ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ସ୍ଥିତି ସ୍ୱାଭାବିକ ଥିବା ନେଇ ପ୍ରେସ୍‌ମିଟ୍ ଜରିଆରେ ଆଶ୍ୱାସନା ଦିଆଯାଉଥିଲେ ହେଁ, ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ବିଶେଷ କରି ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଗଭୀର ରୂପ ନେଉଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଇନ୍ଧନ ଅଭାବରୁ ଯାତାୟାତ ବ୍ୟବସ୍ଥା ଠପ୍ ହେବାକୁ ବସିଥିବା ବେଳେ, ଏହାର ସୁଯୋଗ ନେଇ ଅଞ୍ଚଳରେ କଳାବଜାରୀମାନେ ସକ୍ରିୟ ହୋଇଉଠିଛନ୍ତି।

ସମ୍ପ୍ରତି ଆନ୍ତର୍ଜାତିକ ସ୍ତରରେ ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧକାଳୀନ ସ୍ଥିତି ସାଂଘାତିକ ରୂପ ନେଉଥିବାରୁ ବିଶ୍ୱରେ ତୈଳ ସଂକଟ ଦେଖାଦେଇଛି। ଆଗକୁ ଏହା ଭୟଙ୍କର ସ୍ଥିତି ସୃଷ୍ଟି କରିବାର ଆଶଙ୍କା ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇନ୍ଧନ ସଞ୍ଚୟ’ ପାଇଁ ଆହ୍ୱାନ ଦେଇଛନ୍ତି। ଫଳରେ ଏବେ ପେଟ୍ରୋଲ ଏବଂ ଡିଜେଲ ଯୋଗାଣ ଉପରେ ଚାପ ବଢ଼ିବା ସହ କଟକଣା ସାଜିଛି। ଏହାର ପ୍ରଭାବ ସିଧାସଳଖ ଗ୍ରାମାଞ୍ଚଳ ଉପରେ ପଡ଼ିଛି। ଯେଉଁ ପମ୍ପରେ ସାମାନ୍ୟ ଇନ୍ଧନ ମିଳୁଛି, ସେଠାରେ ଗାଡ଼ିଗୁଡ଼ିକର କିଲୋମିଟର ଲମ୍ବା ଲାଇନ୍ ଲାଗୁଛି। ଲୋକେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ନିରାଶ ହୋଇ ଫେରୁଥିବାରୁ ଜନଅସନ୍ତୋଷ ତେଜିବାରେ ଲାଗିଛି।

ସ୍ଥାନୀୟ ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଣୁପୁର ସ୍ଥିତ ଭାରତ ପେଟ୍ରୋଲିୟମ୍ ପମ୍ପରେ ଗତ ୭ ଦିନ ହେବ ପେଟ୍ରୋଲ କିମ୍ବା ଡିଜେଲ ନାହିଁ। ଆଗାମୀ ୩ ଦିନ ମଧ୍ୟରେ ତୈଳ ଆସିବାର ସମ୍ଭାବନା ଥିବା ବେଳେ ବର୍ତ୍ତମାନ ମାତ୍ର ୨୦୦ ଲିଟର ଡିଜେଲ କେବଳ ଜରୁରୀକାଳୀନ ସେବା ପାଇଁ ଗଚ୍ଛିତ ରଖାଯାଇଛି। ସେହିପରି ଥୁଆମୂଳ ରାମପୁର ସଦର ମହକୁମା ସ୍ଥିତ ମା’ ମାଣିକେଶ୍ୱରୀ ପେଟ୍ରୋଲ ପମ୍ପରେ ମଧ୍ୟ ଗତ ଦୁଇ ଦିନ ହେଲା ତୈଳ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି ଏବଂ ଆସନ୍ତା ବୁଧବାର ସୁଦ୍ଧା ଷ୍ଟକ୍ ଆସିବା ନେଇ ଆଶା କରାଯାଉଛି। ଅପରପକ୍ଷରେ, କୁମ୍ଭାରକାନି ସ୍ଥିତ ପେଟ୍ରୋଲ ପମ୍ପରେ ତୈଳ ମହଜୁଦ ଥିଲେ ହେଁ, ହଠାତ୍ ଦରଦାମ ବୃଦ୍ଧି ହେତୁ କିଛି ବୈଷୟିକ ସମସ୍ୟା (Technical Issue) ଦେଖାଦେଇଛି, ଯେଉଁଥିପାଇଁ ଗ୍ରାହକଙ୍କୁ ତୈଳ ବଣ୍ଟନ କରାଯାଇପାରୁ ନାହିଁ।

