ଚାଇନାକୁ ବୟସ୍କ ଚିନ୍ତା

ଲଳିତେନ୍ଦୁ ପଲାଉରୀ

 

ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ଚାଇନାକୁ ଏବେ ବାର୍ଦ୍ଧକ୍ୟ ଚିନ୍ତା। ଚାଇନା ସରକାରଙ୍କ ପକ୍ଷରୁ ପ୍ରକାଶିତ ଜାତୀୟ ଜନଗଣନା ସର୍ଭେ ରିପୋର୍ଟରେ ଏମିତି କିଛି ତଥ୍ୟ ଉନ୍ମୋଚନ ହୋଇଛି। ନିକଟରେ ପ୍ରକାଶିତ ୨୦୨୦ର ଜନଗଣନା ରିପୋର୍ଟରେ ଦର୍ଶାଯାଇଛି ଯେ, ୨୬୪ ମିଲିୟନ ଚାଇନା ନାଗରିକ ଏବେ ୬୦ ବର୍ଷ ବୟସ୍କ ବା ତଦୂଦ୍ଧର୍‌ବ। ଅର୍ଥାତ୍‌ ବର୍ତ୍ତମାନ ଚାଇନାର ମୋଟ ଜନସଂଖ୍ୟାର ପାଖାପାଖି ୧୯ ପ୍ରତିଶତ ବୃଦ୍ଧାବସ୍ଥା ଦେଇ ଗତି କରୁଛନ୍ତି। ସେହିଭଳି ଚାଇନା ଡେଭଲପ୍‌ମେଣ୍ଟ ରିସର୍ଚ୍ଚ ଫାଉଣ୍ଡେଶନ ମଧ୍ୟ ପ୍ରକାଶ କରିଛି ଯେ, ୨୦୫୦ ବେଳକୁ ଏହି ସଂଖ୍ୟା ଆହୁରି ଅଧିକ ହୋଇ ୫୦୦ ମିଲିୟନରେ ପହଞ୍ଚତ୍ୟିବ। ସେତେବେଳକୁ ଚାଇନାର ମୋଟ ଜନସଂଖ୍ୟାର ଏକ ତୃତୀୟାଂଶ ବୃଦ୍ଧାବସ୍ଥା ଭୋଗୁଥିବେ। ଏଭଳି ତଥ୍ୟ ବର୍ତ୍ତମାନ ଚାଇନା ସରକାରଙ୍କୁ ଚିନ୍ତାରେ ପକାଇଛି। ବିଶ୍ବରେ ନକଲି ଜିନିଷ ତିଆରିରେ ଅଧିକ ମୁଣ୍ଡ ଖେଳାଉଥିବା ଚାଇନାବାସୀ ଅସଲି ମଣିଷ ସୃଷ୍ଟି କରିବାରେ ଯେମିତି ପଛରେ ପଡିଯାଇଛନ୍ତି। ତେବେ ଏସବୁ ପଛରେ ଚାଇନାର ୧୯୫୦ ମସିହାର ଡେଙ୍ଗ୍‌ ସିଓ ପିଙ୍ଗ୍‌ଙ୍କ ଶାସନ ସମୟରେ ପ୍ରଚଳନ ଜନସଂଖ୍ୟା ନୀତି ଦାୟୀ ବୋଲି ଚର୍ଚ୍ଚା ହେଉଛି।
୧୯୮୦ ଦଶକରେ ଚାଇନା ତା’ର ଅର୍ଥନୀତିକୁ ସୁଦୃଢ଼ କରିବାକୁ ଡେଙ୍ଗ ସିଓ ପିଙ୍ଗଙ୍କ ସରକାର ଦେଶରେ ଜନସଂଖ୍ୟା ନିୟନ୍ତ୍ରଣକୁ ହିଁ ଅଧିକ ଗୁରୁତ୍ୱ ଦେଇଥିଲା। ଫଳରେ ଦେଶରେ ୱାନ୍‌ କପଲ ୱାନ୍‌ ଚାଇଲ୍ଡ ନୀତି ବା ଏକ ଦମ୍ପତି ଏକ ସନ୍ତାନ ନୀତି ପ୍ରଣୟନ କରାଯାଇଥିଲା। ଯାହାର ଫଳ ସ୍ବରୂପ ଚାଇନାରେ ଜନ୍ମ ନିୟନ୍ତ୍ରଣ ହେଲା ସତ, କିନ୍ତୁ ବର୍ତ୍ତମାନ ସ୍ଥିତି ଯାହା ଏହା ୧୯୫୦ ମସିହାର ଜନ୍ମହାର ସହ ତୁଳନା କରାଯାଉଛି, ଯାହାକି ଚାଇନା ପାଇଁ ସମସ୍ୟା ସୃଷ୍ଟି କରିଛି। ତେବେ ୨୦୧୬ରେ ୱାନ ଚାଇଲ୍ଡ ପଲିସିରେ କିଛିଟା ପରିବର୍ତ୍ତନ କରାଯାଇ ଆମେ ଦୁଇ ଆମର ଦୁଇ ନିୟମ ପୁଣି ଲାଗୁ କରାଗଲା ସତ, କିନ୍ତୁ ଏହା ଆଶାନୁରୂପକ ସଫଳ ହୋଇନଥିବା ଏବେ ଜନଗଣନା ତଥ୍ୟରେ ଦର୍ଶାଯାଇଛି। ତେଣୁ ନୂଆ ନିୟମ ବଳରେ ଏଣିକି ଚାଇନା ପ୍ରତି ସକ୍ଷମ ଦମ୍ପତି ୨ଟି ସନ୍ତାନ ନୁହେଁ, ୩ଟି ସନ୍ତାନ ଜନ୍ମ ଦେଇପାରିବେ ଏବଂ ଏଥିରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ଚାଇନା ସରକାର ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ବି ଚାଇନାର ସବୁଠୁ ବଡ଼ ସମସ୍ୟା ହେଉଛି ଏହାର ଯୁବପିଢ଼ିଙ୍କ ମଧ୍ୟରେ ପ୍ରଜନନ କ୍ଷମତା ବ୍ୟାପକ ମାତ୍ରାରେ ହ୍ରାସ ପାଇଛି, ଯାହାକି ସେଠାରେ ଜନସଂଖ୍ୟା ହ୍ରାସର ଆଉ ଏକ ବଡ଼ କାରଣ ବୋଲି ଧରାଯାଉଛି। ଚାଇନାରେ ଯୁବପିଢ଼ିଙ୍କ ମଧ୍ୟରେ ପ୍ରଜନନ କ୍ଷମତା ୧.୩କୁ ଖସି ଆସିଛି। ଏଭଳି ହେବା ପଛରେ କେତେକ ନିର୍ଦ୍ଦିଷ୍ଟ କାରଣକୁ ମଧ୍ୟ ଦାୟୀ କରାଯାଇଛି। ପ୍ରମୁଖ କାରଣଗୁଡିକ ମଧ୍ୟରେ ଚାଇନାର କଠୋର ଶ୍ରମ ଆଇନ ଅନୁସାରେ କାର୍ଯ୍ୟକ୍ଷେତ୍ରରେ ଯୁବପିଢ଼ିମାନେ ଅଧିକ ସମୟ ନିବେଶ କରୁଛନ୍ତି। ପରିବାର, ସନ୍ତାନସନ୍ତତି କଥା ଚିନ୍ତା କରିବାକୁ ସେମାନଙ୍କ ପାଖରେ ସମୟ କମ୍‌ ରହୁଛି। ସୁଖ ସମୃଦ୍ଧ ଜୀବନ ପାଇଁ ଅର୍ଥ ଉପାର୍ଜନକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି ଯୁବପିଢ଼ି। ଅଧିକାଂଶ ଯୁବପିଢ଼ି ଅବିବାହିତ ରହିବାକୁ ପସନ୍ଦ କରୁଛନ୍ତି।
