ନଗ୍ନତା ସଭ୍ୟତା ନୁହେଁ

ଡ. ପବିତ୍ର ସୁବୁଦ୍ଧି

ଜଣେ ବିଶିଷ୍ଟ ସମାଜଶାସ୍ତ୍ରୀ ଏକଦା କହିଥିଲେ- ”ମଣିଷ ମହାନ୍‌ ହେବା ପାଇଁ ତିନୋଟି ଜିନିଷ ଲୋଡ଼ା। ପୁରୁଷର ମସ୍ତିଷ୍କ, ନାରୀର ହୃଦୟ ଓ ଶିଶୁର ମନ।“ ନାରୀର ହୃଦୟ ହେଉଛି ଏକ ଭବ୍ୟ ମନ୍ଦିର। ନାରୀ ହେଉଛି ବିଧାତାଙ୍କ ଏକ କମନୀୟ ସୃଷ୍ଟି। ସେଇଥିପାଇଁ ଭାରତୀୟ ସଂସ୍କୃତିର ଅନୁପମ ଉଦ୍‌ଗାତା କବି କାଳିଦାସଙ୍କ ଲେଖନୀରେ ଦିନେ ଫୁଟି ଉଠିଥିଲା ନାରୀ ମହିମାର ଏକ ପ୍ରଶସ୍ତ ବ୍ୟାଖ୍ୟା। ନାରୀ ତନୁର ସ୍ନିଗ୍ଧ ଲାବଣ୍ୟ, ଅନ୍ତରର ସ୍ବଚ୍ଛନ୍ଦ ପ୍ରୀତିପୀୟୂଷ ଧାରା ଓ ପୁରୁଷ କଳ୍ପନାର ଇନ୍ଦ୍ରଧନୁ ଛଟା, ନାରୀ ଚରିତ୍ରକୁ ଯୁଗେ ଯୁଗେ ମହିମାନ୍ବିତ କରିଛି। ନାରୀ ଏକାଧାରରେ କଲ୍ୟାଣମୟୀ, ମମତାମୟୀ ଓ ସ୍ନେହମୟୀ। ନାରୀ କରୁଣାର ଚିରସ୍ରୋତା ସ୍ରୋତସ୍ବିନୀଟିଏ। ଆଶିଷର ମୂର୍ତ୍ତିମନ୍ତ ଆକାଶଦୀପଟିଏ। ସହନଶୀଳତାର ତୁଠ ପଥରଟିଏ। ନାରୀ କେବଳ ଲୀଳା ସଙ୍ଗିନୀ, ନମ୍ର ସହଚରୀ ବା ପୁରୁଷ ଚକ୍ଷୁରେ କଳ୍ପନାର ମାୟାଜାଲ କିମ୍ବା ଛଳନାମୟୀ ନୃତ୍ୟଶୀଳା ଉର୍ବଶୀ ନୁହେଁ, ସେ ହେଉଛି ସ୍ନେହମୟୀ ପ୍ରେମଶୀଳା ସହଧର୍ମିଣୀ, ସହକର୍ମିଣୀ, ସହମର୍ମିଣୀ, ମୂର୍ତ୍ତିମତୀ ଲକ୍ଷ୍ମୀ। ଜନକତନୟା ରାମଜାୟା ପତିବ୍ରତା ସୀତାଙ୍କଠାରୁ ଆରମ୍ଭ କରି ବ୍ରହ୍ମବାହିନୀ, ବିଶ୍ୱବାରା, ଗାର୍ଗୀ, ମୈତ୍ରେୟୀ ଓ ଲୀଳାବତୀଙ୍କ ପର୍ଯ୍ୟନ୍ତ ବିଦୂଷୀ ଲଳନାମାନଙ୍କର ଅପୂର୍ବ ଜ୍ୟୋତିରେ ନାରୀଜାତି ଚିରଭାସ୍ବର। ନାରୀ କେବେ ବି ଦୁର୍ବଳା କି ଅବଳା ନୁହେଁ, ବରଂ ସେ ଏକ ପାର୍ଶ୍ୱରେ ସ୍ନେହ, ପ୍ରେମ, କରୁଣାର ତ୍ରିବେଣୀସଙ୍ଗମ ଏବଂ ଅପରପାର୍ଶ୍ୱରେ ସୃଷ୍ଟି, ସ୍ଥିତି ଓ ପ୍ରଳୟକାରିଣୀ ଜଗନ୍ମାତାଙ୍କର ଏକ ଅଂଶବିଶେଷ। ସେଥିପାଇଁ ଭାରତୀୟ କାବ୍ୟଦର୍ଶନରେ ନାରୀ, ରୂପ, ଭାବ ଓ ଅଭିବ୍ୟକ୍ତିର ଜନନୀ ରୂପେ ଚିତ୍ରିତ ହୋଇଛି। ନାରୀର ଏହି ନିର୍ବିକଳ୍ପ ସୌନ୍ଦର୍ଯ୍ୟ କାଳେ କାଳେ କବି କଲମରେ କାଳି ହୋଇ କବିତା ଲେଖେ। ଚିତ୍ରକରର ତୂଳୀରେ ରଙ୍ଗ ହୋଇ ଚିତ୍ର ଆଙ୍କେ। ଶିଳ୍ପୀ ନିହଣର ଧାର ହୋଇ ଶିଳାର