ଇନ୍ଧନ ସଙ୍କଟର ସବୁଠାରୁ ବଡ଼ ପ୍ରଭାବ ଯାତାୟାତ ବ୍ୟବସ୍ଥା ଉପରେ ପଡ଼ିଛି। ଗ୍ରାମାଞ୍ଚଳରେ ଲୋକଙ୍କ ଗମନାଗମନ ପାଇଁ ବାଇକ୍, ଅଟୋ ଓ ବସ୍ ହିଁ ପ୍ରମୁଖ ଭରସା। ମାତ୍ର ବସ୍ ଗୁଡ଼ିକ ସମୟମତେ ଚଳାଚଳ କରିପାରୁ ନଥିବାରୁ କେତେକ ରୁଟ୍‌ରେ ବସ୍ ସେବା ଆଂଶିକ ପ୍ରଭାବିତ ହୋଇଛି। ଫଳରେ ଦୂରଦୂରାନ୍ତରୁ ଆସୁଥିବା ଦୈନିକ ଯାତ୍ରୀ, ରୋଗୀ, ସରକାରୀ ଓ ବେସରକାରୀ କର୍ମଚାରୀମାନେ ଚରମ ସମସ୍ୟା ଭୋଗୁଛନ୍ତି। ଏହାସହ ଚାଷ କାମ, ଛୋଟ ବ୍ୟବସାୟ ଓ ଜରୁରୀ ସେବାଗୁଡ଼ିକ ମଧ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଏହି ସ୍ଥିତିର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ପ୍ଲାଷ୍ଟିକ୍ ବୋତଲ ଓ ଜାର୍‌ରେ ଚୋରାରେ ତେଲ ସଂଗ୍ରହ କରି ଲିଟର ପିଛା ୧୫୦ ରୁ ୨୦୦ ଟଙ୍କା ଭଳି ଚଢ଼ା ଦରରେ କଳାବଜାରୀ କରୁଥିବା ଜଣାପଡ଼ିଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଥୁଆମୂଳ ରାମପୁର ତହସିଲଦାର ସତ୍ୟ ସନାତନ ପାଣିଗ୍ରାହୀ ସମସ୍ତ ପେଟ୍ରୋଲ ପମ୍ପ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ତହସିଲଦାର ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, “ବ୍ଲକବାସୀ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ, ଦିନେ ଦୁଇ ଦିନ ମଧ୍ୟରେ ସବୁ ପୂର୍ବଭଳି ସ୍ୱାଭାବିକ ହୋଇଯିବ।” ଏଥିସହ କୁମ୍ଭାରକାନି ପମ୍ପ ସମେତ ସମସ୍ତ ପମ୍ପକୁ  ଜରୁରୀକାଳୀନ ଗାଡ଼ିକୁ ପ୍ରାଥମିକତା ଆଧାରରେ ତୈଳ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ଲାଷ୍ଟିକ୍ ବୋତଲ କିମ୍ବା ଜାର୍‌ରେ ତେଲ ଦେବାକୁ ସିଧାସଳଖ ବାରଣ କରାଯାଇଛି, ଯଦି କୌଣସି ପମ୍ପ ଏହା ଉଲ୍ଲଂଘନ କରେ ତେବେ ମାଲିକଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଳାବଜାରୀଙ୍କ ସୂଚନା ମିଳିଲେ ତୁରନ୍ତ ଚଢ଼ାଉ କରାଯିବ ବୋଲି ତହସିଲଦାର ସ୍ପଷ୍ଟ କରିଛନ୍ତି।

Dharitri – Odisha’s No.1 Odia Daily

Share