ଓବିସି ଜନଗଣନା: ଆଶା ଓ ନିରାଶା

ଅଧ୍ୟାପକ ଗୋପବନ୍ଧୁ

 

ବିଳମ୍ବ ହେଲେ ବି ଓଡ଼ିଶା ସରକାର ଓବିସି ଜନଗଣନା ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ଏ ବାବଦକୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ମେ ୧ରୁ ଗଣନା ଆରମ୍ଭ ହୋଇ ମେ ୨୭ରେ ଶେଷ ହେବ। ଏହା ଏକ ସାଗତଯୋଗ୍ୟ ପଦକ୍ଷେପ। ଓବିସି ସଙ୍ଗଠନଗୁଡ଼ିକ ତରଫରୁ ବହୁଦିନରୁ ଏ ଦାବି ହୋଇଆସୁଥିଲା। ଏ ଦାବି ନିକଟରେ ସରକାର ମୁଣ୍ଡ ନୁଆଁଇଲେ କି ସରକାର ଓବିସିମାନଙ୍କ ବିକାଶ ପାଇଁ ଆଗ୍ରହୀ ତାହା ଏକ ଭିନ୍ନ ବିତର୍କ। ସରକାର କେତେ ଆନ୍ତରିକତାର ସହିତ ଏ ଜନଗଣନାକୁ ପରିଚାଳିତ କରିବେ, ତାହା ଜାଣିବା ପାଇଁ ଏହାର ସମୟ ଅବଧି ସମାପ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ସରକାରଙ୍କ ଓବିସିଙ୍କ ପ୍ରତି କେତେ ଆନ୍ତରିକତା ରହିଛି ତାହା ମଧ୍ୟ ଜନଗଣନା ଆକଳନ ପ୍ରାପ୍ତ ହେବାପରେ ଜଣାପଡ଼ିବ। ଶେଷ ଜାତିଭିତ୍ତିକ ଜନଗଣନା ବ୍ରିଟିଶ୍‌ରାଜ ସମୟରେ ୧୯୩୧ ମସିହାରେ ହୋଇଥିଲା, ଯେଉଁଥିରେ ଏମାନଙ୍କ ସଂଖ୍ୟା ଭାରତବର୍ଷରେ ୫୨% ବୋଲି କୁହାଯାଇଛି। ସେତେବେଳେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇ ନ ଥିଲା। ସେହି ଗଣନା ଆଧାରରେ ଏମାନଙ୍କ ସଂଖ୍ୟା ଓଡ଼ିଶାରେ ସାମାନ୍ୟ ଅଧିକ ଦର୍ଶାଇ ଏହା ୫୪% ବୋଲି କୁହାଯାଉଛି। ଓବିସି ଜନଗଣନା ପରେ ପ୍ରକୃତ ହାର ଜଣାପଡ଼ିବ, ଯଦି ସୂଚାରୁ ରୂପେ ଏହା ପରିଚାଳିତ ହୁଏ।
ଓବିସିଙ୍କ ସ୍ବାର୍ଥ ଜନଗଣନାରେ ନାହିଁ। ଏମାନଙ୍କ ସ୍ବାର୍ଥ ଏମାନଙ୍କୁ ରାଜ୍ୟରେ ମଣ୍ଡଳ କମିଶନଙ୍କ ସୁପାରିସ ମୁତାବକ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭% ସଂରକ୍ଷଣ ସୁବିଧା ପ୍ରଦାନ କରିବା ଉପରେ ରହିଛି। ଏହା ସହିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ସହର ନିର୍ବାଚନରେ ମଧ୍ୟ ୨୭% ସଂରକ୍ଷଣ ସୁବିଧା ଦେବା ଓ ରାଜ୍ୟର ଓବିସି ନିଗମକୁ କ୍ରିୟାଶୀଳ କରି ଏମାନଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ଉପରେ ରହିଛି। ଏହି ସୁବିଧାମାନ ଦିଆଯାଇ ନ ପାରିଲେ ଓବିସି ଜନଗଣନା ଫଳାଫଳ କେଉଁ କାମକୁ? ଧରାଯାଉ ଓବିସି ଜନଗଣନାର ଫଳାଫଳ ଅନୁସାରେ ରାଜ୍ୟରେ ଏମାନଙ୍କ ସଂଖ୍ୟା ବଢ଼ି ୬୦% ହେଲା କିମ୍ବା କମି ୪୦% ହେଲା ଏହା ଜାଣି ଓବିସି ଲୋକଙ୍କୁ କ’ଣ ଲାଭ ମିଳିବ? ଏ କଥା ତ ସମସ୍ତଙ୍କୁ ଜଣା ଯେ, ୧୯୩୧ ମସିହାରେ ଓବିସି ଜନସଂଖ୍ୟାର ଯେଉଁ ହାର ଥିଲା, ସେଥିରେ ବିଶେଷ ପରିବର୍ତ୍ତନ ହେବନାହିଁ ଯଦି ଏହାକୁ ଇଚ୍ଛାକୃତ ଭାବେ ପରିବର୍ତ୍ତନ କରାନଯାଏ। ଖୁବ୍‌ ବେଶିରେ ଏହା ଦୁଇ ଚାରି ପର୍ସେଣ୍ଟ ଏକଡ଼ ସେକଡ଼ ହୋଇପାରେ।
ଓବିସିମାନେ ଦ୍ୱୈତ ମାନଦଣ୍ଡର ଶିକାର ହୋଇଛନ୍ତି। ୧୯୯୨ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ୧୯୩୧ ମସିହା ଓବିସି ପରିସଂଖ୍ୟାନକୁ ଗ୍ରହଣ କରିଥିଲେ, ନୂଆ ପରିସଂଖ୍ୟାନ ରିପୋର୍ଟ ମାଗି ନ ଥିଲେ, ମଣ୍ଡଳ କମିଶନ ରିପୋର୍ଟର କାର୍ଯ୍ୟକାରିତାକୁ ବୈଧ ଘୋଷଣା କରିବା ପାଇଁ। ଉଚ୍ଚବର୍ଗର ଅର୍ଥନୈତିକ ଭାବେ ଦୁର୍ବଳମାନଙ୍କ ପାଇଁ ୧୦% ଇଡବ୍ଲ୍ୟୁଏସ୍‌ ସଂରକ୍ଷଣ ଦେବାବେଳେ ମଧ୍ୟ ତାଙ୍କ ପରିସଂଖ୍ୟାନ ଓ ବିଭିନ୍ନ ସ୍ଥିତିର ରିପୋର୍ଟ ମାଗି ନ ଥିଲେ। କିନ୍ତୁ ବିଗତ ତ୍ରିସ୍ତରୀୟ ପଞ୍ଚାୟତ ଏବଂ ସହରୀ ନିଗମ ଓ ପୌରାଞ୍ଚଳ ନିର୍ବାଚନ ସମୟରେ ଓବିସିମାନଙ୍କ ପାଇଁ ଏ ପ୍ରକାର ରିପୋର୍ଟ ଅତ୍ୟାବଶ୍ୟକ ହୋଇପଡ଼ିଲା। ରାଜ୍ୟରେ ଓବିସିମାନଙ୍କୁ ମଣ୍ଡଳ କମିଶନର ସୁପାରିସ ମୁତାବକ ୨୭% ସଂରକ୍ଷଣ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଦେବା ପାଇଁ ଓବିସି ପରିସଂଖ୍ୟାନର ଆବଶ୍ୟକତା ଥିବାପରି ମନେହେଉ ନାହିଁ। ଏଥିପାଇଁ ସୁପ୍ରିମକୋର୍ଟଙ୍କ ପ୍ରଦତ୍ତ ସଂରକ୍ଷଣ ସୀମାରେଖାର ଉଚ୍ଛେଦ ଜରୁରୀ, ଯାହା ୫୦% ମଧ୍ୟରେ ସୀମିତ ରଖିବାର ନିର୍ଦ୍ଦେଶ ରହିଛି। ତାମିଲନାଡ଼ୁ ତୁଲ୍ୟ ଓଡ଼ିଶା ସରକାର ସ୍ବତନ୍ତ୍ର ରାଜ୍ୟର ଦାବି ଜଣାଇ ଏହାକୁ ସମ୍ବିଧାନର ନବମ ଅନୁଚ୍ଛେଦରେ ସ୍ଥାନିତ କରିବା ପାଇଁ ପ୍ରଚେଷ୍ଟା କଲେ ସୁଫଳ ମିଳିପାରନ୍ତା। ଏ ଦିଗରେ ସୁପ୍ରିମକୋର୍ଟରେ ଯେଉଁ କେସ୍‌ ହୋଇଛି ତାକୁ ମଧ୍ୟ ରାଜ୍ୟ ସରକାର ଆନ୍ତରିକତାର ସହିତ ଲଢ଼ିବା ଜରୁରୀ।
