Posted inରାଜ୍ୟ

ଫସଲ ଚିନ୍ତାରେ ଚାଷୀ

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ବିଲରେ ବର୍ଷକ ପରିଶ୍ରମର ଫଳକୁ ଚାହିଁଛନ୍ତି ଚାଷୀ। ଚଳିତବର୍ଷ ଭଲ ବର୍ଷା ହୋଇଥିବାରୁ ମନଲୋଭାଣିଆ ଧାନ ଫସଲ ହୋଇଛି। ମାସକ ପରେ ଧାନ ଅମଳ କରିବେ। ଏହି ଖୁସିରେ ବିଭୋର ଚାଷୀଙ୍କ ପାଇଁ ଏବେ କଳାବାଦଲ ଘୋଟି ଆସୁଛି। ବଙ୍ଗୋପସାଗରର ଦକ୍ଷିଣ ଆଣ୍ଡାମାନରେ ଏକ ବାତ୍ୟା ଦାନା ବାନ୍ଧିଲାଣି। ଆସନ୍ତା ୨୪ କିମ୍ବା ୨୫ ତାରିଖରେ ଏହା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି। ଯଦିଓ ବାତ୍ୟାର ଗତିପଥ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ, ତେବେ ଏହା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ଆଶଙ୍କାକୁ ଏଡ଼ାଯାଇ ନାହିଁ। ଯଦି ବାତ୍ୟା ଓଡ଼ିଶାରେ ପ୍ରବେଶ କରିବ, ତେବେ ଫସଲ ଉଜୁଡିବା ଏକ ପ୍ରକାର ନିଶ୍ଚିତ। ଏକଥା ଶୁଣି ଚାଷୀଙ୍କ ମନରେ ଛନକା ପଶିଛି। ପବନ ଓ ବର୍ଷା ଦାଉରୁ ଫସଲକୁ କିପରି ବଞ୍ଚାଇବେ କିଛି ବୁଦ୍ଧି ବାଟ ପାଉନାହାନ୍ତି। ପ୍ରତିକାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଚାଷୀମାନଙ୍କୁ ଏ ପର୍ଯ୍ୟନ୍ତ କୌଣସି ଆଶ୍ୱାସନା ଦିଆଯାଇ ନାହିଁ। କରୋନା ମହାମାରୀରେ ଚାଷୀଙ୍କ ଅଣ୍ଟା ଭାଙ୍ଗି ପଡ଼ିଥିବା ବେଳେ ସମ୍ଭାବ୍ୟ ବାତ୍ୟା ଆଉ ଏକ ଦୁର୍ଦ୍ଦଶା ନେଇ ଆସୁଛି। ଅର୍ଥ ଓ ଶ୍ରମ ଦେଇ ବଞ୍ଚାଇଥିବା ଫସଲ ହାତକୁ ଫେରିବ କି ନାହିଁ ସେ ନେଇ ଚାଷୀମାନେ ସନ୍ଦିହାନ ହୋଇ ପଡ଼ିଛନ୍ତି।

ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ବିଷ୍ଣୁପୁରର ଚାଷୀ ନୀଳକଣ୍ଠ ଜେନା କହିଛନ୍ତି ଯେ, ବାତ୍ୟା ହେଲେ ପନିପରିବା ଚାଷ ଉଜୁଡ଼ିଯିବ। ଯଦି ବନ୍ୟା ହୁଏ, ତା’ହେଲେ ପନିପରିବା ସହିତ ଧାନଚାଷ ବହୁଳ ମାତ୍ରାରେ କ୍ଷତି ହେବ। ଧାର କରଜ କରିଥିବା ଚାଷୀର ମେରୁଦଣ୍ଡ ଭାଙ୍ଗିଯିବ। ଏବେ ନୂଆ କରି ବାଇଗଣ, କୋବି, କାକୁଡି ସହିତ ବିଭିନ୍ନ ପ୍ରକାର ପନିପରିବା ଫଳୁଛି। ତାହା