ଲକ୍ଷପତି ଦିଦିରେ ଓଡ଼ିଶା ଆଗରେ! ୨୯ ଲକ୍ଷଙ୍କୁ ନେଇ ଶିବରାଜଙ୍କ ବଡ଼ ବୟାନ

ବଲାଙ୍ଗୀର,୧୪।୧୧(ସୁନିଲ ମହାନ୍ତି): ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜ୍ୟରେ ୨୯ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇଥିବା ରିପୋର୍ଟ ମିଳିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ଏଥିସହ ଲକ୍ଷପତି ଦିଦି ସୃଷ୍ଟି କରିବାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଫଳ ହୋଇଥିବା କହି ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି।

ବଲାଙ୍ଗିରରେ ଆୟୋଜିତ ରାଜ୍ୟସ୍ତରୀୟ ମେଗା କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶିବରାଜ ଏହା କହିଛନ୍ତି। ଓଡ଼ିଶାରେ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ ଓ ଜୀବିକା ବିକାଶ ଦିଗରେ ହୋଇଥିବା କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି। ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ଲକ୍ଷପତି ଦିଦି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ସେ କହିଛନ୍ତି।

ସେହିପରି ପିଏମ୍‌ ସୂର୍ଯ୍ୟଘର ଯୋଜନାର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଉଲ୍ଲେଖନୀୟ ସଫଳତା ପାଇଥିବା ଶିବରାଜ କହିଛନ୍ତି। ବଲାଙ୍ଗିର ଆସିବା ବାଟରେ ଏହି ଯୋଜନାର ପ୍ରଭାବକୁ ସେ ଭଲ ଭାବେ ଦେଖିପାରିଥିବା ଉଲ୍ଲେଖ କରିଥିଲେ। ଏହା ରାଜ୍ୟରେ ଯୋଜନାର କାର୍ଯ୍ୟକାରିତା ଓ ଲୋକଙ୍କ ମଧ୍ୟରେ ଏହାର ପ୍ରସାରକୁ ଦର୍ଶାଉଥିବା ସେ ମତ ଦେଇଥିଲେ।

ଏହାବ୍ୟତୀତ VB-G RAM ଯୋଜନା ମାଧ୍ୟମରେ ବିକଶିତ ଭାରତର ସ୍ୱପ୍ନ ପୂରଣ ଦିଗରେ ଦେଶ ଆଗକୁ ବଢ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ଗ୍ରାମାଞ୍ଚଳର ବିକାଶ, ଜୀବିକା ସୃଷ୍ଟି ଓ ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଦିଗରେ ଏହାର ଭୂମିକା ରହିବ ବୋଲି ସେ କହିଥିଲେ।

ଆଗକୁ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ସରକାରଙ୍କ ଏହି ଯୋଜନା ଓ ବିକାଶମୂଳକ କାର୍ଯ୍ୟର ପ୍ରଭାବ ନିଶ୍ଚିତ ଭାବେ ପଡ଼ିବ ବୋଲି ଶିବରାଜ ମତ ରଖିଥିଲେ। ରାଜ୍ୟରେ ମହିଳା ସଶକ୍ତୀକରଣ, ସୌରଶକ୍ତିର ବ୍ୟବହାର ଓ ଗ୍ରାମାଞ୍ଚଳର ବିକାଶକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଏହି ମନ୍ତବ୍ୟ ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।

Dharitri – Odisha’s No.1 Odia Daily

Share