ଚାଇନାରେ ସାମାଜିକ ଓ ପାରିବାରିକ ଜୀବନ ଶୈଳୀରେ ଘନିଷ୍ଠତା ବହୁତ କମ। ୱାନ୍‌ ଚାଇଲ୍ଡ ପଲିସି ନିୟମକୁ ପାଳନ କରିବାକୁ ଯାଇ ବିବାହ ପରେ ବି ସନ୍ତାନ ଜନ୍ମ କରିବାକୁ ଅନେକ ଇଚ୍ଛା ପ୍ରକାଶ କରୁନାହାନ୍ତି। ବିଶେଷ ଭାବେ ଚାଇନାର ସହରାଞ୍ଚଳରେ ରହୁଥିବା କର୍ମଜୀବୀ ଯୁବପିଢ଼ି ଭାବୁଛନ୍ତି କି ସେମାନଙ୍କ ଛୁଆ ଜନ୍ମ ପରେ ଲାଳନପାଳନ, ପାଠପଢ଼ା ଓ ସେମାନଙ୍କୁ ପ୍ରତିଷ୍ଠିତ କରିବାକୁ ପ୍ରଚୁର ଅର୍ଥ ଆବଶ୍ୟକ ହେଉଥିବାରୁ ସେମାନେ ସନ୍ତାନ ଜନ୍ମ ଦେବାକୁ ଆଗ୍ରହ ଦେଖାଉନାହାନ୍ତି। ଏହା ସହ ଏକ ସନ୍ତାନ ନିୟମ ଯୋଗୁ ଦେଶର କେବଳ ଏକକ ସନ୍ତାନଟି ପୁତ୍ର ସନ୍ତାନ ହେବା ଉଚିତ ବୋଲି ଏହା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି, ଯାହା ଫଳରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ, ବଳପୂର୍ବକ ଗର୍ଭନଷ୍ଟ, କନ୍ୟାଭ୍ରୂଣ ହତ୍ୟା, କନ୍ୟା ସନ୍ତାନଙ୍କ ପ୍ରତି ହତାଦର ବଢ଼ି ବଢ଼ି ଚାଲିଛି। ଫଳସ୍ବରୂପ ଅନେକ ଦମ୍ପତି ଏସବୁ ଗୋଳମାଳିଆ ଭିତରେ ନ ପଶିି ସନ୍ତାନ ଜନ୍ମ ପ୍ରତି ଅନିଚ୍ଛା ଦେଖାଉଛନ୍ତି। ଗର୍ଭଧାରଣ ପୂର୍ବରୁ ସେମାନଙ୍କୁ ଚାଇନାର ବିଭିନ୍ନ ଆଇନକାନୁନ ଓ ସେମାନଙ୍କ ପରିବାର ସ୍ବଚ୍ଛଳତା କଥା ମଧ୍ୟ ଚିନ୍ତା କରିବାକୁ ପଡୁଛି। ଚାଇନାର ଜାତୀୟ ପରିସଂଖ୍ୟାନ ବ୍ୟୁରୋ ତଥ୍ୟରୁ ଜଣାପଡିଛି ଯେ, ୨୦୨୦ରେ ଚାଇନାରେ ମୋଟ ୧.୨ କୋଟି ଶିଶୁ ଓ ୨୦୧୯ରେ ୧.୪୬୫ କୋଟି ଶିଶୁ ଜନ୍ମ ନେଇଛନ୍ତି। ତେବେ ଏହି ୨ ବର୍ଷର ତୁଳନାତ୍ମକ ରିପୋର୍ଟ ଦେଖିଲେ ୨୦୧୯ ଅପେକ୍ଷା ୨୦୨୦ରେ ୧୮% କମ୍‌ ଶିଶୁ ଜନ୍ମ ନେଇଛନ୍ତି। ସେହିଭଳି ଚାଇନାର ଏଭରଗ୍ରେଣ୍ଡ ରିସର୍ଚ୍ଚ ଇନ୍‌ଷ୍ଚିଚ୍ୟୁଟ୍‌ର ତଥ୍ୟ ପ୍ରକାଶ କରିଛି ଯେ, ୧୯୮୭ରେ ଚାଇନାରେ ୨୦ରୁ ୩୦ବର୍ଷ ବୟସ୍କା ମହିଳାଙ୍କ ସଂଖ୍ୟା ୧୯୦ ମିଲିୟନ ଥିଲା। ୨୦୧୭ରେ ଏହା ୧୭୦ ମିଲିୟନକୁ ଖସିଆସିଛି। ତେବେ ୨୦୩୦ ବେଳକୁ ଏହା ଆହୁରି ତଳକୁ ଖସି ୧୧୦ ମିଲିୟନ ହେବାର ଆକଳନ କରାଯାଉଛି। ଏହା ପଛରେ ମଧ୍ୟ ଆଉ ଏକ ପ୍ରମୁଖ କାରଣ ରହିଛି।