ନଷ୍ଟ ହୋଇଯିବ। ଏଥିପ୍ରତି କୌଣସି ଆଗୁଆ ପଦକ୍ଷେପ ନେଇହେବ ନାହିଁ। ସେହିପରି ଭୋଗରାଇ ବ୍ଲକ ଗୋପୀନାଥପୁର ଗ୍ରାମର ନୀଳକଣ୍ଠ ଘୋଷ କହିଛନ୍ତି ଯେ, ସେ ଭୋଗରାଇ ପାହି ଅଞ୍ଚଳ ଓ ନିଜ ଗ୍ରାମ ଧାନଜମିରେ ଦୁଇ ଏକର ଧାନଚାଷ କରିଛନ୍ତି। ଚାଷ ବାବଦକୁ ୫୦ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ବାତ୍ୟା ସହିତ ସମୁଦ୍ର ଜୁଆର ମାଡ଼ି ଆସିଲେ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ିଯିବ। ଚାଷ ନଷ୍ଟ ହେଲେ ରବି ଚାଷ ପାଇଁ ସରକାର ଆଗୁଆ ବିହନ ଓ ସାର କୀଟନାଶକ ଔଷଧ ଯୋଗାଇ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ବାଲେଶ୍ୱର ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଛନ୍ତି, ଏବେ ଲୋକଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ। ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ କୌଣସି ସୂଚନା ଆସିଲେ ଆମେ ଲୋକଙ୍କୁ ଜଣାଇବୁ। ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାରଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ ପାଇଁ ପ୍ରସ୍ତୁତ ରହିଛୁ ବୋଲି ଜିଲାପାଳ ସିନ୍ଦେ କହିଛନ୍ତି।
କେନ୍ଦ୍ରାପଡ଼ା ବ୍ଲକ କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡ଼ା କହିଛନ୍ତି ଯେ, ସେ ଚଳିତବର୍ଷ ନିଜର ୧୨ ଏକର ସମେତ ୬ ଏକର ଜମି ବାହାର ଲୋକଙ୍କଠାରୁ ଭାଗରେ ଆଣି ଧାନଚାଷ କରିଛନ୍ତି। ଏଥିସହ ବାଡିରେ ପନିପରିବା ଚାଷ କରିଛନ୍ତି। କରୋନା ସଂକ୍ରମଣ ସମୟରେ ପ୍ରବାସରୁ ଫେରି ଚାଷ ପ୍ରତି ଧ୍ୟାନ ଦେଇଥିଲେ। ଏସବୁ ଚାଷ ପାଇଁ ସମବାୟ ସମିତି ଓ ବ୍ୟାଙ୍କରୁ ଋଣ ଆଣିଛନ୍ତି। ଏବେ ବାତ୍ୟା ଭୟ ଦେଖାଦେଲାଣି। ଧାନ ଥୋଡ ବାହାରିଛି। ଏହି ସମୟରେ ଅଧିକ ବାତ୍ୟା ପବନ ହେଲେ ପନିପରିବା ସହ ଧାନ ଫସଲ ନଷ୍ଟ ହେବ। ଏବେ ଚାଷ ଏପରି ସ୍ଥିତିରେ ଅଛି ଯେ, ଏହାର ସଂରକ୍ଷଣ ହୋଇପାରିବ ନାହିଁ। ଆଣିଥିବା ଋଣ କିପରି ଶୁଝିବେ ସେହି ଚିନ୍ତାରେ ସେ ଅଛନ୍ତି। କେନ୍ଦ୍ରାପଡ଼ାର କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, କୃଷିଭିତ୍ତିକ ଅର୍ଥନୀତିରେ କେନ୍ଦ୍ରାପଡ଼ା ଜିଲା ପରିଚାଳିତ। ଏଠାରେ ବନ୍ୟା, ବାତ୍ୟା, ମରୁଡି ପରି ପ୍ରାକୃତିକ ବିପର୍ଯ୍ୟୟ ପ୍ରତିବର୍ଷ ଦେଖାଯାଉଛି। କୃଷି ଓ କୃଷକଙ୍କ ପାଇଁ ଜଳ ପରିଚାଳନା ଏକ ସମସ୍ୟା ହୋଇଛି। ଚଳିତବର୍ଷ ୧ ଲକ୍ଷ ୨୪ ହଜାର ହେକ୍ଟର ଚାଷଜମି ମଧ୍ୟରୁ ପ୍ରାୟ ୬୮ ହଜାର ହେକ୍ଟର ଜମିରେ ଜଳ ନିଷ୍କାସନ ସମସ୍ୟା ରହିଛି। ସମ୍ଭାବ୍ୟ ବାତ୍ୟା କୃଷି ଅର୍ଥନୀତିକୁ ଦୋହଲାଇ ଦେବ। ଜଳସେଚନ ଓ ନିଷ୍କାସନ ପ୍ରତି ସ୍ଥାନୀୟ ରାଜନେତା ଓ ପ୍ରଶାସକ ଧ୍ୟାନ ଦେଉନାହାନ୍ତି ବୋଲି ସେ କହିଛନ୍ତି।

ଭଦ୍ରକ ଜିଲା ବାସୁଦେବପୁର ଉହାଡ଼ ଗ୍ରାମର ହରେକୃଷ୍ଣ ବେହେରା କହିଛନ୍ତି, ୪ ଏକରରୁ ଊର୍ଦ୍ଧ୍ୱ ଜମିରେ ସେ ଉନ୍ନତମାନର ବିହନ ସ୍ବର୍ଣ୍ଣମୁଖୀ ଓ କନକ ପ୍ଲସ ଧାନ ଚାଷ କରିଛନ୍ତି। ଏବେ ଧାନ ଫସଲର ଥୋଡ଼ ମଞ୍ଜ ଆସିଗଲାଣି। ବାତ୍ୟା ଯୋଗୁ ବର୍ଷା ଓ ଅଧିକ ପବନ ହେଲେ ଥୋଡ଼ ମଞ୍ଜ କ୍ଷତିଗ୍ରସ୍ତ ହେବ। ଇରମ ସେବା ସମବାୟ ସମିତିରୁ ୫୦ହଜାର ଟଙ୍କା ଋଣ ଆଣି ସେ ଚାଷ କାମରେ ଲଗାଇଛନ୍ତି। ଚାଷ ନଷ୍ଟ ହୋଇଗଲେ ଋଣ ଶୁଝିବା କଷ୍ଟକର ହୋଇପଡ଼ିବ। ସେହିପରି ୧୦ ଗୁଣ୍ଠ ଜମିରେ ହୋଇଥିବା ପରିବା ଚାଷ ନଷ୍ଟ ହୋଇଯିବା ଆଶଙ୍କା ରହିଛି। ବାତ୍ୟା ହେଲେ ତାଙ୍କ ପରି ଶତାଧିକ ଚାଷୀ ଆର୍ଥିକ କ୍ଷତିରେ ପଡ଼ିବେ ବୋଲି ବେହେରା କହିଛନ୍ତି।

ଚଳିତ ଖରିଫରେ ଜଗତ୍‌ସିଂହପୁର ଜିଲାର ମୋଟ ୧,୦୪୦୦୦ ହେକ୍ଟର ଜମି ମଧ୍ୟରୁ ୯୯,୮୨୮ ହେକ୍ଟରରେ ଫସଲ ହୋଇଛି। ସେଥିମଧ୍ୟରୁ ୮୫,୯୯୬ ହେକ୍ଟରରେ କେବଳ ଧାନଚାଷ କରାଯାଇଛି। ଏହାବାଦ ପନିପରିବା ୧୧,୫୧୯ ହେକ୍ଟର, ଡାଲିଜାତୀୟ ୫୦, ତୈଳବୀଜ ୪, ଝୋଟ ୫୬, ମସଲା ଜାତୀୟ ୧୫୯୫, ଆଖୁ ୫୬୫, ଘାସ ୫ ହେକ୍ଟର ଜମିରେ ଚାଷ ହୋଇଛି। ଧାନ ଚାଷରେ ଏବେ ଗର୍ଭାବସ୍ଥା। କେତେକ ସ୍ଥାନରେ ଥୋଡ଼ ଧରିଲାଣି। ଚାଷୀ ବହୁ ଅର୍ଥ ଓ ଶ୍ରମ ଦେଇ ଫଳ ଅମଳକୁ ଚାହିଁ ବସିଛନ୍ତି। କିନ୍ତୁ ବାତ୍ୟା ଭୟ ଚାଷୀଙ୍କ ହୃଦ୍‌ଚାପ ବଢ଼ାଇ ଦେଇଛି ବୋଲି ରଘୁନାଥପୁର ବ୍ଲକ ଅଞ୍ଚଳର ଶରତ ଚନ୍ଦ୍ର ମହାପାତ୍ର, ବସନ୍ତ ସ୍ବାଇଁ, ତିର୍ତ୍ତୋଲର ଭାସ୍କର ରାଉତ, ଜଗତ୍‌ସିଂହପୁରର କୈଳାସ ଚନ୍ଦ୍ର ପାଳ, ବିରିଡ଼ିର ଅଭୟ ରାଉଳ ଓ ନାଉଗାଁର ସରୋଜ କୁମାର ନାୟକ ପ୍ରମୁଖ କହିଛନ୍ତି। ଏନେଇ ଡେପୁଟି କଲେକ୍ଟର ମନୋରମା ଜାଲି କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତ ରହିବାକୁ ପଡ଼ିବ। ଏବେ ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରାଯାଉଛି। ଯଦି ବାତ୍ୟା ହୁଏ ଏବଂ ଏହା ଜଗତ୍‌ସିଂହପୁର ଜିଲାର ସ୍ଥଳଭାଗ ଛୁଏଁ, ତେବେ ତା’ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବାକୁ ପଡ଼ିବ ବୋଲି ଡେପୁଟି କଲେକ୍ଟର ଜାଲି କହିଛନ୍ତି।

ଖୋର୍ଦ୍ଧା ଜିଲା ନୂଆଗଁାର କାଶୀନାଥ ପ୍ରଧାନ କହିଛନ୍ତି ଯେ, ଗତବର୍ଷ ଏହି ସମୟରେ ବାତ୍ୟାରେ କ୍ଷତି ସହିଥିଲୁ। ଧାନ ଅମଳ ସମୟରେ ବିଲରେ ପଚି ଶଢ଼ି ନଷ୍ଟ ହୋଇଗଲା। ଚଳିତବର୍ଷ ମଧ୍ୟ ସମ୍ଭାବ୍ୟ ବାତ୍ୟାକୁ ନେଇ ମନରେ ଭୟ ରହିଛି। ଧାନର ଥୋଡ଼ ବାହାରିବା ସମୟ ହେଲାଣି। ଏହି ସମୟରେ ବର୍ଷା ହେଲେ ଧାନ ଫସଲ ନଷ୍ଟ ହେଇଯିବ। କିଛି ବିଲରେ ସେ କୋଶଳା ଶାଗ, ଭେଣ୍ଡି, ବାଇଗଣ, ଝୁଡ଼ଙ୍ଗ ଚାଷ କରିଛନ୍ତି। ବାତ୍ୟାକୁ ନେଇ ଗଣମାଧ୍ୟମରେ ଯେଉଁଭଳି ଭାବେ ଚର୍ଚ୍ଚା ଲାଗି ରହିଛି, ତାହାକୁ ନେଇ ମନରେ ଭୟ ସଞ୍ଚରିଛି ବୋଲି ପ୍ରଧାନ କହିଛନ୍ତି।

ଯାଜପୁର ଜିଲାରେ ଅଳ୍ପଦିନିଆ ଧାନ ଫସଲ ଏବେ ଅମଳକ୍ଷମ ହୋଇସାରିଛି। ଏନେଇ ବରୀ ବ୍ଲକ ବାଲିବିଲି ଗ୍ରାମର ଅଶୋକ ପଢ଼ିହାରୀ କହିଛନ୍ତି, ବାତ୍ୟା ଆଶଙ୍କାରେ ତରବରିଆ ଭାବେ ଧାନକଟା ଚାଲିଛି। ତଥାପି ବାତ୍ୟା ନିର୍ଦ୍ଧାରିତ ଦିନ ପୂର୍ବରୁ ଧାନ ସମ୍ପୂର୍ଣ୍ଣ କାଟିବା ସମ୍ଭବପର ନୁହେଁ। ଇତିମଧ୍ୟରେ ୩୦ରୁ ୪୦% ଧାନ କାଟି ହେବାର ସମ୍ଭାବନା ରହିଛି। ବାତ୍ୟା ଆସିଲେ ସବୁକିଛି ଧାନ ଝଡିଯିବ। ଚାଷୀ ଚଳିତବର୍ଷ ଭଲ ଅମଳ ହେବାର ଯେଉଁ ଆଶା ରଖିଥିଲା ତାହା