Categories: ଖେଳ

ଓସିଏ ଟି୨୦ କ୍ରିକେଟ ଲିଗ୍‌ ଆରମ୍ଭ

ଭୁବନେଶ୍ୱର, ୧୫।୧୨(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆନ୍ତଃଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍‌ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ସୋମବାର ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି କିଟ୍‌ ଗ୍ରାଉଣ୍ଡରେ ଏବଂ ସମ୍ପାଦକ ସଞ୍ଜୟ ବେହେରା ବାରବାଟୀ ଷ୍ଟାଡିୟମରେ ଲିଗ୍‌ର ଉଦ୍‌ଘାଟନ କରିଛନ୍ତି। କିଟ୍‌ ଗ୍ରାଉଣ୍ଡରେ ଏହାର କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଅକ୍ଷୟ କୁମାର ସାମନ୍ତ ବିଡ଼ାନାସୀ ଗ୍ରାଉଣ୍ଡ, ଯୁଗ୍ମ ସମ୍ପାଦକ ମେହେତାବ ଖାଁ ନିମପୁର ଗ୍ରାଉଣ୍ଡ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ସେଞ୍ଚୁରିଅନ ଗ୍ରାଉଣ୍ଡ, ଆପେକ୍ସ କାଉନ୍ସିଲ ସଦସ୍ୟ ସୁବାଶିଷ ସେନାପତି ରେଭେନ୍ସା ଗ୍ରାଉଣ୍ଡ, ରଶ୍ମିତା ମହାନ୍ତି ଟାଉନ୍‌ କ୍ଲବ ପଡ଼ିଆ, ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା ବିକାଶ ଗ୍ରାଉଣ୍ଡ ଏବଂ ଡ୍ରିମ୍ସ ଚେୟାରମ୍ୟାନ ପ୍ରମୋଦ ଚନ୍ଦ୍ର ରଥ ଅତିଥିଭାବେ ଯୋଗଦେଇ ଡ୍ରିମ୍ସ କଲେଜ ଗ୍ରାଉଣ୍ଡରେ ପ୍ରତିଯୋଗିତାକୁ ଆରମ୍ଭ କରିଛନ୍ତି। ପ୍ରଥମ ଦିବସରେ ମୋଟ ୧୮ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ କଟକ-ଏ, ରାଉରକେଲା, ନୟାଗଡ଼, ଯାଜପୁର, ସୋନପୁର, ମୟୂରଭଞ୍ଜ, ଭୁବନେଶ୍ୱର-ଏ, ଭୁବନେଶ୍ୱର-ବି, ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼, କନ୍ଧମାଳ, ଇକୋର୍ସା, କଟକ-ବି, ଗଞ୍ଜାମ, ଢେଙ୍କାନାଳ, କୋରାପୁଟ ଓ ନବରଙ୍ଗପୁର ଦଳ ବିଜୟ ହାସଲ କରିଛନ୍ତି। ଡ୍ରିମ୍ସରେ ବାଲେଶ୍ୱର ବିପକ୍ଷରେ ଯାଜପୁର ଏବଂ ଟାଉନ୍‌ କ୍ଲବ ପଡ଼ିଆରେ ନୂଆପଡ଼ା ବିପକ୍ଷରେ କନ୍ଧମାଳ ୧ ରନରେ ରୋମାଞ୍ଚକ ବିଜୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦୁଝରକୁ ୮ ଉଇକେଟରେ କଟକ-ଏ, ଜଗତ୍‌ସିଂହପୁରକୁ ନୟାଗଡ଼ ୮୩ ରନରେ, ପୁରୀକୁ ଭୁବନେଶ୍ୱର-ଏ ୮ ଉଇକେଟରେ, ଝାରସୁଗୁଡ଼ାକୁ ଭୁବନେଶ୍ୱର-ବି ୮ ଉଇକେଟରେ, ବୌଦ୍ଧକୁ ୮୧ ରନରେ ସୁନ୍ଦରଗଡ଼, ଖୋର୍ଦ୍ଧାକୁ ୯୭ ରନରେ ଇକୋର୍ସା, ରାୟଗଡ଼ାକୁ ଖୋର୍ଦ୍ଧା ୧୦ ଉଇକେଟରେ ଏବଂ ଦେବଗଡ଼କୁ ୧୦ ଉଇକେଟରେ ନବରଙ୍ଗପୁର ହରାଇ ବୃହତ୍‌ ବିଜୟ ହାସଲ କରିଛି। ବ୍ୟକ୍ତିଗତ ପ୍ରଦର୍ଶନ ଦୃଷ୍ଟିରୁ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସୁନ୍ଦରଗଡ଼ର ଗୋବିନ୍ଦ ପୋଦ୍ଦାର ୯୫ ଓ କେନ୍ଦୁଝରର ଶୁଭ୍ରାଂଶୁ ସେନାପତି ୭୮ ରନ କରି ଟପ୍‌ ସ୍କୋରର ରହିଥିବାବେଳେ ବୋଲରଙ୍କ ମଧ୍ୟରେ ମୟୂରଭଞ୍ଜର ଦିବ୍ୟରଞ୍ଜନ ସାହୁ, କନ୍ଧମାଳର ରଶ୍ମିରଞ୍ଜନ ସାହୁ ୫ ଉଇକେଟ ସଫଳତା ପାଇଛନ୍ତି।

Share