‌ ପର୍ଯ୍ୟାୟରେ ଭେଟିବେ। ଆରମ୍ଭରୁ ସିନ୍ଧୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ଓ ପ୍ରତିପକ୍ଷ ଖେଳାଳିଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ।
ଶନିବାର ଭାରତୀୟ ଡବଲ୍ସ ଯୋଡି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଶ୍ୱର ୨ ନମ୍ବର ଯୋଡି ଚାଇନିଜ ତାଇପେର ୟାଙ୍ଗ ଲି ଓ ଚି- ଲିନ୍‌ ଓ୍ବାଙ୍ଗଙ୍କୁ ଗ୍ରୁପ୍‌ ଏ’ ମ୍ୟାଚ୍‌ରେ ହରାଇ ବିପର୍ଯ୍ୟୟ ଘଟାଇବା ସହ ଅଗ୍ରଗତି କରିଛନ୍ତି। ତେବେ ବି. ସାଇ ପ୍ରଣୀଥ ବିଶ୍ୱର ୪୭ ନମ୍ବର ଖେଳାଳି ଇସ୍ରାଏଲର ମିଶା ଜିଲବେରମ୍ୟାନଙ୍କଠାରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି।

Share