ନିର୍ଦ୍ଧାରିତ ତାରିଖରୁ ସର୍ଭେ ବା ଗଣନା କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ସମସ୍ତ ଓବିସିଙ୍କୁ ତାଙ୍କ ଆଡ଼ୁ ଏହି ଗଣନାରେ ସାମିଲ ହେବା ପାଇଁ କୁହାଯାଇଛି। ନିକଟସ୍ଥ ଅଙ୍ଗନଓ୍ବାଡି କେନ୍ଦ୍ର ଅଥବା ଖାଉଟି କେନ୍ଦ୍ରକୁ ଯାଇ ନିଜର ତଥା ନିଜ ପରିବାରର ଆବଶ୍ୟକ ବିବରଣୀ ପ୍ରଦାନ ପାଇଁ କୁହାଯାଇଛି। ଏହା ବ୍ୟତୀତ ଓବିସି ବ୍ୟକ୍ତିବିଶେଷ ଜନସେବା କେନ୍ଦ୍ରକୁ ଯାଇ କିମ୍ବା ଅନ୍‌ଲାଇନ ଯୋଗେ ନିଜ ବିବରଣୀ ପ୍ରଦାନ କରିପାରିବେ। ଏସବୁ ଠିକ୍‌ ବୋଲି ମନେହେଉଥିଲେ ହେଁ ଏହା କେତେ ସଫଳ ହୋଇପାରିବ, ଏହାକୁ ନେଇ ସନ୍ଦେହ ଜାତ ହେବା ସ୍ବାଭାବିକ। ଯେଉଁ ଦେଶରେ ଶତପ୍ରତିଶତ ଲୋକ ନିଜେ ଯାଇ ଭୋଟଦେଇ ପାରୁନାହାନ୍ତି, ପୁଣି ପ୍ରଲୋଭନ ଓ ବୁହାହେବା ସତ୍ତ୍ୱେ ସେଠାରେ ଶତପ୍ରତିଶତ ଓବିସି ନିଜେ ଯାଇ ପ୍ରସ୍ତାବିତ କେନ୍ଦ୍ରଗୁଡ଼ିକରେ ନିଜର ବିବରଣୀ ପ୍ରଦାନ କରିବେ ବୋଲି ଅନେକେ ଗ୍ରହଣ କରିପାରୁ ନାହାନ୍ତି। ତେଣୁ ଘରକୁ ଘର ବୁଲି ଏପ୍ରକାର ସର୍ଭେ କରିଥିଲେ ଅଧିକ ଫଳପ୍ରଦ ହୋଇଥା’ନ୍ତା।
ରାଜ୍ୟ ସରକାର ପ୍ରକୃତରେ ଓବିସିମାନଙ୍କୁ କିଛି ସୁବିଧା ସୁଯୋଗ ଦେବା ପାଇଁ ଏ ଜନଗଣନା କରୁଛି ଅଥବା କାଳକ୍ଷେପଣ ନୀତିର ଅନୁସରଣରେ ଏହା କରୁଛି ଏଯାଏ ସ୍ପଷ୍ଟ ହୋଇନାହିଁ। ସରକାରଙ୍କ ଇଚ୍ଛା ଯାହାବି ହେଉ ଓବିସି ସମସ୍ୟା ଯେ ଏକ ରାଜନୈତିକ ମୁଦା ଭାବେ ରାଜ୍ୟରେ ଉଭା ହୋଇସାରିଛି, ଏଥିରେ କୌଣସି ସନ୍ଦେହ ନାହିଁ। ନିର୍ବାଚନ ସମୟରେ ଏହା ନିଶ୍ଚୟ ରାଜନୈତିକ ରୂପ ଦେଖାଇବ। ଓବିସି ସଙ୍ଗଠନ ବିଭିନ୍ନ ଅଞ୍ଚଳରେ ବଢ଼ିଚାଲିଛି। ତାଙ୍କ ମଧ୍ୟରେ ଜାଗରଣ ଆସିଲାଣି। ଓବିସି ଅନ୍ତର୍ଗତ ବିଭିନ୍ନ ଜାତିମାନେ ମଧ୍ୟ ସଙ୍ଗଠିତ ହେଉଛନ୍ତି। ନିଜର ସାମ୍ବିଧାନିକ ଅଧିକାର ପାଇବା ପାଇଁ ଦାବି ଉଠାଇଲେଣି। ବିଭିନ୍ନ ରାଜନୈତିକ ଦଳ ଏଥିରୁ ଫାଇଦା ନେବାପାଇଁ ତତ୍ପର ହେବା ପରି ପ୍ରତୀୟମାନ ହେଉଛି। ନିର୍ବାଚନ ଯେତେ ପାଖେଇବ ଏ ପ୍ରକ୍ରିୟା ସେତେ ବଢ଼ିବ। ସରକାର ନିଶ୍ଚିତରୂପେ ଏ ବିଷୟରେ ଅବଗତ ଅଛି। ନିର୍ବାଚନ ପୂର୍ବରୁ ଏମାନଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭% ସଂରକ୍ଷଣ ସୁନିଶ୍ଚିତ ନକଲେ ଏହା ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ତୁଙ୍ଗ ନେତୃତ୍ୱ ଜାଣିଛନ୍ତି।
ଦର୍ଶନ ବିଭାଗ(ଅବସରପ୍ରାପ୍ତ)
ବାରିପଦା, ମୟୂରଭଞ୍ଜ
ମୋ: ୭୦୦୮୯୭୬୧୮୦


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri