ନକଲି ଆଦର, ଅସଲି ହତାଦର

ଆଜିକାଲି ଅସଲି ଅପେକ୍ଷା ନକଲିର ଚାହିଦା ଦ୍ରୁତଗତିରେ ବଢ଼ିଚାଲିଛି। ଏଇ ଯେମିତି ବିରାଟ କୋଠା କରି ବଗିଚା ପାଇଁ ଜାଗା ଅଭାବରୁ ପ୍ଲାଷ୍ଟିକ ବା କାଗଜ ଫୁଲର ନିରସ ସମ୍ଭାର ସୃଷ୍ଟି କରନ୍ତି ଆଉ କେଉଁଠି ସତସତିକା ଫୁଲର ସମ୍ଭାର ଦେଖିଲେ ସ୍ବ-ଚିତ୍ରଟିଏ (ସେଲ୍‌ଫି)ଉଠାଇ ନିଜ ସାମାଜିକ ଗଣମାଧ୍ୟମରେ ପକେଇ ଖୁସି ସାଉଁଟିବାକୁ ଚେଷ୍ଟା କରନ୍ତି। ବେଳେବେଳେ କେହି ନ ଦେଖିବା ବେଳେ ଦୁଇ ଚାରିଟି ଫୁଲ ତୋଳି ନିଜ ମୁଣି (ବ୍ୟାଗ ବା ଭ୍ୟାନିଟ)ରେ ଧରି ସ୍ବଗୃହ ପ୍ରତ୍ୟାବର୍ତ୍ତନ କରନ୍ତି। ଦୈନନ୍ଦିନ ଜୀବନରେ ଆପଣମାନେ ମଧ୍ୟ ଏଭଳି ଅନେକ ଘଟଣା ଓ ଆଚରଣର ସାମ୍ନା କରୁଥିବେ। ତଥାପି ଗୋଟିଏ ଦୁଇଟି ବାସ୍ତବ ଘଟଣା ଉପସ୍ଥାପନା କରୁଛି।
ପ୍ରାୟ ପନ୍ଦର ବର୍ଷ ପୂର୍ବେ ଘଟଣାକ୍ରମରେ ଗୋଟିଏ ବଡ଼ ରେଷ୍ଟୁରାଣ୍ଟରେ ଖାଇବା ପାଇଁ ସାଙ୍ଗମାନଙ୍କ ପ୍ରରୋଚନା ଓ ପ୍ରୋତ୍ସାହନରେ ଯିବାର ସୁଯୋଗ ପାଇଥିଲି। ତା’ପୂର୍ବରୁ ବଡ଼ ରେଷ୍ଟୁରାଣ୍ଟରେ ଖାଇବାର ଅନୁଭୂତି ନ ଥିଲା। ରେଷ୍ଟୁରାଣ୍ଟର କର୍ମଚାରୀମାନଙ୍କ ପୋଷାକ, କଥାବାର୍ତ୍ତା ଓ ରଙ୍ଗଢଙ୍ଗ, ହାବଭାବ ମୋ ପାଇଁ ପୂରାପୂରି ନିଆରା ଥିଲା। ତା’ପରେ ଖାଦ୍ୟର ଦରତାଲିକା (ମେନ୍ୟୁ) ଦେଖି ମୁଣ୍ଡବୁଲା ବାହାରି ପଡ଼ିଥିଲା କିନ୍ତୁ ମାଗଣା ଖାଇବାର ଅବସର ଥିବାରୁ ବିଶେଷ ଅସୁବିଧା ହୋଇ ନ ଥିଲା। ସାଙ୍ଗର ବରାତ ଅନୁଯାୟୀ ଖିଆପିଆ ସରିବା ପରେ ଉଷୁମ ପାଣି ସହ ଲେମ୍ବୁ ଦିଆଗଲା। ସାଙ୍ଗମାନେ ଖାଇବାରେ ବ୍ୟସ୍ତ ଥିବା ବେଳେ ଲେମ୍ବୁ ଫାଳଟିକୁ ଚିପୁଡ଼ି ଲୁଣ ପକେଇ ପିଇଦେଲି। ତା’ପର ଦୃଶ୍ୟ ଅତି ଉଦ୍‌ବେଗଜନକ ଥିଲା। ସାଙ୍ଗମାନେ ଦାନ୍ତ ନେଫେଡେଇ ହସିଦେଲେ। ଅନ୍ୟମାନେ ଜୋରରେ ହସି ନ ଥିଲେ ମଧ୍ୟ ପରସ୍ପର ମୋ ଆଡ଼େ ଚାହିଁ ବ୍ୟଙ୍ଗ କରିବା ଆରମ୍ଭ କରିଦେଲେ। କିନ୍ତୁ ପରେ ଜାଣିଲି ଯେ ଉଷୁମପାଣି ଓ ଲେମ୍ବୁ ହାତ ଧୋଇବା ପାଇଁ ଉଦ୍ଦିଷ୍ଟ ଥିଲା। ପରେ ସମ୍ଭ୍ରାନ୍ତ ସାଙ୍ଗମାନେ ଲେମନ ଫ୍ଳେଭରର ମୃଦୁ ପାନୀୟ ମଗେଇ ପିଇଲେ। ମୁଁ ଯେତେବେଳେ ପଚାରିଲି ଅସଲ ଲେମ୍ବୁପାଣିରେ ହାତ ଧୋଇ ନକଲି ଲେମ୍ବୁପାଣି ପିଇବାର ଯଥାର୍ଥତା କ’ଣ? ସମସ୍ତେ ମୋତେ ବଡ଼ ବଡ଼ ଆଖିରେ ଅନେଇ କହିଲେ ସୁଦୁ ଗାଉଁଲିଟା! ନକଲି ସ୍ବାଦରେ ଅସଲିର ଅବସ୍ଥା କ’ଣ ହୋଇଥିବ ଆପଣମାନେ ଜାଣିଥିବେ।
ଆଜିକାଲି ଅସଲି ଉପରେ ନକଲିର ପ୍ରାଦୁର୍ଭାବ ଚାରିଆଡ଼େ। ଜଣକ ଘରକୁ ଯାଇଥିଲି। ଛୋଟ ଛୁଆଟା ଜିଦି କରୁଛି ଫ୍ରେଞ୍ଚ ଫ୍ରାଇ ଖାଇବାକୁ । ବିଚରା ମାଆ ଅସଲି ଆଳୁଛାଣି ସୈନ୍ଧବ ଲବଣ ପକେଇ ଦେଲେ କିନ୍ତୁ ପିଲାଟି ଫିଙ୍ଗିଦେଲା। ବିଚରା ମାଆ ଚାଲାକି କରି ଏକ ଫ୍ରେଞ୍ଚ ଫ୍ରାଇ ଜରିରେ ଘରର ଆଳୁ ଚିପ୍ସ ଭର୍ତ୍ତି କରି ଯେତେବେଳେ ବଢ଼େଇଦେଲେ କି ଖୁସିରେ ଖାଇ ଚାଲିଲା କହିଲେ ନ ସରେ। ମାନେ ପିଲାଠାରୁ ବୃଦ୍ଧ ଯାଏ ଆଜିକାଲି ଅସଲି ଅପେକ୍ଷା ନକଲିର ବଡ଼ ଗରାଖ। ଏହା କେବଳ ଖାଉଟି ଦ୍ରବ୍ୟ ଓ ସେବା ମଧ୍ୟରେ ସୀମାବଦ୍ଧ ନୁହେଁ।
ନକଲି ବ୍ୟବହାର, ନକଲି ତେଲାତେଲି ତଥା ମିଛ ପ୍ରଶଂସାର ପ୍ରଭାବ ଅସଲି ବ୍ୟବହାର ଉପରେ ଭାରି ପଡ଼ିଯାଉଛି। ଏମିତି ହେଉଛି କି ଆତ୍ମ ପ୍ରଶଂସାରେ ବିଭୋର ମଣିଷ ନକଲି ଲୋକଙ୍କ ସୁଆଙ୍ଗିଆ କଥାକୁ ହିଁ ସତ୍ୟ ବୋଲି ଭାବୁଛି ଆଉ ସତ କହୁଥିବା ଅତି ବିଶ୍ୱସ୍ତ ତଥା ଆପଣାର ଲୋକମାନେ ତା’ର ବଇରି ହେଉଛନ୍ତି।
