କଟକ,୨୨।୬(ପ୍ରଭୁ କଲ୍ୟାଣ ପାଲ୍): ନୃଶଂସତାର ସୀମା ପାର୍ । ଗାଁ ଟିୱେଲ ମୂଳରୁ ଟେକି ନେଇ ଜଙ୍ଗଲରେ ବଳାତ୍କାର। ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ସଜା ଶୁଣାଇଲେ କଟକ ସ୍ବତନ୍ତ୍ର ପକ୍ସୋ ଅଦାଲତ। ଅଭିଯୁକ୍ତି ପ୍ରଶାନ୍ତ କୁମାର ମହୁନ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସଜା ଶୁଣାଇଛନ୍ତି କୋର୍ଟ ।ଜରିମାନା ବାବଦକୁ ୨୦,୦୦୦ ଟଙ୍କା ନିର୍ଦେଶ ଦେଇଛନ୍ତି କୋର୍ଟ।ଏହାବ୍ୟତୀତ ଜରିମାନା ଅନାଦେୟ ଏକବର୍ଷ ଅଧିକ କାରାଦଣ୍ଡାଦେଶ ପାଇଁ କୋର୍ଟ ନିଦ୍ଦେର୍ର୍ଶ ଦେଇଛନ୍ତି । କ୍ଷତିପୂରଣ ରାଶି ବାବଦ ନାବାଳିକାଙ୍କୁ ୪ ଲକ୍ଷ ଟଙ୍କା ଦେବା ପାଇଁ ଜିଲା ଆଇନସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରୁ ପ୍ରକାଶ ଯେ ୨୦୨୪ ନଭେମ୍ବର ୩ ତାରିଖରେ କଟକ ମାହାଙ୍ଗା ଅଞ୍ଚଳରେ ଘଟିଥିଲା ଏହି ଲୋମ ଟାଙ୍କୁରା ଘଟଣା। ସକାଳ ୭ ଟା ସମୟରେ ନାବାଳିକା ଜଣଙ୍କ ଘର ପାଖ ଟିୱେଲକୁ ପାଣି ଆଣିବା ପାଇଁ ଯାଇଥିବାବେଳେ ହଠାତ ନାବାଳିକାକୁ ଏକା ଦେଖି ନିକଟସ୍ଥ ଜଙ୍ଗଲକୁ ଉଠେଇ ନେଇ ବଳାତ୍କାର କରିଥିଲେ ଅଭିଯୁକ୍ତ। ନାବାଳିକା ଜଣଙ୍କ ଚିତ୍କାର କରି ଘରକୁ ଆସିବା ପରେ ସଙ୍ଗେସଙ୍ଗେ ସ୍ଥାନୀୟ ଥାନାରେ ମାମଲା ଦାୟର କରିଥିଲେ ପିଡିତାଙ୍କ ପରିବାର। ଏତଲା ଦେବା ପରେ ତଦନ୍ତ ଆଧାରରେ ଅନେକ ପ୍ରମାଣ ପୋଲିସ ହସ୍ତଗତ କରିଥିଲା । ଏହାପରେ ସିଧାସଳଖ ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଆଜି ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ କାରାଦଣ୍ଡ ଶୁଣାଇଛନ୍ତି ଅଦାଲତ। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର କୃଷ୍ଣ ଚନ୍ଦ୍ର ମହାପାତ୍ର ମାମଲା ପରିଚାଳନା କରୁଥିଲେ।