କୋଣାର୍କ ଗଢ଼େ। ଗାୟକ କଣ୍ଠର ସ୍ବରପେଟିକା ହୋଇ ସଙ୍ଗୀତର ସୁର ତୋଳେ। ପ୍ରେମିକାଚକ୍ଷୁର ପୀତବିନ୍ଦୁ ହୋଇ ପ୍ରେମିକାର ଛବି ଉତ୍ତୋଳନ କରେ। ସତରେ କେତେ କଳାକୀର୍ତ୍ତିର କର୍ମଶାଳା ଏହି ଲାବଣ୍ୟବତୀ ନାରୀ! ସେଇଥିପାଇଁ ତ ଲିଓନାର୍ଡ ଦା ଭିନ୍‌ସିଙ୍କ ମୋନାଲିସା ଏବେ ବି ଅମର।
ଏବେ ପ୍ରଶ୍ନଉଠେ- କୁଆଡ଼େ ଗଲା ନାରୀ ଅଙ୍ଗର ସେହି ନମନୀୟତା, କମନୀୟତା, ସଂହତି, ସୌଷ୍ଠବ ଓ ସୌନ୍ଦର୍ଯ୍ୟ; ଯାହାକୁ ଦିନେ ଏ ସୃଷ୍ଟି ସ୍ରଷ୍ଟାଙ୍କର ମହାର୍ଘ ଅବଦାନ ରୂପେ ଗ୍ରହଣ କରିଥିଲା। କାହିଁକି ତାକୁ ବିକୃତ, ବିଲୁପ୍ତ କରିବାରେ ଆମେ ସମସ୍ତେ ଚେଷ୍ଟିତ? କାହିଁକି ଓଢ଼ଣା ଫାଙ୍କରୁ ଆଉ ଦେଖିବାକୁ ମିଳୁନାହିଁ ସଲଜ୍ଜ ନାରୀର ମନ୍ମୟ ମୁହଁ? କାହିଁକି ଏକବିଂଶ ଶତାବ୍ଦୀର ନାରୀ ଆଜି ମାୟାମୃଗର ଅସତ୍ୟ ପ୍ରଲୋଭନରେ ପଥଭ୍ରଷ୍ଟ? ଯେଉଁ ନାରୀର ଅପରୂପ ରୂପଲାବଣ୍ୟ ଦିନେ ପୁରୁଷମନରେ ସୃଷ୍ଟି କରୁଥିଲା ପବିତ୍ର ହୋମଶିଖାର ଜ୍ୟୋତି, କାହିଁକି ସେ ନଗ୍ନରୂପ ଆଜି ପୁରୁଷ ପାଇଁ ପାଲଟିଛି କାମନାର ପ୍ରଜ୍ୱଳିତ ଶିଖା? କେଉଁଠି ଲୁଚିଗଲା ନାରୀର ସେହି ଅମୃତମୟ ଲାବଣ୍ୟ, ଯାହା ‘ପଦ୍ମ’ ଦର୍ଶନରେ ପାଇଥିଲେ ଭକ୍ତକବି ମଧୁସୂଦନ ରାଓ ଓ ଗାଇଥିଲେ ”କୋଟି ଲାବଣ୍ୟ ନିଧିରେ ପଦ୍ମ ତୁହି, କି ଅମୃତେ ତୋ’ ତନୁ ଗଢ଼ିଲା ବିହି। ତୋ ରୂପ ଦରଶନେ ମୋର ହୃଦୟ, ପୁଣ୍ୟ ଆନନ୍ଦେ ହୁଏ ଅମୃତମୟ।“
ସମ୍ଭବତଃ ଏବେ ନାରୀ ସୌନ୍ଦର୍ଯ୍ୟର କାହାକଳ୍ପ ଘଟିଛି। ନାରୀର ରୂପକୁ ନେଇ ଏବେ ରାଜନୀତି ଓ ବ୍ୟବସାୟ ଚାଲିଛି। ରମଣୀୟତା ଆଉ ରହସ୍ୟ ହୋଇ ରହିନାହିଁ। ନଗ୍ନତା ପାଲଟିଛି ସଭ୍ୟତା। ସତେ ଯେମିତି ନାରୀର ଅଙ୍ଗଶୋଭା ଆଉ ସ୍ବର୍ଗୀୟ ସମ୍ପଦ ହୋଇ ରହିନାହିଁ। ସେଇଥିପାଇଁ ରାଜରାସ୍ତାରେ ଝୁଲୁଛି ଏକାଧିକ ଅର୍ଦ୍ଧନଗ୍ନ ନାରୀଙ୍କ ବିରାଟ ବିରାଟ ଚିତ୍ରପଟ। ନିର୍ବସ୍ତ୍ର ନାରୀଙ୍କୁ ନେଇ ଚାଲିଛି କୋଟି କୋଟି ଟଙ୍କାର ବିଜ୍ଞାପନ। ଧନ୍ୟ କହିବ ମଣିଷ ଜାତିର ଏ ରୁଗ୍‌ଣ ମାନସିକତାକୁ। ହେଲେ କେତେକାଳ ଚାଲିବ ଏ ନଗ୍ନ ମାନସିକତାକୁ ନେଇ ବଣିଜ ବେପାର?
