Categories: ଖେଳ

ଏଲିଟ୍‌ ଗ୍ରୁପ୍‌ ବି’ରେ ଓଡ଼ିଶା

 

ମୁମ୍ବାଇ, ୧୮ା୧୨ (ପି.ଟି.)-ଆସନ୍ତା ଜାନୁୟାରୀ ୧୦ରୁ ୩୧ ପର୍ଯ୍ୟନ୍ତ ଜୈବ ସୁରକ୍ଷିତ ପରିବେଶରେ ସୟଦ ମୁସ୍ତାକ ଅଲି ଟି୨୦ ଚାମ୍ପିୟନଶିପ୍‌ ଖେଳାଯିବ। ଏଥିସହିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଘରୋଇ ସିଜନ ୨୦୨୦-୨୧ ଆରମ୍ଭ ହେବ। ପ୍ରତିଯୋଗିତାର ଲିଗ୍‌ ମ୍ୟାଚଗୁଡ଼ିକ ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ଇନ୍ଦୋର, ଭଦୋଦରା ଆଦି ୬ଟି ଭେନ୍ୟୁରେ ଖେଳାଯିବ। ଅହମ୍ମଦାବାଦର ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ନକ୍‌ଆଉଟ ମ୍ୟାଚ ଖେଳାଯିବ। ଓଡ଼ିଶା ଏଲିଟ୍‌ ଗ୍ରୁପ୍‌ ବି’ରେ ସ୍ଥାନ ପାଇଛି। ଏହି ଗ୍ରୁପ୍‌ରେ ବେଙ୍ଗଲ, ଝାଡ଼ଖଣ୍ଡ ତାମିଲନାଡୁ, ଆସାମ ଓ ହାଇଦ୍ରାବାଦ ସ୍ଥାନ ପାଇଛନ୍ତି। ଏଲିଟ୍‌ ଗ୍ରୁପ୍‌ ‘ବି’ର ମ୍ୟାଚଗୁଡ଼ିକ କୋଲକାତାଠାରେ ଖେଳାଯିବ। ବିସିସିଆଇ ସମ୍ପାଦକ ଜୟ ଶାହା ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏଶନ ନିକଟକୁ ପଠାଇଥିବା ଚିଠି ଅନୁସାରେ ଅଂଶଗ୍ରହଣ କରିବାକୁଥିବା ଦଳଗୁଡ଼ିକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ତନ୍ମଧ୍ୟରେ ରହିଛି ୫ଟି ଏଲିଟ୍‌ ଗ୍ରୁପ୍‌ ଏବଂ ଗୋଟିଏ ପ୍ଲେଟ ଗ୍ରୁପ୍‌। ପ୍ଲେଟ୍‌ ଗ୍ରୁପ୍‌ରେ ମୁମ୍ବାଇ, କୋଲକାତା, ଇନ୍ଦୋର, ଚେନ୍ନାଇ ଓ ଭଦୋଦରା ଭଳି ଦଳ ରହିଛନ୍ତି। ଦଳଗୁଡ଼ିକ ଜାନୁୟାରୀ ୨ ପୂର୍ବରୁ ସେମାନଙ୍କ ଆୟୋଜକ ସହରରେ ପହଞ୍ଚତ୍ବେ। ପ୍ରଥମେ ସେମାନଙ୍କର କୋଭିଡ୍‌ ଟେଷ୍ଟ ହେବା ଏବଂ ସେମାନେ କ୍ୱାରାଣ୍ଟାଇନ୍‌ରେ ରହିବେ। ୨, ୪ ଓ ୬ ତାରିଖରେ ସେମାନଙ୍କର କୋଭିଡ୍‌ ଟେଷ୍ଟ ହେବ। ନକ୍‌ ଆଉଟ ପର୍ଯ୍ୟାୟ ପୂର୍ବରୁ ପ୍ରଥମେ ଜାନୁୟାରୀ ୨୦ ଏବଂ ପରେ ଜାନୁୟାରୀ ୨୨ରେ ଖେଳାଳିମାନଙ୍କ କୋଭିଡ୍‌ ଟେଷ୍ଟ ହେବ। ଚେନ୍ନାଇରେ ପ୍ଲେଟ୍‌ ଗ୍ରୁପ୍‌ର ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ଏହି ଗ୍ରୁପ୍‌ରେ ୮ଟି ଦଳ ସ୍ଥାନ ପାଇଥିବାବେଳେ ଅନ୍ୟ ୩୦ଟି ଦଳକୁ ୫ ଏଲିଟ୍‌ ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗତଥରର ଚାମ୍ପିୟନ କର୍ନାଟକ ଏଲିଟ୍‌ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଛି। ଦଳ ଏହାର ମ୍ୟାଚ୍‌ଗୁଡ଼ିକ ବେଙ୍ଗାଲୁରୁରେ ଖେଳିବ। ଘରୋଇ ଶକ୍ତିଶାଳୀ ଦଳ ମୁମ୍ବାଇ ଏଲିଟ୍‌ ଗ୍ରୁପ୍‌ ଇ’ରେ ସ୍ଥାନ ପାଇଛି। ଦଳ ଏହାର ମ୍ୟାଚଗୁଡ଼ିକ ମୁମ୍ବାଇରେ ଖେଳିବ।

Share