Categories: ଖେଳ

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ: ଶଶାଙ୍ଗ, ଆୟୂଷଙ୍କ ଶତକ, ଶ୍ରେଷ୍ଠଙ୍କୁ ୬

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ଗୁରୁବାର ୬ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ଅନୁଗୋଳ, ଭୁବନେଶ୍ୱର ‘ଏ’, କଟକ ‘ଏ’, ‘ବି’, କେନ୍ଦ୍ରାପଡ଼ା ଓ ସମ୍ବଲପୁର ବିଜୟ ହାସଲ କରିଛନ୍ତି।
ରେଭେନ୍ସା ଗ୍ରାଉଣ୍ଡ-୨ରେ ଅନୁଷ୍ଠିତ ମ୍ୟାଚରେ ଅନୁଗୋଳ ୧୨୬ ରନରେ ସୋନପୁରକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଅନୁଗୋଳ ୨୫୯ ରନ କରିଥିବାବେଳେ ସୋନପୁର ୧୩୩ରେ ଅଲଆଉଟ ହୋଇଥିଲା। ଅନୁଗୋଳର ରାକେଶ ବିଶ୍ୱାଳ ସର୍ବାଧିକ ୭୨ ରନ କରିଥିଲେ। ରେଭେନ୍ସା ଗ୍ରାଉଣ୍ଡ-୧ରେ ଆୟୋଜିତ ମ୍ୟାଚରେ ଭୁବନେଶ୍ୱର-ଏ ୨୧୮ ରନରେ ଢେଙ୍କାନାଳକୁ ହରାଇ ଦେଇଛି। ଅଂଶୁମାନ ସାହୁଙ୍କ ୭୪ ଓ ସୁଦର୍ଶନ ସ୍ବାଇଁଙ୍କ ୬୫ ରନ ସହାୟତାରେ ଭୁବନେଶ୍ୱର-ଏ ୫୦ ଓଭରରେ ୭ ଉଇକେଟ ହରାଇ ୩୦୬ ରନ କରିଥିଲା। ଜବାବରେ ଢେଙ୍କାନାଳ ୮୮ ରନକରି ଅଲଆଉଟ ହୋଇଥିଲା। ନିମପୁର କ୍ରିକେଟ ଷ୍ଟାଡିୟମରେ କଟକ-ଏ ୧୫୫ ରନରେ ବଲାଙ୍ଗୀରକୁ ହରାଇ ଦେଇଛି। କଟକ-ଏ ୫୦ ଓଭରରେ ୩ ଉଇକେଟ ହରାଇ ୩୦୫ ରନ କରିଥିଲା। ଶଶାଙ୍ଗ ରୁଙ୍ଗଟା (୧୦୦) ଶତକହାସଲ କରିଥିବାବେଳେ ପ୍ରିନ୍ସ ବେହେରା ୭୪ ଓ ସାଇଦୀପ ମହାପାତ୍ର ୫୯ ରନ କରିଥିଲେ। ବଲାଙ୍ଗୀର ୧୫୦ ରନକରି ଅଲଆଉଟ ହୋଇ ଯାଇଥିଲା। ସାଇଦୀପ ୪ଟି ଉଇକେଟ ନେଇଥିଲେ। ବିଓଏସ୍‌ଇ ଗ୍ରାଉଣ୍ଡ ମ୍ୟାଚରେ କଟକ-ବି ୯ ଉଇକେଟରେ ମୟୂରଭଞ୍ଜକୁ ହରାଇଛି। ମୟୂରଭଞ୍ଜ ମାତ୍ର ୫୯ ରନରେ ଅଲଆଉଟ ହୋଇଥିବାବେଳେ କଟକ-ବି ୧୫.୧ ଓଭରରେ ମାତ୍ର ୧ ଉଇକେଟ ହରାଇ ବିଜୟୀ ହୋଇଥିଲା। ବିଡ଼ାନାସୀ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ କେନ୍ଦ୍ରାପଡ଼ା ୧୦୧ ରନରେ ନୂଆପଡ଼ାକୁ ହରାଇଛି। ସୌମିତ୍ର ବିଶ୍ୱାଳଙ୍କ ୫୯ ରନ ସହାୟତାରେ କେନ୍ଦ୍ରାପଡ଼ା ୨୩୬ ରନ କରିଥିଲା। ଜବାବରେ ନୂଆପଡ଼ା ୧୩୫ ରନକରି ଅଲଆଉଟ ହୋଇଥିଲା। ବିଜୟୀ ଦଳର ଅମୁଲ୍ୟ ନାୟକ ଓ ସୌମିତ୍ର ବିଶ୍ୱାଳ ୪ଟି ଲେଖାଏ ଉଇକେଟ ନେଇଥିଲେ। ଡ୍ରିମ୍ସ ଗ୍ରାଉଣ୍ଡରେ ଆୟୋଜିତ ମ୍ୟାଚରେ ସମ୍ବଲପୁର ୧୯୦ ରନରେ ଦେବଗଡ଼କୁ ପରାସ୍ତ କରିଛି। ଆୟୂଷ ମିଶ୍ର(୧୩୨)ଙ୍କ ଶତକ ଏବଂ ହ୍ରିତିକ ପଟେଲ(୬୫) ଓ ପ୍ରତୀକ ପାଣ୍ଡେ(୫୫)ଙ୍କ ଅର୍ଦ୍ଧଶତକ ସହାୟତାରେ ସମ୍ବଲପୁର ୫୦ ଓଭରରେ ୭ ଉଇକେଟ ହରାଇ ୩୫୬ ରନ କରିଥିଲା। ଜବାବରେ ଦେବଗଡ଼ ୫୦ ଓଭରରେ ୯ ଉଇକେଟ ହରାଇ ୧୬୬ ରନ କରି ପାରିଥିଲା। ବିଜୟୀ ଦଳର ଶ୍ରେଷ୍ଠ ସିଂ ୧୦ ଓଭରରେ ୩୫ ରନ ଦେଇ ୬ ଉଇକେଟ ସଫଳତା ପାଇଥିଲେ।

Share