ମଉଳିଯିବ। ଏଥିପାଇଁ ଆଉ କୌଣସି ପ୍ରତିକାର ବ୍ୟବସ୍ଥା ନାହିଁ। ସେହିପରି ରସୁଲପୁର ବ୍ଲକ ଭଗୀରଥପୁରର ପନିପରିବା ଚାଷୀ ପ୍ରଫୁଲ୍ଲ କୁମାର ବେହେରା କହିଛନ୍ତି ଯେ, କୋବି, ବାଇଗଣ, କାକୁଡିରେ ବର୍ତ୍ତମାନ ଭଲ ଫାଇଦା ମିଳୁଛି। କୋବି କେଜି ପ୍ରତି ୫୦ରୁ ୬୦ ଟଙ୍କା, ବାଇଗଣ ଓ କାକୁଡି କେଜି ପ୍ରତି ୩୦ ଟଙ୍କାରେ ବେପାରୀଙ୍କଠାରେ ବିକ୍ରି ହେଉଛି। ଏହା ଚାଷୀଙ୍କ ଦୀର୍ଘଦିନ ଅପେକ୍ଷାର ଫଳ। କିନ୍ତୁ ଏହି ସମୟରେ ବାତ୍ୟା ଆଶଙ୍କା ଚିନ୍ତା ବଢ଼ାଇଛି। ବ୍ୟାପକ ଫସଲ ନଷ୍ଟ ଆଶଙ୍କାରେ ଚାଷୀଙ୍କ ନିଦ ହଜି ଯାଇଛି। ଏହାର ପ୍ରତିକାର ସମ୍ଭବପର ହେଉ ନଥିଲେ ହେଁ ଗଛମୂଳରେ ମାଟି ହୁଡ଼ା ପକାଯାଉଛି, ଯାହାକି ପବନରୁ କିଛିଟା ରକ୍ଷା କରିପାରିବ ବୋଲି ଆଶା କରାଯାଉଛି। ଯାଜପୁର ଜିଲା ଜରୁରିକାଳୀନ ଅଧିକାରୀ ଉମେଶଚନ୍ଦ୍ର ଲେଙ୍କା କୁହନ୍ତି ଯେ, ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଯାଜପୁର ଜିଲାର ନାମ ନାହିଁ। ତଥାପି ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବାକୁ ସମସ୍ତ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ହୋଇଛି। ଏଥିପାଇଁ ପ୍ରଶାସନ ସଜାଗ ରହିଛି ବୋଲି ଲେଙ୍କା କହିଛନ୍ତି।

କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ପ୍ରଭଞ୍ଜନ ମିଶ୍ର କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ଧାନଚାଷରେ ରୋଗ ପୋକ ବଢ଼ାଇବାର ଆଶଙ୍କା ରହିଛି। ବର୍ଷା ପରେ କ୍ଷେତରୁ ଜଳ ନିଷ୍କାସନ ଜରୁରୀ। ପନିପରିବା ଚାଷୀ କୀଟନାଶକ ସିଞ୍ଚନ ବର୍ଷା ସମୟରେ ବନ୍ଦ କରନ୍ତୁ। ଅଧିକ ବର୍ଷା ସମୟରେ ବାଇଗଣ, ବିଲାତି ବାଇଗଣ, ଫୁଲକୋବି, ବନ୍ଧା କୋବି, ବ୍ରୋକଲି ପ୍ରଭୃତି ଚାରା ଗଛକୁ ଘୋଡାଇଲେ କ୍ଷତି କମ୍‌ ରହିବ। ବର୍ଷା ପରେ ଗଛର ସ୍ଥିତିକୁ ଦେଖି ସାର ଓ ଔଷଧ ସିଞ୍ଚନ କରିପାରିବେ। ସତର୍କ ରହିଲେ ବାତ୍ୟାଜନିତ କ୍ଷତି କମ୍‌ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri