Categories: ଖେଳ

ପ୍ଲେ ଅଫ୍‌ରେ ଓଡ଼ିଶା ଜଗରନଟ୍ସ

ପୁଣେ,୨୮ା୮: ଅଲଟିମେଟ୍‌ ଖୋ ଖୋ ଲିଗ୍‌ର ପ୍ରଥମ ସଂସ୍କରଣ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ଓଡ଼ିଶା ଜଗରନଟ୍ସ। କ୍ରମାଗତ ପଞ୍ଚମ ବିଜୟ ସହିତ ଏହି କୃତିତ୍ୱ ହାସଲ କରିଛି ଓଡ଼ିଶା। ଶନିବାର ମୁମ୍ବାଇ ଖିଲାଡିକୁ ୬୦-୩୭ରେ ପରାସ୍ତ କରିଛି। ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଓଡ଼ିଶା ପ୍ରଭାବ ବିସ୍ତାର କରି ଖେଳିବା ସହିତ ଏକପାଖିଆ ବିଜୟ ହାସଲ କରିଥିଲା। ୭ଟି ମ୍ୟାଚରୁ ଷଷ୍ଠ ବିଜୟ ସହ ୧୮ ପଏଣ୍ଟ ହାସଲ କରିଛି ଦଳ।

ଅଧିନାୟକ ମିଲିନ୍ଦ ଚଭାରେକର ୫ ପଏଣ୍ଟ ସ୍କୋର କରିବା ସହିତ ୩.୧୩ ମିନିଟର ଡିଫେଣ୍ଡ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସୂରଜ ଲାଣ୍ଡେ ୧୨ ପଏଣ୍ଟ ସ୍କୋର କରିଥିଲେ। ପ୍ରଥମ ୭ ମିନିଟରେ ମୁମ୍ବାଇ ଖିଲାଡି ଆଟାକ୍‌ କରିଥିବା ବେଳେ ଦଳ ୧୬-୮ରେ ଅଗ୍ରଣୀ ରହିଥିଲା। ଓଡ଼ିଶା ଦଳ ଆଟାକର ମାତ୍ର ଦୁଇ ମିନିଟ ମଧ୍ୟରେ ସ୍କୋର ବରାବର କରିବା ସହିତ ୨୯-୨୦ରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟ ଇନିଂସରେ ଚଭାରେକର ଓ ଦୀନେଶ ନାୟକ ଚମତ୍କାର ଡିଫେଣ୍ଡ କରିଥିଲେ। ଚଭାରେକର ୩.୧୩ ମିନିଟର ଡିଫେଣ୍ଡ କରିଥିବା ବେଳେ ଦୀନେଶ ନାୟକ ୨.୩୪ ମିନିଟର ଡିଫେଣ୍ଡ କରିଥିଲେ। ଏହି ରାଉଣ୍ଡରେ ମୁମ୍ବାଇ ମାତ୍ର ୨ ପଏଣ୍ଟର ଅଗ୍ରଣୀ ହାସଲ କରିଥିଲା। ଅନ୍ତିମ କ୍ୱାର୍ଟରରେ ଓଡ଼ିଶା ଆହୁରି ୧୮ ପଏଣ୍ଟର ଅଗ୍ରଣୀ ହାସଲ କରିଥିବା ବେଳେ ଦଳ ପ୍ଲେ ଅଫ୍‌ରେ ପ୍ରବେଶ କରିଥିଲା। ମୁମ୍ବାଇ ଖିଲାଡିର ଏସ୍‌. ଶ୍ରୀଜେସ୍‌ ସର୍ବାଧିକ ୭ ପଏଣ୍ଟ ସ୍କୋର କରିଥିଲେ। ଓଡ଼ିଶା ଜଗରନଟ୍ସ ୧୮ ପଏଣ୍ଟ ସହିତ ଟେବଲ୍‌ ଟପରେ ପହଞ୍ଚିଥିବା ବେଳେ ୧୭ ପଏଣ୍ଟ ସହିତ ଗୁଜରାଟ ଜାୟାଣ୍ଟ୍ସ ମଧ୍ୟ ପ୍ଲେ ଅଫ୍‌କୁ ଯୋଗ୍ୟତା ହାସଲ କରିଛି। ଶନିବାର ଅନ୍ୟ ଏକ ମ୍ୟାଚରେ ଚେନ୍ନାଇ କ୍ୱିକ୍‌ ଗନ୍ସ ୫୭-୩୬ ପଏଣ୍ଟରେ ରାଜସ୍ଥାନ ଓ୍ବାରିୟର୍ସକୁ ପରାସ୍ତ କରିଛି।

Share