Categories: ଖେଳ

ଓଡ଼ିଶା ଓମେନ୍ସ ଫୁଟବଲ ଲିଗ୍‌ : ରେଲ୍‌ଓ୍ବେ, କ୍ରୀଡ଼ା ଛାତ୍ରାବାସ, ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

ଭୁବନେଶ୍ୱର, ୧୬।୩(କ୍ରୀଡ଼ା ପ୍ରତିନିଧି)-
ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ)ର ରବିବାର ଅନୁଷ୍ଠିତ ୩ଟି ମ୍ୟାଚରେ ଇଷ୍ଟକୋଷ୍ଟ ରେଲ୍‌ଓ୍ବେ, ସ୍ପୋଟର୍‌ସ ହଷ୍ଟେଲ ଓ ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ ହୋଇଛି।
କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ ଇଷ୍ଟକୋଷ୍ଟ ରେଲ୍‌ଓ୍ବେ ୩-୦ ଗୋଲରେ ଓଡ଼ିଶା ପୋଲିସକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ସରୋଜିନୀ ତିର୍କୀ ୩୩ ଓ ୯୦ତମ ମିନିଟରେ ୨ଟି ଏବଂ ତାରା ଖାତୁନ ୪୯ତମ ମିନିଟରେ ଗୋଟିଏ ଗୋଲ ଦେଇଥିଲେ। ଏହି ପଡ଼ିଆରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ରାଇଜିଂ ଷ୍ଟୁଡେଣ୍ଟ ୫-୦ ଗୋଲରେ ଓଜିପି କ୍ଲବକୁ ପରାସ୍ତ କରିଛି। ରାଇଜିଂ ଅଧିନାୟିକା ସତ୍ୟବତୀ ଖାଡ଼ିଆ ୬୦ ଓ ୭୬ ଏବଂ ସୁମିତ୍ରା ଖାଲ୍‌କୋ ୫୦ ଓ ୫୯ତମ ମିନିଟରେ ୨ଟି ଲେଖାଏ ଏବଂ ଯଶୋଦା ମୁଣ୍ଡା ୪୨ତମ ମିନିଟରେ ଗୋଟିଏ ଗୋଲ ଦେଇଥିଲେ।
କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସ୍ପୋଟର୍‌ସ ହଷ୍ଟେଲ ୬-୪ ଗୋଲରେ ସାଇ-ଏସ୍‌ଟିସିକୁ ପରାସ୍ତ କରିଛି। ବିଜୟୀ ଦଳର ଦୀପ୍ତିରାଣୀ କୁଜୁର ୬୭, ୮୩ ଓ ୮୮ତମ ମିନିଟରେ ୩ଟି, ମନୀଷା ନାଏକ ୬ଷ୍ଠ ଓ ୪୫+୪ତମ ମିନିଟରେ ୨ଟି ଏବଂ ଶ୍ରୀଦେବୀ ହାଁସଦା ୨୪ତମ ମିନିଟରେ ଗୋଟିଏ ଗୋଲ ଦେଇଥିଲେ। ସାଇ ପକ୍ଷରୁ ଦୀପା ନାୟକ ୨୨, ୭୫ ଓ ୮୦ତମ ମିନିଟରେ ୩ଟି ଏବଂ ବର୍ଷା ମହାକୁଡ଼ ୩୪ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ୧୮ ତାରିଖରେ ଓଡ଼ିଶା ପୋଲିସ-ସାଇ ଏସ୍‌ଟିସି, ରେଲ୍‌ଓ୍ବେ-ଓଜିପି ଏବଂ ସ୍ପୋଟର୍‌ସ ହଷ୍ଟେଲ-ରାଇଜିଂ ଷ୍ଟୁଡେଣ୍ଟ ମଧ୍ୟରେ ମୁକାବିଲା ହେବ।

Share