ଏ ପରିପ୍ରେକ୍ଷୀରେ ପୁରାଣରୁ ଆଖ୍ୟାନଟିଏ ସ୍ମରଣକୁ ଆସେ। ଏକଦା ଏକ ନୃତ୍ୟଶାଳାରେ ନୃତ୍ୟ କରୁଥା’ନ୍ତି ସୁନ୍ଦରୀ ଅପ୍‌ସରା ଉର୍ବଶୀ। ସେ ନୃତ୍ୟଶାଳାରେ ଉପସ୍ଥିତ ଥାଆନ୍ତି ଦେବତା ଓ ଦୁଇ ତପସ୍ବୀ। ଶରୀରରୁ ଗୋଟିଏ ପରେ ଗୋଟିଏ ବସ୍ତ୍ର ଅନାଭରଣ କରି ଚାଲିଥାଆନ୍ତି ଉର୍ବଶୀ। ଉଲଗ୍ନ ଉର୍ବଶୀଙ୍କୁ ଦେଖି ଦେବତା ଓ ଜଣେ ତପସ୍ବୀଙ୍କ ଅବସ୍ଥା ଅସମ୍ଭାଳ। କିନ୍ତୁ ଉପସ୍ଥିତ ଅନ୍ୟତମ ମହାମୁନି କୁତୁକ ତଥାପି ଥାଆନ୍ତି ଅବିଚଳିତ। ଏଥର ସବୁ ଆଭରଣ ଖୋଲିସାରିଥିବା ଉର୍ବଶୀ କୁତୁକଙ୍କୁ ପଚାରିଲେ- ଆଉ କିଛି ଯେ ଖୋଲିବାର ନାହିଁ। କାହିଁକି ଆପଣ ବସିଛନ୍ତି। କୁତୁକ ଅଳ୍ପ ହସି କହିଲେ-‘ନା ଉର୍ବଶୀ! ତୁମେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆଭରଣଶୂନ୍ୟ ହୋଇନାହଁ।’ ଉର୍ବଶୀ ପଚାରିଲେ- କ’ଣ ଆଉ ବାକି ଅଛି ମୁନିବର? କୁତୁକ କହିଲେ- ଏବେ ବି ଚର୍ମ, ଅସ୍ଥି, ରକ୍ତ, ମାଂସ ଓ ମେଦ ଆଦି ତୁମକୁ ଘୋଡ଼ାଇ ରଖିଛି। ପାରିବ ତ ତାକୁ ଖୋଲିଦିଅ। ମହାମୁନି କୁତୁକଙ୍କର ଏ ମହାନ୍‌ ତତ୍ତ୍ୱର ତାତ୍ପର୍ଯ୍ୟ ବୁଝି ଲଜ୍ଜିତ ଉର୍ବଶୀ ତାଙ୍କ ପାଦତଳେ ପଡ଼ିଗଲେ ଓ ତତ୍‌କ୍ଷଣାତ କୁତୁକ ନିଜ ଚାଦରରେ ଉର୍ବଶୀଙ୍କ ଉଲଗ୍ନ ଶରୀରକୁ ଢାଙ୍କିଦେଲେ।
ପାଠକେ! ସଂସ୍କୃତି ହେଉଛି ଗୋଟିଏ ଜାତିର ସମ୍ପତ୍ତି। ତାକୁ ବାଜ୍ୟାପ୍ତି କରିବାର ଅଧିକାର ଆମ କାହାର ନାହିଁ। ସମ୍ପୂର୍ଣ୍ଣ ନିର୍ବସ୍ତ୍ର ହେବା ଯୌବନର ପ୍ରଦର୍ଶନ ନୁହେଁ, ବରଂ ଯୌନବିକୃତିର ବିଜ୍ଞାପନ। ନାରୀର ରୂପଯୌବନ ପୁରୁଷକୁ ଉତ୍ତେଜିତ କରିବା କଥା ସତ, ମାତ୍ର ନାରୀ କେବଳ ସମ୍ଭୋଗର ସାମଗ୍ରୀ ନୁହେଁ, ସେ କଥା