କୁଆଁରମୁଣ୍ଡା,୨ା୯(ମହେନ୍ଦ୍ର କୁମାର ସାହୁ): ଠେଙ୍ଗାରେ ପିଟି ନିଜର ଜନ୍ମ କଲା ବୃଦ୍ଧ ବାପାଙ୍କୁ ହତ୍ୟା କରାଯାଇଛି। ଏଭଳି ହତ୍ୟାକାଣ୍ଡ କରିଛନ୍ତି ପୁଅ ଓ ବୋହୂ। ଏହି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ। ବୀରମିତ୍ରପୁର ଥାନାଧିକାରୀ ରାମ ପ୍ରସାଦ ନାଗ ଘଟଣା ଘଟିଥିବା ଜଗଦୀଶପୁର ଗ୍ରାମରେ ପହଞ୍ଚି ମୃତକ ପାନକା ଏକ୍କା(୬୦)ଙ୍କ ଶବ ନିକଟରେ ପହଞ୍ଚି ଥିଲାବେଳେ ସୁନ୍ଦରଗଡ଼ ସାଇଣ୍ଟିଫିକ ଟିମ୍ କିଛି ସମୟ ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବ। ହତ୍ୟାକାଣ୍ଡ ଘଟାଇଥିବା ପୁଅ ଲାଜୋ ଏକ୍କା(୩୭) ଓ ବୋହୂ ବାସନ୍ତୀ ଏକ୍କା(୪୦)ଙ୍କୁ ପୋଲିସ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଅଦ୍ୟାବଧି ଜବତ ହୋଇ ନ ଥିବା ଥାନାଧିକାରୀ ନାଗ ସୂଚନା ଦେଇଛନ୍ତି। ଏ ନେଇ ବୀରମିତ୍ରପୁର ଥାନାରେ ଏକ ମାମଲା(୩୯୪/୨୬) ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି ଓ ଗୁରୁବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ନାଗ ସୂଚନା ଦେଇଛନ୍ତି।

