ବନ୍ୟା ରୋକିବାକୁ ଦୀର୍ଘମିଆଦୀ ରୋଡ୍‌ମ୍ୟାପ୍‌: ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୨୨ା୧୧(ସୁନିତ୍‌ ମିଶ୍ର): ବନ୍ୟା ରୋକିବାକୁ ରାଜ୍ୟ ସରକାର ଦୀର୍ଘମିଆଦୀ ଯୋଜନା କରିବା ସହ ପ୍ରଥମ ପର୍ଯ୍ୟାୟରେ ୮ଟି ନଦୀ ସିଷ୍ଟମର ଭିତ୍ତିଭୂମି ବିକାଶ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଲୋକସେବା ଭବନସ୍ଥିତ ତାଙ୍କ କାର୍ଯ୍ୟାଳୟଠାରେ ଶନିବାର ଗଣମାଧ୍ୟମକୁ ସେ କହିଛନ୍ତି, ଏଥିପାଇଁ ଡିପିଆର୍‌ ପ୍ରସ୍ତୁତ ସହ ଆଇଆଇଟି ରୁର୍‌କିର ସହାୟତା ନିଆଯିବ। ଉତ୍ତରାଖଣ୍ଡ ଯାଇଥିବା ଟିମ୍‌ ସୋମବାର ରିପୋର୍ଟ ପ୍ରଦାନ କରିବେ ଓ ସେହି ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ମହାନଦୀ, ରେଙ୍ଗାଲି, ବ୍ରାହ୍ମଣୀ, ବୈତରଣୀ ଓ ଋଷିକୁଲ୍ୟା ଆଦି ନଦୀ ସିଷ୍ଟମଗୁଡ଼ିକୁ ନେଇ ବିସ୍ତୃତ ଆଲୋଚନାରେ ବିଗତ ବର୍ଷଗୁଡ଼ିକର ବନ୍ୟା ଓ ବାତ୍ୟାର ଅନୁଭୂତି, ଉପଲବ୍ଧ ତଥ୍ୟ ଓ ତଥ୍ୟାବଳୀକୁ ଆଧାରକରି ଦୀର୍ଘମିଆଦୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହେବ। ନଦୀବନ୍ଧ, ତତ୍‌ ସମ୍ପର୍କିତ ଭିତ୍ତିଭୂମି ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଲାଗି ଆବଶ୍ୟକ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ବିପର୍ଯ୍ୟୟର ପ୍ରଭାବ କମାଯାଇପାରିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ପୂଜାରୀ ପୁଣି କହିଛନ୍ତି, କ୍ରମାଗତ ବନ୍ୟା, ବାତ୍ୟା ପରି ବିପର୍ଯ୍ୟୟର ପ୍ରଭାବରେ ଫସଲ, ଘରଦ୍ୱାର ଓ ଭିତ୍ତିଭୂମିର କ୍ଷତି ସହ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଏବଂ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବା ଭଳି ସମସ୍ୟାର ସ୍ଥାୟୀ ସମାଧାନ ମଧ୍ୟ ଏହି ରୋଡ୍‌ମ୍ୟାପ୍‌ର ଅନ୍ୟତମ ଲକ୍ଷ୍ୟ ରହିବ। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ଆଇଆଇଟି ସମେତ ଅନ୍ୟାନ୍ୟ ପ୍ରତିଷ୍ଠିତ ବୈଷୟିକ ଓ ଗବେଷଣା ପ୍ରତିଷ୍ଠାନଗୁଡିକର ସହଯୋଗ ନିଆଯିବ। ବାତ୍ୟା ‘ଅକ୍ୱାନ୍‌’ ପ୍ରଭାବ ହ୍ରାସପାଇବା
ବନ୍ୟା ରୋକିବାକୁ…
ସହ ରାଜ୍ୟରେ ପରିସ୍ଥିତି କ୍ରମଶଃ ସ୍ୱାଭାବିକ ହେଉଛି। ରାଜ୍ୟ ସରକାରଙ୍କ ସୁଦୃଢ଼ ପ୍ରସ୍ତୁତି, ସମନ୍ୱିତ ପଦକ୍ଷେପ ଏବଂ ସମସ୍ତ ସମ୍ପୃକ୍ତ ବିଭାଗ ଓ ସଂସ୍ଥାର ନିଷ୍ଠାପର ଉଦ୍ୟମ ଯୋଗୁ ବାତ୍ୟାର ସଫଳ ମୁକାବିଲା ସମ୍ଭବ ହୋଇପାରିଛି। ଏହି ବିପର୍ଯ୍ୟୟରେ ଜିରୋ କାଜୁଆଲଟି ହାସଲ କରିବା ସମସ୍ତଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ବାତ୍ୟା ଓ ବର୍ଷା ଯୋଗୁ କେତେକ ଅଞ୍ଚଳରେ ଫସଲ କ୍ଷତିହେବା ଏବଂ ଧାନ ଓଦାହେବା ଘଟଣା ନଜରକୁ ଆସିଛି। ଏଥିପାଇଁ ଚାଷୀମାନେ ବିଚଳିତ ହୁଅନ୍ତୁ ନାହିଁ। କ୍ଷୟକ୍ଷତିର ଠିକ୍‌ ଆକଳନ କରିବା ପାଇଁ ଆବଶ୍ୟକସ୍ଥଳେ ବରିଷ୍ଠ ଅଧିକାରୀମାନେ ରବିବାରଠାରୁ କ୍ଷେତ୍ର ପରିଦର୍ଶନରେ ଯିବେ। ଏସ୍‌ଡିଆର୍‌ଏଫ୍‌ ଏବଂ ଏନ୍‌ଡିଏଆର୍‌ଏଫ୍‌ର ପ୍ରଚଳିତ ନିୟମାବଳୀ ଅନୁଯାୟୀ ଫସଲ କ୍ଷତି ପାଇଁ ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ ଏବଂ ଫସଲ ବୀମାଭୁକ୍ତ କୃଷକଙ୍କୁ ବୀମା କ୍ଷତିପୂରଣ ଯଥାଶୀଘ୍ର ଦେବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ପୂଜାରୀ କହିଛନ୍ତି, ଚାଷୀମାନଙ୍କ ଓଦା ହୋଇଯାଇଥିବା ଧାନକୁ ଶୁଖାଇବା ତଥା ଏହାର ସୁରକ୍ଷା ପାଇଁ ମଧ୍ୟ ସରକାର ଆବଶ୍ୟକ ବ୍ୟବସ୍ଥା କରିବେ। କୌଣସି କୃଷକ ଯେପରି ଅସୁବିଧାରେ ନ ପଡନ୍ତି ସେଥିପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ। ସାମ୍ପ୍ରତିକ ବାତ୍ୟା ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାରେ ଦେଖାଦେଇଥିବା ସମସ୍ୟା ଓ ରାଜ୍ୟର ବିଭିନ୍ନ ନଦୀ ଅବବାହିକାରେ ବନ୍ୟାଜନିତ ସମସ୍ୟାକୁ ଗୁରୁତ୍ୱର ସହ ରାଜ୍ୟ ସରକାର ନେଇଛନ୍ତି। ଭବିଷ୍ୟତରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବକୁ ସର୍ୱନିମ୍ନ କରିବା ଉଦ୍ଦେଶ୍ୟରେ ରାଜ୍ୟର ୮ଟି ପ୍ରମୁଖ ନଦୀ ସିଷ୍ଟମକୁ ନେଇ ଖୁବ୍‌ଶୀଘ୍ର ସ୍ୱତନ୍ତ୍ର ସମୀକ୍ଷା ବୈଠକ ବସିବ। ବୈଠକରେ ଜଳ ସମ୍ପଦ ବିଭାଗ, ରାଜସ୍ୱ ବିଭାଗ ଏବଂ ସମ୍ପୃକ୍ତ ଜିଲା ପ୍ରଶାସନର ଅଧିକାରୀମାନେ ଯୋଗଦେବେ।

Share