ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ ପରେ ଅର୍ଥାତ୍ ୧୫ ତାରିଖ ମଙ୍ଗଳବାର ପାହାନ୍ତିଆ ହେବା ପୂର୍ବରୁ ଏକ ଶୂନ୍ଶାନ ସମୟରେ ନୂଆହାଣ୍ଡିରେ ନବାନ୍ନ ଭୋଗ ପ୍ରସ୍ତୁତ କରି ନବାନ୍ନ ଅର୍ପଣ କରାଯିବ। ଆସନ୍ତା ଭାଦ୍ରବ ଶୁକ୍ଲପକ୍ଷ ଋଷି ପଞ୍ଚମୀ ତଥା ଆସନ୍ତା ୧୫ ତାରିଖ ମଙ୍ଗଳବାର ସିଂହେ ୩୦ ଦିନ ସ୍ବାତୀ ନକ୍ଷତ୍ରେ ତୁଳ ଚଚନ୍ଦ୍ର ତୁଳ ଲଗ୍ନେ ଇନ୍ଦ୍ରଯୋଗେ ଅମୃତବେଳାରେ ପୂର୍ବାହ୍ନ ୯ଟା ୩୩ ମିନିଟ୍ ଗତେ ୯ଟା ୪୬ମିନିଟ ମଧ୍ୟେ ସର୍ବସାଧାରଣ ନିଜର ଇଷ୍ଟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ପୂର୍ବକ ନିଜେ ନବାନ୍ନ ଭକ୍ଷଣ କରି ପାରିବେ। ସମଲେଶ୍ବରୀଙ୍କ ଚରଣାଶ୍ରିତ ପଣ୍ଡିତ ଚୂଡ଼ାମଣୀ ରଥ, ପଣ୍ଡିତ ବିଘ୍ନରାଜ ଦାଶ, ପଣ୍ଡିତ ଆୟୁଷ୍ମାନ ଷଡଙ୍ଗୀ, ପଣ୍ଡିତ ସୁଧାଂଶୁ ଦାଶ ପ୍ରମୁଖ ନବାନ୍ନ ଲଗ୍ନ ନିରୂପଣ କରିଥିବାବେଳେ ସମଲେଶ୍ବରୀ ଟ୍ରଷ୍ଟବୋର୍ଡ ଓ ପରିଚାଳନା କମିଟିର କର୍ମକର୍ତ୍ତା ଏବଂ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ।