ଗୋଟିଏ ବାସ୍ତବ କଥା। ଦୁଇଜଣ ଝିଅ ଅତି ଅନ୍ତରଙ୍ଗ। ବିଦ୍ୟାଳୟଠାରୁ ବର୍ତ୍ତମାନ ବିଶ୍ବବିଦ୍ୟାଳୟ ଯାଏ ମିଶିକି ପଢ଼ନ୍ତି। ବୁଲାବୁଲି, ଖିଆପିଆ, ପଢ଼ାପଢ଼ି, ପରସ୍ପର ଘରକୁ ଯିବା ଆସିବା ସବୁଥିରେ ଉଭୟଙ୍କ ଅନ୍ତରଙ୍ଗ ବନ୍ଧୁତାର ପରିଚୟ ମିଳେ। ବେଳେବେଳେ ସେମାନଙ୍କ ପରସ୍ପର ସମ୍ବନ୍ଧରେ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି। କିଛିଦିନ ତଳେ ଗୋଟିଏ ସାଙ୍ଗ ନିଜ ପୈତୃକ ଘର କୌଣସି କାମରେ ଯିବାର ସୁଯୋଗ ନେଇ ସବୁବେଳେ ଈର୍ଷା କରୁଥିବା ସାଙ୍ଗଟି ଅନ୍ୟ ଝିଅ ସହ ଖୁବ କମ ଦିନରେ ଖୁବ ଅନ୍ତରଙ୍ଗ ହୋଇଗଲେ। କେବଳ ସେତିକି ନୁହେଁ, ନୂଆ ସାଙ୍ଗ କିଛି ଭୁଲ୍‌ (ପ୍ରେମଜନିତ) କାମରେ ତାକୁ ଭର୍ତ୍ତି କରାଇଦେଲା। ବୟସର ଦୋଷ ହେତୁ ବିଚରା ତା’ର ମଜା ନେବା ଆରମ୍ଭ କରିଦେଲା। ବାଲ୍ୟ ବନ୍ଧୁ ଗାଁରୁ ଫେରିଲା ବେଳକୁ ନେଡ଼ିଗୁଡ଼ କହୁଣିକୁ। ଯେତେ ବୁଝେଇଲା ପରେ ସେ ବୁଝିବାକୁ ନାରାଜ। ଏମିତି ପରିସ୍ଥିତି ହେଲା ବାଲ୍ୟ ବନ୍ଧୁ ସହ ସମ୍ପର୍କ ତୁଟାଇ ନକଲି ସାଙ୍ଗ ଓ ପ୍ରେମରେ ଉବୁଟୁବୁ। କହିବାର ଅର୍ଥ ଦ୍ରବ୍ୟ ହେଉ ସେବା ଅବା ମଣିଷ ଚକଚକ କରୁଥିବା ନକଲିଗୁଡ଼ିକ ଭାରି ମନଲୋଭା ଓ ଆସକ୍ତି ପ୍ରଣୋଦିତ। ଏଇ ଦେଖୁ ନାହାନ୍ତି ଆଜିକାଲି ମିଳୁଥିବା ଇମିଟେସନ ଅଳଙ୍କାର (ମାନେ ଗହଣା/ଅଳଙ୍କାର)। ଚିହ୍ନିବା କଷ୍ଟକର କି କେଉଁଟା ସୁନା ଆଉ କେଉଟା ବେଙ୍ଗି ପିତ୍ତଳ। କିନ୍ତୁ ନକଲିର ପ୍ରାଦୁର୍ଭାବ ଅସଲି ଉପରେ ଭାରି ପଡ଼ିବା ପରିବେଶ ଓ ସାମାଜିକ ସମ୍ପର୍କ ପ୍ରତି ଅତ୍ୟନ୍ତ କ୍ଷତିକାରକ।
ଅସଲି ଖଲିପତ୍ର ବା ଦନା ଛାଡ଼ି ନକଲି ସୁନେଲି ରୂପେଲି ଜରିରେ ଖାଇବା ଶରୀର ପାଇଁ ଯେତିକି ହାନିକାରକ, ପରିବେଶ ପାଇଁ ତା’ଠାରୁ ଅଧିକ ବିପଜ୍ଜନକ। ତଥାପି ଆମକୁ ନକଲି ଆକର୍ଷଣୀୟ ଲାଗୁଛି। ବିନା ପରିଶ୍ରମରେ ସୁଲଭ ଦରରେ ଉପଲବ୍ଧ ତାହା ପୁଣି ଦେଖିବାକୁ ଅତ୍ୟନ୍ତ ମନଲୋଭା। କେହି କେହି ଏହାକୁ ସମ୍ଭ୍ରାନ୍ତ ପଣିଆ ଭାବିଲେଣି। ଜଣେ ବନ୍ଧୁ ସଗର୍ବେ କହନ୍ତି ଆମ ଜଳଖିଆ ମାସର ଅଧିକାଂଶ ଦିନ ହାଇଫାଇ ରେଷ୍ଟୁରାଣ୍ଟରୁ ଆସେ। କ’ଣ ହେବ ସେ ଟଙ୍କା! ରୋଜଗାର କାହା ପାଇଁ କରୁଛୁ! ସତକଥା ଏଭଳି ମହାଜ୍ଞାନୀଙ୍କୁ ବୁଝେଇବ କିଏ? ତା’ ବାଟରେ ଯାଉଥିବା କିଳାକୁ ଗୁଆପାନ ଦେଇ କାହିଁକି ନିମନ୍ତ୍ରଣ କରିବ ଯେ! ଆଜିକାଲି ଏଭଳି ଅବସ୍ଥା ସବୁଠି।
ଏକ ମାସ ଭିତରେ ପ୍ରାୟ ଆଠ ଦଶଟା କଲେଜ ବୁଲିଲିଣି। ସବୁଠି ଗୋଟିଏ କଥା ପଚାରିଲି -ପିଲାମାନେ କେଉଁମାନଙ୍କ ପାଖରେ ବହି ଅଛି ଆଉ କିଏ କିଏ ବହି ପଢୁଛ ହାତ ଉଠାଅ। ପରିସଂଖ୍ୟାନ ଅତି ନଗଣ୍ୟ। ମାନେ ଶହେ ସ୍ନାତକ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ହାରାହାରି ଦୁଇରୁ ଚାରି ମାତ୍ର। ବାକିସବୁ ଗାଇଡ୍‌ ବୁକ୍‌ ବା ଟ୍ୟୁଶନ ନୋଟ। ହାତରେ ଦାମୀ ସ୍ମାର୍ଟ ଫୋନ ମାତ୍ର ସ୍ନାତକ ସମ୍ମାନ ପଢୁଥିବା ଦେଶର ଭାଗ୍ୟ ଓ ଭବିଷ୍ୟତଙ୍କ ପାଖରେ ପାଠ୍ୟପୁସ୍ତକ ନାହିଁ। ଏମାନେ ଅଭାବ ପାଇଁ କିଣୁ ନାହାନ୍ତି ତାହା ନୁହେଁ, ଏମାନେ ବାସ୍ତବତା ଠାରୁ ଦୂରରେ। ରିଲ୍‌ ପଛରେ ଗୁଡ଼େଇ ଗୁଡ଼େଇ ରିୟଲ କଥା ଭୁଲି ଗଲେଣି। ନକଲି ପ୍ରତି ଏମାନଙ୍କ ଆକର୍ଷଣ ହେତୁ ଅସଲି ଅନାଦର ଓ ହତାଦର। ସେମିତି ଆଜିକାଲି ନକଲି ଉତ୍ପାଦ ସବୁଆଡ଼େ। କେବଳ ନକଲି ଔଷଧ, ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ନୁହେଁ ନକଲି ଡାକ୍ତର, ଇଞ୍ଜିନିୟର, ମେକାନିକ, ଭିଜିଲାନ୍ସ ଅଫିସର, ଜିଏସ୍‌ଟି ଅଧିକାରୀ, ନକଲି ଏସ୍‌ପି, ମାଷ୍ଟର, ବାବା, ମାତା, ଏମିତି ଲମ୍ବା ତାଲିକା। ତେଣୁ ନକଲି ପ୍ରତି ସାବଧାନ। ବିଜ୍ଞାନୀ ମଣିଷ ଅସଲି ଓ ନକଲି ଭିତରେ ଫରକ ଜାଣୁ।
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ
ମୋ: ୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri