Categories: ଖେଳ

ଓସିଏ ଆନ୍ତଃ ଜିଲା ସିନିୟର ଟି୨୦ ଲିଗ୍‌

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍‌ରେ ଶୁକ୍ରବାର ରାଉରକେଲା, କଟକ-ଏ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଜଗତ୍‌ସିଂହପୁର, ଭୁବନେଶ୍ୱର-ବି, ଭୁବନେଶ୍ୱର-ଏ, ପୁରୀ, ବରଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ଇକୋର୍ସା, କଟକ-ବି, ଖୋର୍ଦ୍ଧା, ଅନୁଗୋଳ, କୋରାପୁଟ ଓ ନବରଙ୍ଗପୁର ଦଳ ବିଜୟ ହାସଲ କରିଛନ୍ତି। ପ୍ରଦର୍ଶନ ଭିତ୍ତିରେ ଭୁବନେଶ୍ୱର ‘ଏ’, ‘ବି’, କଟକ ‘ଏ’, ବାଲେଶ୍ୱର ଓ ଇକୋର୍ସା ସୁପରଲିଗ୍‌ରେ ପ୍ରବେଶ କରିଛନ୍ତି।
ବାରବାଟୀ ଷ୍ଟାଡିୟମରେ କଟକ-ଏ ୧୫୨ ରନରେ ମାଲକାନଗିରିକୁ ପରାସ୍ତ କରିଛି। ବିଜୟୀ ଦଳର ଅରବିନ୍ଦ ସିଂ ସର୍ବାଧିକ ୮୭ ରନ ସ୍କୋର କରିଥିଲେ। ରାଉରକେଲା ୪୬ ରନରେ ଗଜପତିକୁ ହରାଇଛି। ଗଜପତିର ଗଣେଶ ଗୌଡ଼ା ୭୨ ରନ କରିଥିଲେ। ଡ୍ରିମ୍ସରେ ଅନୁଷ୍ଠିତ ମ୍ୟାଚରେ କେନ୍ଦୁଝର ୬ ଉଇକେଟରେ ନୟାଗଡ଼କୁ ହରାଇ ଦେଇଛି। କେନ୍ଦୁଝରର ଶୁଭ୍ରାଂଶୁ ସେନାପତି ସର୍ବାଧିକ ୫୬* ରନ କରିଥିଲେ। ଭଦ୍ରକ ୩୭ ରନରେ ଯାଜପୁରକୁ ପରାସ୍ତ କରିଛି। ବିଜୟୀ ଦଳର ଜ୍ୟୋତିରଞ୍ଜନ ୫୫ ଏବଂ ଯାଜପୁରର ଅମିନ ଖାଁ ୭୬ ରନ ସ୍କୋର କରିଥିଲେ। ନିମପୁର ଗ୍ରାଉଣ୍ଡରେ ଜଗତ୍‌ସିଂହପୁର ୭ ଉଇକେଟରେ ସୋନପୁରକୁ ହରାଇଛି। ବିଜୟୀ ଦଳ ପକ୍ଷରୁ ଶାମସୁଲ ଖାଁ ୬୧ ଓ ପବିତ୍ର ପ୍ରଧାନ ୫୦* ରନ କରିଥିଲେ। ବାଲେଶ୍ୱର ୭୨ ରନରେ ମୟୂରଭଞ୍ଜକୁ ପରାସ୍ତ କରିଛି। ବାଲେଶ୍ୱରର ସର୍ବେଶ୍ୱର ମହାନ୍ତି ଶତକ (୧୦୦ ରନ) ହାସଲ କରିଛନ୍ତି। କିଟ୍‌ରେ ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର-ଏ ୧୦ ଉଇକେଟରେ ବୌଦ୍ଧକୁ ହରାଇଛି। ବିଜୟୀ ଦଳର ଦୀପକ ମାଝି ୬୧* ଓ ଦେବାଶିଷ ସାମନ୍ତରାୟ ୫୦* ରନ ସ୍କୋର କରିଥିଲେ। ପ୍ରତୀକ ଦାସଙ୍କ ଦ୍ରୁତ ୧୬୨* ରନ ସହାୟତାରେ ଭୁବନେଶ୍ୱର-ବି ୧୪୬ ରନରେ କନ୍ଧମାଳକୁ ପରାସ୍ତ କରିଛି। ବିକାଶ ଗ୍ରାଉଣ୍ଡରେ ପୁରୀ ୧୪ ରନରେ କିଟ୍‌କୁ ହରାଇ ଦେଇଛି। ପୁରୀର ସୁମନ ମହାପାତ୍ର ୯୩ ଓ ଦିବ୍ୟଜ୍ୟୋତି ରଥ ୫୭ ରନ କରିଥିଲେ। ବରଗଡ଼ ୩ ଉଇକେଟରେ ଝାରସୁଗୁଡ଼ାକୁ ପରାସ୍ତ କରିଛି।
ଭୁବନେଶ୍ୱର ଟାଉନ୍‌ କ୍ଲବ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ ସୁନ୍ଦରଗଡ଼ ୪୨ ରନରେ ସମ୍ବଲପୁରକୁ ହରାଇଛି। ବିଜୟୀ ଦଳର ଓ୍ବାଲ୍ଟର ଟପ୍ପୋ ୫୫ ରନ କରିଥିଲେ। ପ୍ରୟାସ ସିଂଙ୍କ ୧୩୪* ରନ ବଳରେ ନୂଆପଡ଼ା ୬୩ ରନରେ ବଲାଙ୍ଗୀରକୁ ପରାସ୍ତ କରିଛି। ବିଡ଼ାନାସୀ ଗ୍ରାଉଣ୍ଡରେ ଇକୋର୍ସା ୯ ଉଇକେଟରେ କଳାହାଣ୍ଡିକୁ ହରାଇ ଦେଇଛି। ବିଜୟୀ ଦଳର ସୁଜିତ ଲେଙ୍କା ୬୯ ରନରେ ଅପରାଜିତ ରହିଥିଲେ। କଟକ-ବି ୯ ଉଇକେଟରେ ଦେବଗଡ଼କୁ ହରାଇଛି। ବିଜୟୀ ଦଳର ଅଭିଷେକ ଗିରି ମାତ୍ର ୩ ରନ ଦେଇ ୫ ଉଇକେଟ ସଫଳତା ପାଇଥିଲେ। ରେଭେନ୍ସା ଗ୍ରାଉଣ୍ଡ ମ୍ୟାଚରେ ଖୋର୍ଦ୍ଧା ୨୩ ରନରେ ଗଞ୍ଜାମକୁ ପରାସ୍ତ କରିଛି। ଖୋର୍ଦ୍ଧାର ଜ୍ୟୋତି ବେହେରା ୫୫ ରନ କରିଥିଲେ। ଅନୁଗୋଳ ୯ ଉଇକେଟରେ ପାରାଦୀକୁ ହରାଇ ଦେଇଛି। ସେଞ୍ଚୁରିଅନ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ କୋରାପୁଟ ୪୦ ରନରେ ରାୟଗଡ଼ାକୁ ହରାଇଛି। ବିଜୟୀ ଦଳର ଆଦିତ୍ୟ ରାଉତ ସର୍ବାଧିକ ୬୮ ରନ କରିଥିଲେ। ଅନ୍ୟଏକ ମ୍ୟାଚରେ ନବରଙ୍ଗପୁର ୫ ଉଇକେଟରେ ଢେଙ୍କାନାଳକୁ ପରାସ୍ତ କରିଛି। ବିଜୟୀ ଦଳର ଶେଖ୍‌ ରିଆଜ ୬୦ ରନରେ ଅପରାଜିତ ରହିଥିଲେ।

Share