ଭୁବନେଶ୍ୱର, ୧୯ା୧୧ (ସୌମ୍ୟରଞ୍ଜନ ରାଉତ): ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକ୍ୱାନ’ ଭୀଷଣ ରୂପ ନେଇ ଓଡ଼ିଶା ଉପକୂଳ ମୁହଁା ହୋଇଛି। ବାରମ୍ୱାର ଗତିପଥ ବଦଳୁ ଥିବାରୁ ଚିନ୍ତା ବଢ଼ିଛି। ବୁଧବାର ରାତି ସୁଦ୍ଧା ଏହା ଉତ୍ତର ଦିଗରେ ଘଣ୍ଟାପ୍ରତି ୧୦ କିମି ବେଗରେ ଆଗକୁ ବଢ଼ି ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ରାତି ୧୧ଟାରେ ଜାରି ଜାତୀୟ ବୁଲେଟିନ ଅନୁଯାୟୀ, ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ଏକ ଭୀଷଣ ବାତ୍ୟା ରୂପରେ ଆନ୍ଧ୍ରପ୍ରଦେଶର ନରସାପୁର ଏବଂ ଓଡ଼ିଶାର ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ, ଉପକୂଳ ଏବଂ ଉତ୍ତର ଓଡ଼ିଶା ପାଇଁ ବର୍ଷା, ପବନ ଓ ଜୁଆର ସତର୍କତା ଜାରି କରାଯାଇଛି। ୯ ଜିଲାରେ ୧୯ ତାରିଖଠାରୁ ଶିକ୍ଷାନୁଷ୍ଠାନ, ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା, ବର୍ଷା ଓ ବନ୍ୟା ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି। କାର୍ତ୍ତିକ ମାସ ପଞ୍ଚକ ସମୟରେ ବାତ୍ୟା ଆସିଥିବାବେଳେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ କଟକ ଜିଲାର ଧବଳେଶ୍ୱର, ସିଂହନାଥ ଓ ଭଟ୍ଟାରିକା ମନ୍ଦିର ସମେତ ଅନେକ ଧାର୍ମିକ ସ୍ଥଳରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି। ସେହିପରି ଭୂସ୍ଖଳନ ଆଶଙ୍କା ଥିବାରୁ ଦାରିଙ୍ଗବାଡ଼ି-ଗାଜଲବାଡ଼ି ଏବଂ କଳିଙ୍ଗା ଘାଟିକୁ ସିଲ୍ କରିଦିଆଯାଇଛି।
ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବୁଧବାର ରାତି ୮ଟା ୩୦ ସୁଦ୍ଧା ‘ଅକ୍ୱାନ’ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗରେ କେନ୍ଦ୍ରୀଭୂତ ହୋଇଥିଲା। ଏହା ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ୪୮୦ କିମି ଦକ୍ଷିଣ-ପୂର୍ୱ, କଳିଙ୍ଗପଟ୍ଟନମ୍ଠାରୁ ୫୨୦ କିମି
ଓଡ଼ିଶା ମୁହଁା ‘ଅକ୍ୱାନ’….
ଦକ୍ଷିଣ-ଦକ୍ଷିଣପୂର୍ୱ, ଚେନ୍ନାଇଠାରୁ ୫୬୦ କିମି ପୂର୍ୱ, ଗୋପାଳପୁରଠାରୁ ୬୧୦ କିମି ଦକ୍ଷିଣ ଏବଂ ପୁରୀଠାରୁ ୬୭୦ କିମି ଦକ୍ଷିଣରେ ରହିଥିଲା। ବୁଧବାର ରାତିରେ ପବନର ବେଗ ୯୫-୧୦୫ କିମି (ଝଟକା ୧୧୫ କିମି) ରହିବା ସହ ୧୯ ତାରିଖ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଏହାର ତୀବ୍ରତା ବୃଦ୍ଧି ପାଇ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କିମି (ଝଟକା ୧୨୦ କିମି) ପର୍ଯ୍ୟନ୍ତ ପହଞ୍ଚିବ। ୨୦ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବା ସମୟରେ ଏହା ଭୀଷଣ ବାତ୍ୟା ଭାବେ ଅତିକ୍ରମ କରିବ ଏବଂ ପରବର୍ତ୍ତୀ ସମୟରେ ଦୁର୍ୱଳ ହୋଇ ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ଏବଂ ୨୧ ତାରିଖ ସକାଳ ସୁଦ୍ଧା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ।
୧୯ ଓ ୨୦ ନଭେମ୍ୱରରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ଏବଂ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା (୨୧ ସେମି କିମ୍ୱା
ତା’ଠାରୁ ଅଧିକ) ହେବା ସହ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୧ ନଭେମ୍ୱରରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶା ଉପକୂଳରେ ୧୯ ତାରିଖ ସକାଳୁ ପବନର ବେଗ ୬୦-୭୦ କିମି (ଝଟକା ୮୦ କିମି) ଏବଂ ୧୯ ରାତିରୁ ୨୦ ମଧ୍ୟାହ୍ନ ପର୍ଯ୍ୟନ୍ତ ୯୦-୧୦୦ କିମି (ଝଟକା ୧୧୦ କିମି) ରହିବା ସହ ଉତ୍ତର ଓଡ଼ିଶା ଉପକୂଳରେ ୭୦-୮୦ କିମି (ଝଟକା ୯୦ କିମି) ବେଗରେ ପବନ ବହିବ। ୨୧ ତାରିଖ ବେଳକୁ ପବନର ବେଗ କ୍ରମଶଃ ହ୍ରାସ ପାଇବ। ସେହିପରି ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଦକ୍ଷିଣ ଉପକୂଳ ଓଡ଼ିଶାର ଗଞ୍ଜାମ ଏବଂ ପୁରୀ ଜିଲା ସମେତ ଆନ୍ଧ୍ରପ୍ରଦେଶର ୬ଟି ଜିଲାର ତଳିଆ ଅଞ୍ଚଳରେ ୦.୫ରୁ ୧ ମିଟର ଉଚ୍ଚର ସାମୁଦ୍ରିକ ଜୁଆର ମାଡ଼ି ଆସି ଜଳମଗ୍ନ କରିବାର ଆଶଙ୍କା ରହିଛି। ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ କଚ୍ଚା ଘର, ଚାଳ ଘର ଓ ଆଜବେଷ୍ଟସ ଘରର ବ୍ୟାପକ କ୍ଷତି ହେବା ସହ ବିଦ୍ୟୁତ୍ତ୍ ଓ ଟେଲିଫୋନ ଖୁଣ୍ଟ ଉପୁଡ଼ିବା ଏବଂ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇପାରେ। ଗଜପତି ଓ କନ୍ଧମାଳ ଜିଲାରେ ଭୂସ୍ଖଳନ ଆଶଙ୍କା ଥିବାରୁ ସତର୍କତା ଜାରି କରାଯାଇଛି। ବ୍ୟାପକ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ୧୯ ତାରିଖ ରାତିରୁ ସ୍ଥଳଭାଗ ଛୁଇଁବା ପର୍ଯ୍ୟନ୍ତ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ ଏବଂ ୧୪ ମିଟରରୁ ଅଧିକ ଉଚ୍ଚର ଢେଉ ଉଠିବ, ଯେଉଁଥିପାଇଁ ଆସନ୍ତା ୨୧ ନଭେମ୍ୱର ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି। ଏଥିସହ ଉପକୂଳବର୍ତ୍ତୀ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ପ୍ରଭାବିତ ଅଞ୍ଚଳର ଲୋକମାନେ ଘର ଭିତରେ ରହିବା ଏବଂ ରେଳ, ସଡ଼କ ଓ ବିମାନ ଚଳାଚଳକୁ ନିୟନ୍ତ୍ରିତ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।