ମା’ଶାରଳା ମନ୍ଦିରର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୪୨କୋଟି

ଭୁବନେଶ୍ୱର,୨।୬(ବ୍ୟୁରୋ): ମା’ଶାରଳା ମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୪୨କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ବର୍ଷକ ମଧ୍ୟରେ କାମ ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ତ୍ତ ବିଭାଗ ଦ୍ୱାରା ଶାରଳା ମନ୍ଦିର ଉନ୍ନତିକରଣ ସଂକ୍ରାନ୍ତରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଉପରେ ମୋହର ମାରିଥିଲେ।
ଏହି ଉନ୍ନତିକରଣରେ ମା’ ଶାରଳା ମନ୍ଦିର ପରିସରରେ ଥିବା ମନ୍ଦିର ପୁଷ୍କରଣୀର ଉନ୍ନତିକରଣ ସହ ପୂର୍ବ ,ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଏବଂ ଐତିହ୍ୟ ପାଚେରୀ ନିର୍ମାଣ କରାଯିବ । ଏହା ସହ ମନ୍ଦିରର ରୋଷଘର, ଆନନ୍ଦ ବଜାର,ଗୋଦାମ ଘର, ଚନ୍ଦନ ପୋଖରୀର ବିକାଶ ଓ ଚଲାପଥ, ମୁଣ୍ଡନ ମଣ୍ଡପ, ନୂତନ ଦୋଳବେଦୀ ଓ ମହାବୀର ମନ୍ଦିରର ପୁର୍ନବିନ୍ୟାସ କରାଯିବ ।