ଚାଇନାରେ ୱାନ୍‌ କପଲ ୱାନ୍‌ ଚାଇଲ୍ଡ ନୀତିକୁ ବାଧ୍ୟତାମୂଳକ ପ୍ରୟୋଗ କରାଯିବା ପରେ ଚାଇନାବାସୀଙ୍କ ମନରେ ପରବର୍ତ୍ତୀ ପିଢ଼ିକୁ ନେଇ ଦ୍ବନ୍ଦ୍ୱ ଦୂର ହେଉନି। ତେଣୁ ଏଭଳି ଧାରଣାକୁ ନେଇ ଚାଇନାରେ ଅଧିକାଂଶ ଗର୍ଭବତୀ ବାଧ୍ୟ ହୋଇ ବେଆଇନ ଗର୍ଭପାତ, କନ୍ୟାଭ୍ରୂଣ ହତ୍ୟା ଓ ଅନେକ ମା’ ସେମାନଙ୍କ ଜନ୍ମିତ କନ୍ୟାଙ୍କୁ ଅନାଥାଶ୍ରମରେ ଛାଡ଼ିି ଚାଲିଆସିବା ଭଳି ସ୍ଥିତି ଦେଖାଦେଇଛି। ମନେଥିବ, କିଛିଦିନ ତଳେ ଚାଇନାର ସଂଖ୍ୟାଲଘୁ ଉୟିଘୁର ମୁସଲମାନମାନଙ୍କୁ ଚାଇନାରେ ଜନସଂଖ୍ୟା ବିସ୍ଫୋରଣର କାରଣ ଦର୍ଶାଇ ଏହି ସଂଖ୍ୟାଲଘୁ ଗୋଷ୍ଠୀର ମହିଳାମାନଙ୍କୁ ବଳପୂର୍ବକ ବାକରଣ ଓ ସେମାନଙ୍କ ଗର୍ଭନଷ୍ଟ କରିବା ଭଳି କାର୍ଯ୍ୟ କରି ଚାଇନା ସରକାର ଜାତିସଂଘ ଓ ବିଶ୍ବ ମାନବାଧିକାର ଆୟୋଗଙ୍କ ବିରୋଧାଭାସର ଶିକାର ହୋଇଥିଲେ। ଗତ ନଭେମ୍ବରରେ ଚାଇନାର ହ୍ବାବାଇ ଅଞ୍ଚଳରେ ୨ ଲକ୍ଷ ୮୪ ହଜାର ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଏକ ସାମାଜିକ ସର୍ଭେ ରିପୋର୍ଟ ଦର୍ଶାଇଛି ଯେ, ଚାଇନାରେ ସନ୍ତାନ ଜନ୍ମ ନିୟମକୁ ଯଦି ସମ୍ପୂର୍ଣ୍ଣ କୋହଳ କରାଯାଏ, ତେବେ ଏଥିମଧ୍ୟରୁ ଦେଢ଼ ଲକ୍ଷ ଦମ୍ପତି କୌଣସି ସନ୍ତାନ ଜନ୍ମ ଦେବା ସପକ୍ଷରେ ନାହାନ୍ତି। ସେହିଭଳି ୮୫ ହଜାର ଯୁବପିଢ଼ି କହିଛନ୍ତି, ନିୟମ କୋହଳ ସତ୍ତ୍ୱେ ସେମାନେ କେବଳ ଗୋଟିଏ ସନ୍ତାନ ଚାହାନ୍ତି। ଏହି ସର୍ଭେରେ ୩ଟି ସନ୍ତାନ ସପକ୍ଷରେ ମାତ୍ର ୧୦ ହଜାର ମତ ଦେଇଛନ୍ତି। ତେବେ ୧୯୯୦ ପରେ ଜନ୍ମିତ ଅଧିକାଂଶ ଯୁବପିଢ଼ିଙ୍କ ମତ, ସେମାନେ ଆଦୌ ବିବାହ କରିବାକୁ ଚାହାନ୍ତି ନାହିଁ। ସେମାନଙ୍କ ଉପରେ ବିଭିନ୍ନ କାରଣରୁ ଆର୍ଥିକ ବୋଝ ଥିବା ଦର୍ଶାଇ ସେମାନେ ବିବାହ କିମ୍ବା ବିବାହ ପରେ ସନ୍ତାନ ଜନ୍ମ ଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ମନସ୍ଥ କରିଛନ୍ତି। ଏଭଳି ଅନେକ ଘଟଣା ଚାଇନାରେ ବୟସ୍କ ନାଗରିକଙ୍କ ସଂଖ୍ୟାବୃଦ୍ଧିର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି।
ଜାଣି ଆଶ୍ଚର୍ଯ୍ୟ ହେବେ, ଏବେ ଚାଇନାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଏତେମାତ୍ରାରେ ବଢ଼ିଗଲାଣି ଯେ ଏହା ତାଙ୍କ ଦେଶର ଆର୍ଥିକ ସ୍ଥିତିକୁ ବୃହତ୍ତର ଭାବେ ପ୍ରଭାବିତ କରିଛି। ତେଣୁ ଦେଶରେ ନୂଆ ପିଢ଼ି ବା ଯୁବଶକ୍ତି ସୃଷ୍ଟି କରି ଦେଶକୁ ଅଧିକ ବିକଶିତ କରିବାକୁ ପ୍ରତି ସକ୍ଷମ ଦମ୍ପତି ୩ଟି ସନ୍ତାନ ଜନ୍ମଦେଲେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସିଧା ସିଧା କହିଛନ୍ତି ଚାଇନା ସରକାର। ତେବେ ଚାଇନା ବର୍ତ୍ତମାନ ସଙ୍ଗିନ ବୃଦ୍ଧାବସ୍ଥା ସ୍ଥିତି ଦେଇ ଗତି କରୁଥିବା ବେଳେ ଭାରତ ଏକ ବିକଶିତ ଯୁବବହୁଳ ରାଷ୍ଟ୍ର ଭାବେ ଉଭା ହୋଇଛି। ଭାରତକୁ ଏବେ ୬୦% ଯୁବକଙ୍କ ଦେଶ ବା କଣ୍ଟ୍ରି ଅଫ୍‌ ୟୁଥ ବୋଲି କୁହାଯାଉଛି। ତେଣୁ ଏକବିଂଶ ଶତାବ୍ଦୀ ଭାରତୀୟ ଯୁବପିଢ଼ିଙ୍କ ପାଇଁ ଏକ ଭରପୂର ସୁଯୋଗ ଆଣି ଦେଇଛି। କେବଳ ଏସିଆ ମହାଦେଶ ନୁହେଁ, ବିଶ୍ବର କୋଣ ଅନୁକୋଣରେ ଭାରତୀୟ ଯୁବ ପ୍ରତିଭାମାନଙ୍କର ନେତୃତ୍ୱ ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ଆମ ଦେଶର ଯୁବଗୋଷ୍ଠୀ ଅଧିକରୁ ଅଧିକ କୁଶଳୀ, ଦକ୍ଷ ଓ ସ୍ବାବଲମ୍ବୀ ଉଦ୍ୟମୀ ହେବାକୁ ଏକାଗ୍ରତା ଓ ପରିଶ୍ରମ ଜାରି ରଖିଲେ ବିଶ୍ବ ହିଁ ଭାରତୀୟମାନଙ୍କ ଦ୍ବାରା ନିୟନ୍ତ୍ରିତ ହେବ ଏଥିରେ ସନ୍ଦେହ ନାହିଁ।
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ
ମୋ:୯୭୭୮୬୯୭୦୩୬