ଇରାନୀ, ଲାଲା ଶଙ୍ଖ ଧରିବା ନେଇ ଚର୍ଚ୍ଚା

ନୟାଗଡ଼,୭।୩(ଲୋକନାଥ ମିଶ୍ର): ଭାଜପା ନେତ୍ରୀ ଇରାନୀ ରାୟ ଓ ଭାଜପାର ପୂର୍ବତନ ନୟାଗଡ଼ ଜିଲା ସଭାପତି ଲାଲା ମନୋଜ ରାୟ ଦଳୀୟ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ନିର୍ବାଚନ ମଣ୍ଡଳୀସ୍ତରୀୟ ଓ ରାଜ୍ୟସ୍ତରରେ ପ୍ରସ୍ତୁତି ପର୍ବ ଚାଲିଥିବା ତାଙ୍କ ସମର୍ଥକଙ୍କଠାରୁ ଶୁଣିବାକୁ ମିଳୁଛି। ୨୦୧୪ରେ ଲାଲା ମନୋଜ ରାୟ କଂଗ୍ରେସରୁ ନୟାଗଡ଼ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ହୋଇ ବିଜେଡିର ଅରୁଣ ସାହୁଙ୍କ ଠାରୁ ପରାସ୍ତ ହୋଇଥିଲେ। ୨୦୧୭ ମେ’ ୫ରେ ଲାଲା ସ୍ତ୍ରୀ ଇରାନୀ ରାୟଙ୍କ ସହ ଭାଜପାରେ ଯୋଗଦେଇଥିଲେ। ଏ ଦୁହେଁ ଭାଜପାକୁ ଆସିବା ପରେ ସଙ୍ଗଠନକୁ ବଢ଼ାଇଥିଲେ। ୨୦୧୯ ନିର୍ବାଚନରେ ଲାଲା ପ୍ରାର୍ଥୀ ନ ହୋଇ ସ୍ତ୍ରୀ ଇରାନୀଙ୍କୁ ନୟାଗଡ ନିର୍ବାଚନ ମଣ୍ଡଳୀ ଛାଡିଥିଲେ।

ଇରାନୀ ଭାଜପାରୁ ପ୍ରାର୍ଥୀ ହୋଇ ୬୮ ହଜାର ଭୋଟ ପାଇଥିଲେ। ତେବେ ୨୦୧୯ ନିର୍ବାଚନ ପରେ ପୂୂର୍ବତନ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପାରେ ନିଜର ସଙ୍ଗଠନକୁ ବୃଦ୍ଧି କରାଇଥିଲେ। ବିଭିନ୍ନ ସମୟରେ ଭାଜପାରେ ଇରାନୀ ଓ ପ୍ରତ୍ୟୁଷାଙ୍କ ମଧ୍ୟରେ ବଳ କଷାକଷି ଚାଲିଥିଲା। ଉଭୟ ନେତ୍ରୀ ଭାଜପା ଟିକେଟ ପାଇବେ ବୋଲି କହି ନିଜର ସଙ୍ଗଠନ ବଢ଼ାଇ ଚାଲିଥିଲେ। ଇରାନୀଙ୍କ ଉପରେ ଭାଜପାର କେନ୍ଦ୍ରୀୟ ଓ ରାଜ୍ୟ ନେତାଙ୍କ ଆଶୀର୍ବାଦ ଥିଲା। ହେଲେ ପ୍ରତ୍ୟୁଷାଙ୍କ ସ୍ବାମୀ ତଥା ପୂର୍ବତନ କନ୍ଧମାଳ ଏମ୍‌ପି ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ଶ୍ରାଦ୍ଧବାର୍ଷିକୀରେ ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍‌ ପାତ୍ର ଯୋଗ ଦେବା ପରେ ଭାଜପା ରାଜନୀତି ବଦଳି ଯାଇଥିଲା। ଏପରି କି ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ଇରାନୀ କ୍ୟାମ୍ପ ଛାଡି ପ୍ରତ୍ୟୁଷାଙ୍କ କ୍ୟାମ୍ପକୁ ଗୁରୁତ୍ୱ ଦେଇଥିଲେ। କିଛି ମାସ ପରେ ଇରାନୀଙ୍କ ସ୍ବାମୀ ଲାଲା ମନୋଜ ରାୟଙ୍କ ହାତରୁ ଜିଲା ସଭାପତି ପଦ କାଢ଼ି ନିଆଗଲା।

ଲାଲା ଓ ଇରାନୀଙ୍କ ସମର୍ଥକଙ୍କ ସୂଚନା ଅନୁଯାୟୀ ଉଭୟଙ୍କୁ ଭାଜପା ଅଣଦେଖା କରିଛି। ଏଣୁ ଆମେ ବିଜେଡିରେ ମିଶିବାକୁ ଉଦ୍ୟମ ଜାରି ରଖିଛୁ। ଆଗାମୀ ୧୫ ତାରିଖ ଭିତରେ ଆମେ ବିଜେଡିରେ ଯୋଗ ଦେବୁ ବୋଲି ସେମାନେ କହିଛନ୍ତି। ଲାଲା ଓ ଇରାନୀଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ କରିବାରୁ ଭାଜପାର ସଙ୍ଗଠନକୁ ଏଠାରେ ଆମେ ମଜଭୁତ କରିଛୁ। ହେଲେ ଦଳ ଆମକୁ ଅଣଦେଖା କରିଛି। ଏପରିସ୍ଥଳେ ଆମେ ଦଳ ଛାଡିବା ସ୍ଥିତିରେ ନାହୁଁ। ଦଳ ପକ୍ଷରୁ ଆମକୁ ବୁଝାଶୁଝା କରାଯାଉଛି। ଯଦି ଆମକୁ ଭାଜପାରୁ ନ୍ୟାୟ ନ ମିଳେ ତେବେ କ’ଣ କରିବୁ ସେ ନେଇ ବିଚାରିବୁ ବୋଲି ଉଭୟେ କହିଛନ୍ତି।