ବି ନାରୀ ମନେରଖିବା ଉଚିତ୍‌। କତିପୟ କାମାସକ୍ତ ନାରୀଙ୍କର କଳଙ୍କ ପାଇଁ ସମଗ୍ର ନାରୀଜାତିର ଲାବଣ୍ୟ ଓ ମାଧୁରୀ, ଲଜ୍ଜା ଓ ସଂଭ୍ରମତା ସତେ ଯେମିତି ଆଜି ଅପହୃତ। ନାରୀ ଜାତିର ଚରମ ଆଦର୍ଶ ଆଜି କୀଟଦ୍ରଂଷ୍ଟ ଓ ଧ୍ୱସ୍ତବିଧ୍ୱସ୍ତ। ଦୁଃଖ ତ ଏଇଠି, ଆଜି ଯେତେବେଳେ ସମଗ୍ର ପାଶ୍ଚାତ୍ୟ ଜଗତ ଚାହୁଁଛି ପ୍ରାଚ୍ୟର ମୁଠାମୁଠା ଆଲୁଅ, ସେତେବେଳେ ପ୍ରାଚ୍ୟ ଜଗତ ଚାହୁଁଛି ପାଶ୍ଚାତ୍ୟର ମେଞ୍ଚାମେଞ୍ଚା ଅନ୍ଧାର। ଗତି ଆମର ଆଲୁଅରୁ ଅନ୍ଧାରକୁ। ଜ୍ୟୋତିରୁ ତମସାକୁ। ସ୍ବର୍ଗରୁ ନର୍କକୁ। ଆମ ପାଖରେ ତ ବସ୍ତ୍ରର ଅଭାବ ନାହିଁ। ଏହା ସତ୍ତ୍ୱେ ଆମର ଏତେ ଦୈନ୍ୟ କାହିଁକି? ଅଣୁ ପରମାଣୁ ଯୁଗରେ ଥାଇ ଅଧୁନା ବିସ୍ମୃତ ଆଦିମ ପ୍ରସ୍ତର ସଭ୍ୟତାର ଆରଣ୍ୟକ ଯୁଗ ପ୍ରତି ଆମର ଏତେ ଅନୁରକ୍ତି କାହିଁକି? ଆମେ ଏତେ ଉନ୍ନତ-ପୁଣି ଏତେ ଅସଂସ୍କୃତ। ଏତେ ବିଭବଶାଳୀ-ପୁଣି ଏତେ ଅଶାଳୀନ। ଗୋଟେ ନାରୀକୁ ବିବସନା କରିବାକୁ ଯାଇ ଗୋଟେ ବଂଶ ଧ୍ୱଂସ ହୋଇଗଲା। ନାରୀ ହେଉଛି ଏ ଜାତିର ଜନନୀ ଓ ସମାଜର ଶ୍ରେଷ୍ଠ ଶିକ୍ଷୟିତ୍ରୀ। ଏଣୁ ନାରୀ ଆଜି ନିଜେ ତା’ର ନଗ୍ନତାର ସୀମା ନିର୍ଦ୍ଧାରଣ କରୁ। ନିର୍ଣ୍ଣୟ କରୁ। ନଚେତ୍‌ ଏ ପୃଥିବୀକୁ ଆଉ ଥରେ ଓହ୍ଲେଇ ଆସିବ ପ୍ରାଗୈତିହାସିକ ଅନ୍ଧକାର। ଖାଲି ଅନ୍ଧାର, ଅନ୍ଧାର ଆଉ ଅନ୍ଧାର। ସେତେବେଳକୁ କେହି କାହାକୁ ଉତ୍ତରଦାୟୀ କରିବାକୁ ନଥିବେ। କେବଳ ସାରା ମୁଲକରେ ବୁଲୁଥିବେ ଲୋଳଜିହ୍ବା ଲମ୍ବାଇ କିଛି ଲଙ୍ଗଳା ଆଦିମ ମଣିଷ।
ପ୍ରାଧ୍ୟାପକ, ନୀଳମାଧବ କଲେଜ, କଣ୍ଟିଲୋ
ମୋ: ୬୩୭୦୬୪୫୭୮୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri