Posted inଖେଳ

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି। ଏବେ ଏହି ସଫଳତାକୁ ଆହୁରି ଆଗକୁ ନେବା ସମୟ। ଦୁଇ ଚରଣ ବିଶିଷ୍ଟ ସେମିଫାଇନାଲର ପ୍ରଥମ ମ୍ୟାଚ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିରେ ଭାରତର ଅନ୍ୟତମ ଶକ୍ତିଶାଳୀ କ୍ଲବ ମୋହନ ବାଗାନ ସୁପର ଜାଏଣ୍ଟକୁ ଭେଟିବ ଓଡ଼ିଶା ଏଫ୍‌ସି। ଲିଗ୍‌ ପର୍ଯ୍ୟାୟରେ ମୋହନ ବାଗାନ ୨୨ ମ୍ୟାଚରୁ ୪୮ ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷସ୍ଥାନ ହାସଲ ସହ ସିଧାସଳଖ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଅନ୍ୟପକ୍ଷରେ ୪ର୍ଥ ସ୍ଥାନରେ ରହିଥିବା ଓଡ଼ିଶା ଏଫ୍‌ସି ପ୍ଲେ-ଅଫ୍‌ରେ କେରଳ ବ୍ଲାଷ୍ଟର୍ସକୁ ୨-୧ ଗୋଲରେ ହରାଇ ଆଗାମୀ ବଡ଼ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି। ଚଳିତ ସିଜନର ଲିଗ୍‌ ପର୍ଯ୍ୟାୟରେ ଓଡ଼ିଶା ଏଫ୍‌ସି ଓ ମୋହନ ବାଗାନ ସୁପର ଜାଏଣ୍ଟ୍ସ ମଧ୍ୟରେ ଅନୁଷ୍ଠିତ ୨ଟି ଯାକ ମୁକାବିଲା ବେଶ୍‌ ରୋଚକ ରହିଥିଲା। ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚକୁ ୨-୨ ଗୋଲରେ ଡ୍ର ରଖି କଳିଙ୍ଗ ଓ୍ବାରିୟର୍ସ ଦଳ ନିଜ ଦକ୍ଷତା ଦେଖାଇଥିଲା। ଘରୋଇ ପରିବେଶରେ ଅନୁଷ୍ଠିତ ଦ୍ୱିତୀୟ ମୁକାବିଲା ମଧ୍ୟ ଗୋଲଶୂନ୍ୟ ଡ୍ର ରହିଥିଲା। ତେଣୁ ଆଗାମୀ ମୁକାବିଲା ବେଶ୍‌ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି।
ଟେବୁଲର ଶୀର୍ଷରେ ରହି ମୋହନ ବାଗାନ ଚଳିତବର୍ଷର ଶିଲ୍ଡ ବିଜେତା ହୋଇଛି। ଅନ୍ୟପକ୍ଷରେ ଓଡ଼ିଶା ଏଫ୍‌ସି ଚଳିତ ସିଜନରେ କଳିଙ୍ଗ ଷ୍ଟାଡିୟମରେ ୧୨ ମ୍ୟାଚରେ ଅପରାଜେୟ ରହିଛି। କେବଳ ବେଙ୍ଗାଲୁରୁ ଏଫ୍‌ସି ଜାନୁୟାରୀ ୨୦୧୮ରୁ ନଭେମ୍ବର ୨୦୧୯ ମଧ୍ୟରେ ସର୍ବାଧିକ ୧୯ଟି ମ୍ୟାଚରେ ଘରୋଇ ପରିବେଶରେ ଅପରାଜେୟ ରହି ଓଡ଼ିଶା ଏଫ୍‌ସିଠାରୁ ଆଗରେ ରହିଛି। ମୋହନ ବାଗାନ ସୁପର ଜାଏଣ୍ଟ ୨୨ ଲିଗ୍‌ ମ୍ୟାଚରେ ୪୭ଟି ଗୋଲ ସ୍କୋର କରିଛି। ଏହା ଅନ୍ୟ ଦଳଗୁଡ଼ିକ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। ତେଣୁ ଓଡ଼ିଶା ଏଫ୍‌ସିକୁ ଆଗାମୀ ମ୍ୟାଚ ସତର୍କତାର ସହ ଖେଳିବାକୁ ପଡ଼ିବ। କାରଣ ଇତିହାସ ଦେଖିଲେ ମୋହନ ବାଗାନ ବିପକ୍ଷରେ ଓଡ଼ିଶା ଏଫ୍‌ସିର ଓଭରଅଲ୍‌ ରେକର୍ଡ ଭଲ ନାହିଁ। ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୯ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ମୋହନ ବାଗାନ ସୁପର ଜାଏଣ୍ଟ ୪ ମ୍ୟାଚ ଜିତିଥିବାବେଳେ ୫ ଗେମ୍‌ ଡ୍ର ରହିଛି। ଅର୍ଥାତ୍‌ ଏହି ଦଳ ବିପକ୍ଷରେ ଓଡ଼ିଶା ଏଫ୍‌ସି ଏପର୍ଯ୍ୟନ୍ତ ବିଜୟ ସ୍ବାଦ ଚାଖିନାହିଁ।
ସୋମବାର ଅନୁଷ୍ଠିତ ପ୍ରି- ମ୍ୟାଚ ଖବରଦାତା ସମ୍ମିଳନୀରେ ଆଗାମୀ ମୁକାବିଲା ଏବଂ ଓଡ଼ିଶା ଏଫ୍‌ସିର ସମ୍ଭାବନା ସମ୍ପର୍କରେ ନିଜ ମତ ରଖିଥିଲେ ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା ଓ ତାରକା ଗୋଲକିପର ଅମରିନ୍ଦର ସିଂ। ” ଆଗାମୀ ମ୍ୟାଚ କଷ୍ଟସାଧ୍ୟ ହେବ। ଆମେ ବର୍ତ୍ତମାନର ଶିଲ୍ଡ ବିଜେତାଙ୍କୁ ଭେଟିବାକୁ ଯାଉଛୁ। ମୋହନ ବାଗାନ ଏକ ଭଲ ଦଳ। ଆମେ ମଧ୍ୟ ଉତ୍ତମ ଦଳ ଏବଂ କଳିଙ୍ଗରେ ଅପରାଜେୟ ଅଛୁ। ଘରୋଇ ପରିବେଶରେ ଥିବା ଫଳାଫଳକୁ ନେଇ ମୋମେଣ୍ଟମକୁ ଆମେ ବଜାୟ ରଖିବାକୁ ଚେଷ୍ଟା କରିବୁ। ସିଜନରେ ଅପରାଜେୟ ରହିବା ଆମର ମୁଖ୍ୟ ଟାର୍ଗେଟ। ସେମିଫାଇନାଲରେ ପ୍ରବେଶ କରିବା ଆମପାଇଁ ବହୁତ ସ୍ବତନ୍ତ୍ର ଥିଲା। ଆମେ କ୍ଲବ ପାଇଁ ଆହୁରି ସଫଳତା ଆଣିବାକୁ ଚାହୁଁଛୁ। ଆମେ ଆଉ ଏକପାଦ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛୁ। ଯଦି ଫାଇନାଲରେ ପ୍ରବେଶ କରୁ ତେବେ ବହୁତ ବଡ଼ କଥା ହେବ। ଟ୍ରଫି ଜିତିବାକୁ ହେଲେ ଉତ୍ତମ ଦଳ ଗଠନ ଆବଶ୍ୟକ। ଆମ ଦଳର ଖେଳାଳିମାନେ ସଫଳତା ପାଇଁ ବ୍ୟଗ୍ର। ପ୍ଲେ-ଅଫ୍‌ ମ୍ୟାଚରେ ସେମାନେ ତାହା କାମରେ କରି ଦେଖାଇଛନ୍ତି“ ବୋଲି ଲୋବେରା ପ୍ରକାଶ କରିଛନ୍ତି।
”ଆଇଏସ୍‌ଏଲ୍‌ର ପାଖାପାଖି ପ୍ରତି ସଂସ୍କରଣରେ ଖେଳିବା ସୁଯୋଗ ପାଇଥିବାରୁ ମୁଁ ବହୁତ ଖୁସି। କେବଳ ଗୋଲ୍ଡେନ ଗ୍ଲୋଭ୍ସ ନୁହେଁ ବରଂ ଆଇଏସ୍‌ଏଲ୍‌ ଟ୍ରଫି ଚାମ୍ପିୟନ ହେବା ମୋର ମୁଖ୍ୟ ଲକ୍ଷ୍ୟ। ସିଜନସାରା ଦର୍ଶକମାନେ ଆମକୁ ସମର୍ଥନ କରି ଆସିଛନ୍ତି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ଅଧିକରୁ ଅଧିକ ସଂଖ୍ୟାରେ ଦର୍ଶକମାନେ ଷ୍ଟାଡିୟମକୁ ଆସନ୍ତୁ ଏବଂ ଆଗାମୀ ମ୍ୟାଚ ପାଇଁ ଆମକୁ ଉତ୍ସାହିତ କରନ୍ତୁ“ ବୋଲି ଅମରିନ୍ଦର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?